ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି। ନୂତନ ଭାବେ ନିର୍ମିତ ଘରର ପାଇଖାନା ଟାଙ୍କି ଭିତର ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନି ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମିସ୍ତ୍ରୀ ଓ ଜଣେ ଦିନମଜୁରିଆ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ପଦ୍ମପୁର ଥାନା କେନ୍ଦୁଗୁଡ଼ା ନିକଟସ୍ଥ ଜୀବଜଗତପୁର ଗ୍ରାମର ହରିଶ୍ଚନ୍ଦ୍ର ବିର (୪୬), ପ୍ରକାଶ ଲିମା (୪୫) ଏବଂ ଆଲୋକ କରାଡ (୪୭)। ମିଳିଥିବା ସୂଚନା ଅନୁଯାୟୀ, ତାରପାଗୁଡ଼ା ଗ୍ରାମରେ ଏକ ନୂତନ ଘରର ପାଇଖାନା ଟାଙ୍କି ନିର୍ମାଣ ଶେଷ ହେବା ପରେ ତାହାର ଭିତର ଅଂଶ ସଫା କରିବା ପାଇଁ ଏହି ଶ୍ରମିକମାନେ ନିୟୋଜିତ ହୋଇଥିଲେ। କାମ କରିବା ସମୟରେ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ। ମାତ୍ର ଟାଙ୍କି ଭିତରେ ଜମି ରହିଥିବା ବିଷାକ୍ତ ଗ୍ୟାସ ଯୋଗୁଁ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଏବଂ ସେମାନେ ଟାଙ୍କି ଭିତରେ ହିଁ ଅସୁସ୍ଥ ହୋଇ ଅଚେତ ହୋଇପଡ଼ିଥିଲେ।
ସ୍ଥାନୀୟ ଲୋକମାନେ ଏହା ଦେଖି ତୁରନ୍ତ ପଦ୍ମପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ଅତି ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ବିଶେଷ ଉଦ୍ୟମ କରି ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଥିଲା। ଏହି ଦୁର୍ଘଟଣା ପରେ ତାରପାଗୁଡ଼ା ଏବଂ ମୃତକଙ୍କ ନିଜ ଗ୍ରାମ ଜୀବଜଗତପୁରରେ ଗଭୀର ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପଦ୍ମପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣାର ସଠିକ୍ କାରଣ ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟ ଆଧାରରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


