ନୂଆଦିଲ୍ଲୀ : ଦିଲ୍ଲୀରେ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନ୍ୟୁମରେସନ୍ ଫର୍ମ ଏବଂ ପୂର୍ବ ଭୋଟର୍ ତାଲିକାର ସୂଚନାରେ ତ୍ରୁଟି କାରଣରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାୟ ୩୩.୧୩ ଲକ୍ଷ ଭୋଟର୍ଙ୍କୁ ନୋଟିସ୍ ଜାରି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ନୋଟିସ୍ ପାଇଥିବା ତାଲିକାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ନିଜେ ନିର୍ବାଚନ କମିଶନର୍ ଏସ୍ଏସ୍ ସନ୍ଧୁଙ୍କ ଭଳି ହାଇ-ପ୍ରୋଫାଇଲ୍ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଅଛନ୍ତି। ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ମଧ୍ୟ ସମାନ କାରଣରୁ ନୋଟିସ୍ ମିଳିଥିଲା। ୯୮ ବର୍ଷୀୟ ବରିଷ୍ଠ ନେତା ଆଡ଼ଭାନୀ, ତାଙ୍କ ଝିଅ ପ୍ରତିଭା ଏବଂ ବୋହୂ ଗୀତିକାଙ୍କ ନାମ ୨୦୦୨ ଏସ୍ଆଇଆର୍ ଭୋଟର୍ ତାଲିକା ସହ ମେଳ ଖାଉ ନଥିବାରୁ ନୋଟିସ୍ ଦିଆଯାଇଛି । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତାଙ୍କ ପତ୍ନୀ କ୍ୟୋକୋ ଜୟଶଙ୍କରଙ୍କ ନାମ ଗତ ଏସ୍ଆଇଆର୍ ସହ ମେଳ ନଖାଇବାରୁ ନୋଟିସ୍ ପଠାଯାଇଛି। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ତାଙ୍କ ପତ୍ନୀ ସୁଦେଶଙ୍କୁ ନୋଟିସ୍ ପଠାଯାଇଛି। ଏହା ସହିତ ନିର୍ବାଚନ କମିଶନର୍ ଏସ୍ଏସ୍ ସନ୍ଧୁଙ୍କ ନାମରେ ତ୍ରୁଟି କାରଣରୁ ନୋଟିସ୍ ମିଳିଛି ଏବଂ ବିଦେଶ ସଚିବ ବିକ୍ରମ ମିସ୍ରୀଙ୍କୁ ମଧ୍ୟ ଏହି ଆଧାରରେ ନୋଟିସ୍ କରାଯାଇଛି।


