ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆଜି ‘କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ବିକାଶ ଯୋଜନା’ ଉପରେ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସବୁଜ ଓ ନବୀକରଣୀୟ ଶକ୍ତିର ବିକାଶ ସହ କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଶକ୍ତି ବିଭାଗ, ଗ୍ରୀଡକୋ, ସେକି, କେନ୍ଦ୍ର ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଓ iFORESTର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ ଉତ୍ପାଦନ ଉପରେ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଛନ୍ତି। ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଶିଳ୍ପପତି ଓ ଜଳବିଦ୍ୟୁତ ବିଶେଷଜ୍ଞମାନେ ଯୋଗଦେଇ ଓଡ଼ିଶାରେ କ୍ଷୁଦ୍ର ଜଳବିଦ୍ୟୁତର ବିଶାଳ ସମ୍ଭାବନା ଓ ଏହାର ବିକାଶ ନେଇ ଆଲୋଚନା କରିଛନ୍ତି।


