ରଙ୍ଗାଚରଣ ପ୍ରଧାନ
ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଫୋନ୍ ଆସେ । ସେସବୁକୁ କଥାବାର୍ତ୍ତା ନ କହି ଏକ ପାଖିଆ ବାର୍ତ୍ତା କୁହାଯାଇ ପାରିବ । ତେବେ ଗତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମଧ୍ୟ ପୁଣି ଥରେ ଓଡିଶାର ଲୋକମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫୋନ୍ ଆସିବ ।
ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ” ମୁଁ ଆପଣମାନଙ୍କର ମୁଖ୍ୟମନ୍ତ୍ରୀ । ମୁଁ ସିଧାସଳଖ ଆପଣମାନଙ୍କ ପାଖକୁ ଫୋନ୍ କରିବି ଏବଂ ହସପିଟାଲ୍, ପୋଲିସ୍ ଥାନା ଏବଂ ଅନ୍ୟ ସରକାରୀ ଅଫିସରେ ଆପଣମାନେ କି ପ୍ରକାର ବ୍ୟବହାର ପାଉଛନ୍ତି, ସେ ବିଷୟରେ ପଚାରି ବୁଝିବି ।”
ପରେ ସେ ଏହାକୁ ବୁଝାଇବାକୁ ଯାଇ କହିଛନ୍ତି କେବଳ ସେ ନୁହେଁ, ତାଙ୍କର ମନ୍ତ୍ରୀଗଣ ଏବଂ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ଭଳି ଫୋନ୍ କରିବେ ଏବଂ ସବୁ ହସପିଟାଲ୍ ନୁହେଁ, କେବଳ ଜିଲ୍ଲା ହସପିଟାଲଗୁଡିକରେ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକ ବିଷୟରେ ସେମାନେ ବୁଝିବେ । ସରକାର ଏହି ଯୋଜନାର ନାଁ ଦେଇଛନ୍ତି ‘ମୋ ସରକାର’ । ନାମକରଣ ଦୄଷ୍ଟିରୁ ଏହା ଆକର୍ଷଣୀୟ ନିଶ୍ଚୟ ।
ଆପଣଙ୍କର ମନେଥିବ, ସରକାର ପରିଚାଳନାର ଉନ୍ନତି ପାଇଁ ୨୦୧୭ ମସିହା ମଇ ୨୧ ତାରିଖରେ ଥ୍ରି-ଟି ଘୋଷଣା ହୋଇଥିଲା । ଏହି ଥ୍ରି-ଟିରୁ କ’ଣ ସୁଫଳ ମିଳିଲା ସେ ବିଷୟରେ କିଛି ଜାଣିବାର ଉପାୟ ନାହିଁ । ଗତ ଜୁଲାଇ ମାସରେ ଓଡିଶା ସରକାର ଥ୍ରି-ଟିକୁ ବଢାଇ ଫାଇଭ୍-ଟି କରିଛନ୍ତି । ଏହି ପାଞ୍ଚୋଟି “ଟି” ହେଉଛି, (୧) ଦଳଗତ କାମ ବା ଟିମ୍ ଓ୍ବାର୍କ, (୨) ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବା ଟେକ୍ନୋଲୋଜି, (୩) ପାରଦର୍ଶିତା, (୪) ରୁପାନ୍ତରଣ ବା ଟ୍ରାନ୍ସଫରମେସନ ଓ (୫) ସମୟ ସୀମା ବା ଟାଇମ୍ ଲିମିଟ୍ । ‘ମୋ ସରକାର’ ପରିକଳ୍ପନାଟି ଏହି ୫-ଟି ଯୋଜନାର ଅନ୍ତର୍ଗତ ।
ତେବେ ଗତ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ମନରେ କେତୋଟି ପ୍ରଶ୍ନ ସୄଷ୍ଟି କରେ । ଅବଶ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍ କରିବା ସମୟରେ କେଉଁ ଭାଷାରେ କଥାବାର୍ତ୍ତା ହେବେ ତାହା ଏକ ପୁରୁଣା ପ୍ରଶ୍ନ ଯାହାକୁ ପୁଣିଥରେ ପଚାରିବାକୁ ପଡୁଛି । ତେବେ ସେ ଯାହା ହେଉ, ୫ ଥର ନିର୍ବାଚନ ଜିତିବାରେ ତାଙ୍କର ଓଡିଆ ଭାଷାରେ ଅଜ୍ଞତା କୌଣସି ବାଧା ସୄଷ୍ଟି କରିନାହିଁ । ଆଉ ଯେତେବେଳେ ତାଙ୍କର ସମସ୍ତ ମନ୍ତ୍ରୀଗଣ ଓ ଉଚ୍ଚ ଅଧିକାରୀମାନେ ଏହି ଫୋନ୍ କରିବା କାମରେ ଜୁଟିବାକୁ ଯାଉଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ଏହି ଭାଷାଗତ ଅକ୍ଷମତାକୁ ଉପେକ୍ଷା କରାଯାଉ ।
କିନ୍ତୁ ଅସଲ ପ୍ରଶ୍ନ ହେଉଛି ଯେ ସେମାନେ ଫୋନ୍ କରିବେ କାହାକୁ ? ୨୦୧୮-୧୯ର ସରକାରଙ୍କର ଆର୍ଥିକ ସର୍ଭେ ରିପୋର୍ଟରୁ ଜଣାଯାଏ ଯେ ଓଡିଶାରେ ୭୯.୫୮% ଲୋକଙ୍କ ପାଖରେ ଟେଲି ଯୋଗାଯୋଗ ସୁବିଧା ଅଛି ଯାହା ଜାତୀୟ ସ୍ତରର ୯୧.୦୯% ଠାରୁ ବହୁତ କମ୍ । ପୁଣି ଓଡିଶାର ସହରାଞ୍ଚଳରେ ଏହି ସୁବିଧା ୧୬୦.୦୮% ଥିବାବେଳେ ଗ୍ରାମାଞ୍ଚଳରେ ଏହା ହେଉଛି ନୈରାଶ୍ୟଜନକ ୬୧.୬% । ତେଣୁ ଗ୍ରାମାଞ୍ଚଳର ପ୍ରାୟ ୪୦% ଲୋକଙ୍କର ଏହି ‘ମୋ ସରକାର’ ଯୋଜନା ସହ କିଛି ନେବାଦେବା ନାହିଁ ।
୨୦୧୧ ମସିହା ଜନଗଣନା ଅନୁଯାୟୀ ଓଡିଶା ଜନସଂଖ୍ୟାର ୮୩.୩୨ % ଲୋକ ଗ୍ରାମାଞ୍ଚଳରେ ରୁହନ୍ତି । ବର୍ତ୍ତମାନର ଦ୍ରୁତ ସହରୀକରଣର ସମୟରେ ଏବେ ବୋଧହୁଏ ଏହା ୭୦%କୁ କମି ଆସିଥିବ । ତେଣୁ ଅତି କୋହଳ ଭାବରେ ହିସାବ କଲେ ଓଡିଶାର ସମୁଦାୟ ଜନସଂଖ୍ୟାର ୨୮% ଲୋକଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରିବ ନାହିଁ । ତଥାପି ଆମେ ଆଶାବାଦୀ ହୋଇ କହିପାରିବା ଯେ ବାକି ୭୨% ମଧ୍ୟ କମ୍ ନୂହେଁ ।
ଆଉ ଗୋଟିଏ କଥା । ଏଠାରେ ଧ୍ୟାନ ରହୁ ଯେ ଓଡିଶା ଲୋକସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ । ତେଣୁ ସେମାନଙ୍କ ଭାଷାରେ କଥା ହେବାକୁ ସମର୍ଥ ଥିବା କେତେଜଣ ମନ୍ତ୍ରୀ ଓ ଅଫିସର୍ ଅଛନ୍ତି ତାହା ବି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ।
ଆପଣ ହୁଏତ ଭାବିବେଣି ଯେ ଏସବୁ ପ୍ରଶ୍ନ ଛେନାରୁ ଚୋପା ଛଡେଇବା ସଦୄଶ । ସରକାର ଏବେ କେବଳ ଘୋଷଣା ମାତ୍ର କରିଛନ୍ତି । ଅକ୍ଟୋବର ୨ ତାରିଖରୁ ଏହା ଲାଗୁ ହେବ । ତେଣୁ ‘ମୋ ସରକାର’ ଯୋଜନାର ମୂଲ୍ୟାୟନ କରିବା ପାଇଁ ବର୍ତ୍ତମାନର ସନ୍ଦେହକୁ ସ୍ଥଗିତ ରଖି କିଛି ସମୟ ଅପେକ୍ଷା କରାଯାଉ । ଆଶାବାଦୀମାନେ କହିପାରନ୍ତି କିଛି ନ ହେଲେ ଅତି କମରେ ସରକାରକୁ ଲୋକାଭିମୁଖୀ କରିବାରେ ସରକାରଙ୍କ ଇଛା ମାତ୍ରକୁ ମଧ୍ୟ ସ୍ବାଗତ କରାଯାଉ ।
କିନ୍ତୁ ଏଥିନେଇ ନୈରାଶ୍ୟବାଦୀ ହେବାର ଅନେକ କାରଣ ରହିଛି । ଆପଣଙ୍କର ମନେଥିବ ଗତ ଡିସେମ୍ବର ମାସରେ ସରକାର ପ୍ରତ୍ୟେକ ପଞ୍ଚାୟତରେ ପିଠା ନାମକ ଏକ ପ୍ରୋଗ୍ରାମ ଅନୁଷ୍ଠିତ କରିଥିଲେ । ପୂର୍ବର ୩-ଟି ଅନୁଯାୟୀ ଏହାର ମଧ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କର ସଶକ୍ତିକରଣ କରିବା ଏବଂ ସରକାରଙ୍କର ବିଭିନ୍ନ ଯୋଜନାର କାର୍ଯ୍ୟନ୍ବୟନରେ ପାରଦର୍ଶିତା ଓ ଉତ୍ତରଦାୟିତ୍ବତା ଆଣିବା । ମାତ୍ର ତୄଣମୂଳ ସ୍ତରରେ ଏହା ପିଠାପଣା ଉତ୍ସବରେ ପରିଣତ ହୋଇଗଲା । ସବୁ ପଞ୍ଚାୟତରେ ବିପୁଳ ସଂଖ୍ୟାରେ ମହିଳା ମାନେ ହର୍ଷ ଉଲ୍ଲାସର ସହ ମଣ୍ଡା, କାକରା, ଆରିସା ଆଦି ଭଳିକି ଭଳି ପିଠା ପ୍ରସ୍ତୁତ କରି ଷ୍ଟଲ୍ ଖୋଲିଲେ । ସେତେବେଳେ ୩-ଟି କୁଆଡେ ଗାଧୋଇ ଗଲା । ସେତେବେଳେ କୁହା ଯାଇଥିଲା ଯେ ପ୍ରତି ମାସରେ ଏହି ପିଠା ଉତ୍ସବ ଅନୁଷ୍ଠିତ ହେବ । ମାତ୍ର ପରେ ତାହା ଆଉ ନ ହେବା ଏକ ଭଲ ଖବର ନା ମନ୍ଦ ଖବର ତାହା ଆପଣମାନେ ଚିନ୍ତା କରିବେ ।
ତେବେ ସରକାରକୁ ଲୋକାଭିମୁଖୀ କରିବା ଏକ ଭଲ କଥା । କିନ୍ତୁ ପାର୍ଲିଆମେଣ୍ଟ ଗଣତନ୍ତ୍ର ବିଧିବ୍ୟବସ୍ଥାରେ ହିଁ ଏହି ଲୋକାଭିମୂଖୀ ଚରିତ୍ର ଅନ୍ତର୍ନିହିତ ଅଛି । ଅର୍ଥାତ୍ ଲୋକଙ୍କ ସମସ୍ୟା ବିଧାୟକମାନେ ବିଧାନସଭାରେ ଉପସ୍ଥାପିତ କରି ମନ୍ତ୍ରୀମାନଙ୍କୁ ଉତ୍ତରଦାୟୀ କରିବେ ଓ ସରକାର ସେସବୁ ସମସ୍ୟାର ନିରାକରଣ କରିବେ । ମାତ୍ର ବର୍ତ୍ତମାନ ସେହି ବ୍ୟବସ୍ଥାର ସେହି ମୌଳିକ ଚରିତ୍ରଟି ଆଉ ନାହିଁ । ବିଧାୟକମାନେ ସରକାରକୁ କେବଳ ସଂଖ୍ୟାଗରିଷ୍ଠତା ଯୋଗାଉଛନ୍ତି । ଏମିତି ବି ଓଡିଶାର ପ୍ରତ୍ୟେକଟି ବିଧାନସଭା ଅଧିବେଶନ ଧାର୍ଯ୍ୟ ତାରିଖଠାରୁ ବହୁ ପୂର୍ବରୁ ସରିଯାଉଛି ।
ବିଧାୟକମାନଙ୍କ ମଧ୍ୟରୁ ୨୧ ଜଣ ମନ୍ତ୍ରୀ ଓ ନିକଟରେ ଆଉ ୧୨ ଜଣ ଜିଲ୍ଲା ଯୋଜନା କମିଟିରେ ଅବସ୍ଥାପିତ ହୋଇଛନ୍ତି ।
କେବଳ ବିଧାୟକ ନୁହେଁ , ରାଜନୈତିକ ନେତାମାନେ ବି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କୁ ଲୋକଙ୍କ ସମସ୍ୟା ନେଇ ଉତ୍ତରଦାୟୀ କରନ୍ତି ଏବଂ ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୁତ୍ର ସ୍ଥାପନ କରନ୍ତି । ଓଡିଶାରେ ନିକଟରେ ନବୀନବାବୁ ନିର୍ବାଚନ ହାରିଥିବା କିମ୍ବା ଟିକେଟ ପାଇ ନଥିବା ୩୫ ଜଣ ନିଜ ଦଳର ନେତାଙ୍କୁ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ରୁପେ ନିଯୁକ୍ତ କରିଛନ୍ତି । ବସ୍ତୁତଃ ଏମାନେ ସମସ୍ତେ ଉଚ୍ଚ ଦରମା ଓ ଆନୁସଙ୍ଗିକ ସ୍ବାଛନ୍ଦ୍ୟ ପାଇ ଜନତା ଓ ସରକାର ମଧ୍ୟରେ ଯୋଗସୁତ୍ର ହେବାର ମୌଳିକ କର୍ତ୍ତବ୍ୟରୁ ବିରତ ରହି ସରକାରୀ ପକ୍ଷ ହୋଇ କାମ କରିବେ । ଯଦି ଦିଲ୍ଲୀର ଉଦାହରଣ ନିଆଯାଏ, ଆପଣଙ୍କର ମନେ ଥାଇପାରେ ସେଠାରେ ୨୨ ଜଣ ବିଧାୟକଙ୍କୁ ପାର୍ଲିଆମେଣ୍ଟାରୀ ସଚିବ ରୁପେ ନିଯୁକ୍ତ କରାଯାଇଥିଲା, ଯେଉଁଥିପାଇଁ ସେମାନେ ସରକାରଙ୍କଠାରୁ ଟଙ୍କାଟିଏ ବି ନେଉ ନଥିଲେ ।
ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଅନ୍ୟ ଏକ ରାସ୍ତା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ବା ପଞ୍ଚାୟତ କିମ୍ବା ଶିକ୍ଷକ-ଅବିଭାବକ କମିଟିଗୁଡିକୁ ଅଧିକ ଆର୍ଥିକ କ୍ଷମତା ଓ ସ୍ବାୟତ୍ତତା ଦେବା । ମାତ୍ର ଓଡିଶାରେ ସେସବୁ ଉପରଠାଉରିଆ ଭାବରେ ଚାଲିଛି ଓ ଦଳୀୟ ବ୍ୟାପାରରେ ପରିଣତ ହୋଇ ଯାଇଛି ।
ଶାସନକୁ ଲୋକାଭିମୁଖୀ କରିବା ପାଇଁ ତୄତୀୟ ରାସ୍ତା ବି ଅଛି । ଓଡିଶାର ବିଭାଗୀୟ ମନ୍ତ୍ରୀ ଆଗରୁ ଭୁବନେଶ୍ବରର ୬ ନଂ ହସପିଟାଲ ବୁଲି ଦେଖି ସାରିଛନ୍ତି । ସେଠାରେ ସାଧାରଣ ରୋଗୀର ସମସ୍ୟା ଆଗ ଦୁର କରନ୍ତୁ । ନିଜେ ବାରମ୍ବାର ବିଭିନ୍ନ ହସପିଟାଲ୍ ବୁଲି ଦେଖନ୍ତୁ । ସେଠାରୁ ସେ ଲୋକେ ସମ୍ମୂଖୀନ ହେଉଥିବା ବିଭିନ୍ନ ସମସ୍ୟା ପାଇ ଯିବେ । ସେଥିପାଇଁ ଫୋନ୍ କରିବା ଆବଶ୍ୟକ ନାହିଁ । ପୋଲିସ୍ ଓ ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମିର ଶୋଚନୀୟ ଅଭାବ ଖାଲି ଆଖିରେ ପରିଷ୍କାର ଦେଖାଯାଉଛି । ଲୋକଙ୍କର ପ୍ରକୄତ ସମସ୍ୟା ସେହି ସେସବୁକୁ ନେଇ ଅଛି । ସେ ବିଷୟରେ ଜାଣିବା ପାଇଁ ଫୋନ୍ କରିବା କ’ଣ ଦରକାର ? ପୋଲିସ୍ ବ୍ୟବସ୍ଥାକୁ ଲୋକାଭିମୂଖୀ କରିବା ପାଇଁ ପ୍ରକାଶ ସିଂ ମାମଲାରେ ସୁପ୍ରିମ୍ କୋର୍ଟ ରାଜ୍ୟମାନଙ୍କୁ ଆଇନ୍ ରେ ପରିବର୍ତ୍ତନ କରିବା ହେତୁ ଦିଶା ନିର୍ଦ୍ଦେଶ ଦେଇଥିଲେ । ନବୀନବାବୁଙ୍କ ସରକାର ଅଧାପନ୍ତରିଆ ଭାବେ ଆଇନର ପରିବର୍ତ୍ତନ କଲେ ଯାହାର ଦିଶା ନିର୍ଦ୍ଦେଶ ମୁତାବକ ପ୍ରଭାବ ତୄଣମୂଳସ୍ତରରେ ଆଦୌ ପରିଲକ୍ଷିତ ହେଲା ନାହିଁ । ମାତ୍ର ସେତକ ନକରି ସରକାର ଫୋନ କରି ଲୋକଙ୍କୁ ପଚାରିବା ଏକ ଅବାନ୍ତର ଉଦ୍ୟମ ।
ମୁଳକଥା ହେଲା ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଅନ୍ତର୍ନିହିତ ଥିବା ଲୋକାଭିମୁଖି ଉପକରଣକୁ ଦୁର୍ବଳ କରିସାରି, ସବୁ କ୍ଷମତା ଓ ନିଷ୍ପତ୍ତିର କେନ୍ଦ୍ରୀକରଣ କରି, ଭୁବନେଶ୍ବରରୁ ସୀଧା ଲୋକଙ୍କ ସହିତ ଫୋନଯୋଗେ ସମ୍ପର୍କ ରଖିବା ନିଶ୍ଚୟ ନବୀନବାବୁଙ୍କ ଅଧିକାଂଶ ଯୋଜନାଭଳି ଅଧାରୁ ଛତ୍ରଭଙ୍ଗ ଦେଉଥିବା ଆଉ ଏକ ପ୍ରୟାସ ହେବ ।
ସରକାର ପୁଣି କହୁଛନ୍ତି ଯେ ଆସନ୍ତା ମଇ ମାସ ସୁଦ୍ଧା ସରକାରଙ୍କର ସବୁ ବିଭାଗକୁ ଏହିପରି ଲୋକାଭିମୁଖୀ କରାଯିବ । ଠିକ୍ ଯେତେବେଳେ ଉଚ୍ଚ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଦିଲ୍ଲୀ ସରକାର ୭୦ଟି ସେବାକୁ ଡୋରଷ୍ଟେପ୍ ଡେଲିଭରି ମାଧ୍ୟମରେ ଲୋକଙ୍କ ଘରେ ପହୁଞ୍ଚାଇଲେଣି ଓ ତେଲେଙ୍ଗାନା ଭଳି ଅନ୍ୟାନ୍ୟ କେତୋଟି ରାଜ୍ୟ ମଧ୍ୟ ତାକୁ ଲାଗୁ କରିବେ ବୋଲି ଚର୍ଚ୍ଚା ହେଲାଣି ସେତେବେଳେ ନବୀନବାବୁ ଫୋନ୍ ଯୋଗେ ଲୋକଙ୍କ ହାଲ୍ ପଚାରିବା ‘ମୋ ସରକାର’ ନୁହେଁ, ଏଇଟା ତାଙ୍କ ଷ୍ଟାଇଲ୍ ଓ ତାଙ୍କ ସରକାର ।