ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଭାରତୀୟ ପୋଲିସ ସେବା (ଭା.ପୁ.ସେ.) ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଉପ ଶାସନ ସଚିବ ରତିକାନ୍ତ ପଣ୍ଡାଙ୍କ ପ୍ରକାଶିତ ବିଜ୍ଞପ୍ତି (ସଂଖ୍ୟା: ୩୩୬୪୭/ଆଇପିଏସ) ଅନୁସାରେ ୪ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।
ଏହି ନୂତନ ଅଦଳବଦଳ ପ୍ରକ୍ରିୟାରେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଡକ୍ଟର ସର୍ବଣା ବିବେକ ଏମ୍ (ଆର.ଆର. ୨୦୧୫)ଙ୍କୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱରର ଉପ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଜଗମୋହନ ମୀନା (ଆର.ଆର. ୨୦୧୩) ଭାରମୁକ୍ତ ହେବା ପରେ ଡକ୍ଟର ସର୍ବଣା ବିବେକ ଏମ୍ ଏହି ପଦବୀ ଗ୍ରହଣ କରିବେ। ସେହିପରି ଢେଙ୍କାନାଳର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର (ଆର.ଆର. ୨୦୧୯)ଙ୍କୁ ସ୍ଥାନାନ୍ତର କରାଯାଇ ବ୍ରହ୍ମପୁରର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।
ଅନ୍ୟପଟେ ରାଜ୍ୟ ଆରକ୍ଷୀ ମୁଖ୍ୟାଳୟର ସହକାରୀ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଏ.ବି. ଶିଳ୍ପା (ଆର.ଆର. ୨୦୨୧)ଙ୍କୁ ବରଗଡ଼ର ଉପ ଆରକ୍ଷୀ ଅଧୀକ୍ଷକ (ଏସ.ଡି.ପି.ଓ.) ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଙ୍କିତ୍ୟ ବି. ମାନେ (ଆର.ଆର. ୨୦୨୨)ଙ୍କୁ ପଦୋନ୍ନତି/ସ୍ଥାନାନ୍ତର କରାଯାଇ ଢେଙ୍କାନାଳର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଶାସନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ, ଶୃଙ୍ଖଳିତ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି।


