ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ମୁମ୍ବାଇ ଠାରେ ତ୍ରୟୋଦଶ ଏସବିଆଇ ବ୍ୟାଙ୍କିଙ୍ଗ୍ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ବିକାଶଶୀଳରୁ ଅଗ୍ରଣୀ: ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ଭାରତର ବିସ୍ତାରିତ ଭୂମିକା।’’
ଡକ୍ଟର ମିଶ୍ର କହିଥିଲେ, ଭାରତ ଏକ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାରୁ ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। କେବଳ ଆକାର ଦୃଷ୍ଟିରୁ ନୁହେଁ ବରଂ ମୌଳିକ ଭାବେ ମଜବୁତ ଏକ ସଂସ୍ଥାଗତ ଯାତ୍ରାରେ ଭାରତ ପ୍ରଗତି ହାସଲ କରିଛି। ସେ କହିଥିଲେ, ଗୋଟିଏ ଅଗ୍ରଣୀ ଅର୍ଥବ୍ୟବସ୍ଥା ବାହ୍ୟ ଚାପକୁ ସାଧାରଣ ଜନତା ଏବଂ ନିଜ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ପଡ଼ିବାକୁ ଦେଇନଥାଏ। ପୂର୍ବରୁ ବାହ୍ୟ ଆର୍ଥିକ ଚାପକୁ ଅବଶୋଷଣ କରି ନିଏ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।
ଡକ୍ଟର ମିଶ୍ର କହିଥିଲେ, ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଆର୍ଥିକ ଢାଞ୍ଚାର ମୂଳଦୁଆ ଅଧିକ ମଜଭୁତ ହୋଇଛି। ମିଶ୍ରିତ ଅର୍ଥନୈତିକ ସ୍ଥିରତା, ରାଜକୋଷ ସୁଦୃଢ଼ୀକରଣ, ଦୃଢ଼ ବ୍ୟାଙ୍କ ବାଲାନ୍ସ ସିଟ୍, ଦେବାଳିଆ ଏବଂ ଋଣ ପରିଶୋଧ ଅକ୍ଷମତା ସଂହିତା, ଜିଏସଟି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସାର୍ବଜନୀନ ପୁଞ୍ଜି ବ୍ୟୟ ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି। ପୁଞ୍ଜି ବ୍ୟୟ ପରିମାଣ ୨୦୧୪-୧୫ରେ ୨.୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୬-୨୭ରେ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଘରୋଇ ଉଦ୍ୟୋଗ ପାଇଁ ଉତ୍ପାଦନର ମୂଳଦୁଆକୁ ସୁଦୃଢ଼ କରିଛି।
ଜନ ଧନ – ଆଧାର ମୋବାଇଲ ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରୁ ୟୁପିଆଇ ପର୍ଯ୍ୟନ୍ତ ଏବଂ ଏକାଉଣ୍ଟ ଏଗ୍ରିଗେଟରରୁ ଡିଜିଟାଲ ଋଣ ଲଗାଣ ଭିତ୍ତିଭୂମି ପର୍ଯ୍ୟନ୍ତ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଥିବା ଡକ୍ଟର ମିଶ୍ର କହିଥିଲେ। ଏହା ସମ୍ଭାବନାରୁ ଆଗକୁ ବଢ଼ି ମୌଳିକ ଭାବେ ଋଣ ଉପଲବ୍ଧତାକୁ ବିସ୍ତାରିତ କରିଛି। ବିତ୍ତୀୟ ବ୍ୟବସ୍ଥା କେବଳ ଅଭିବୃଦ୍ଧିର ସହାୟକ ହେବା ପରିବର୍ତ୍ତେ ଅଭିବୃଦ୍ଧିକୁ ଆଗେଇ ନେବା ଆବଶ୍ୟକ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କଷ୍ଟକର ପରିସ୍ଥିତିକୁ ମୁକାବିଲା କରିବାର କ୍ଷମତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, କୋଭିଡ ମହାମାରୀ, ୟୁକ୍ରେନ୍ ସଂଘର୍ଷ ଏବଂ ନିକଟରେ ପଶ୍ଚିମ ଏସିଆ ସଂକଟ କାରଣରୁ ଦେଖା ଦେଇଥିବା ସମସ୍ୟା ଏହା ପ୍ରମାଣିତ କରିଛି ଯେ ଅପେକ୍ଷାକୃତ ସ୍ଥିରତା କାଳରେ ଗଠନ କରାଯାଇଥିବା ସଂସ୍ଥାଗତ ଏବଂ ଆର୍ଥିକ କ୍ଷମତା କେତେ ଗୁରୁତ୍ୱପୂର୍ଣ୍ଣ। ମହାମାରୀ ପରେ ଭାରତୀୟ ଅର୍ଥବ୍ୟବସ୍ଥା ବାସ୍ତବରେ ହାରାହାରୀ ୭ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇଛି। ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହି ବିକାଶ ହାର ୭.୮ ପ୍ରତିଶତ ରହିଛି।
ବିଶ୍ୱସ୍ତରରେ ବିଭାଜନ, ବାଣିଜ୍ୟିକ ବାଧା, ଆମଦାନୀ ଉପରେ ନିର୍ଭରଶୀଳତା, ବାହ୍ୟ ଏକାଉଣ୍ଟ ଉପରେ ଚାପ ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ)ର ଦ୍ରୁତ ବିକାଶ କାରଣରୁ ସୃଷ୍ଟି ହେଉଥିବା ବିପଦ ବିଷୟରେ ମଧ୍ୟ ଡକ୍ଟର ମିଶ୍ର ଆଲୋକପାତ କରିଥିଲେ। ସେ ଘରୋଇ ଉତ୍ପାଦନ, ଦକ୍ଷତା ବିକାଶ, ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଏବଂ ଭାରତୀୟ ଅର୍ଥବ୍ୟବସ୍ଥାର ବ୍ୟାପକ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ଷମତାକୁ ମଜଭୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବନ୍ଧକ ବ୍ୟବସ୍ଥା ଠାରୁ ଆଗକୁ ବଢ଼ି ନଗଦ ପ୍ରବାହ ଲାଗି ସେ ଆହ୍ୱାନ ଦେଇଥିଲେ। ଡକ୍ଟର ମିଶ୍ରା କହିଥିଲେ, ଜିଏସଟି ରିଟର୍ଣ୍ଣ, ବ୍ୟାଙ୍କ ବିବରଣୀ, ଅର୍ଥପ୍ରାପ୍ତି ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସୂଚନାକୁ ଆଧାର କରି ଉଦ୍ୟୋଗଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ମୂଲ୍ୟାଙ୍କନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଆର୍ଥିକ ସଂସ୍ଥାଗୁଡ଼ିକୁ ସହାୟକ ହୋଇପାରିବ। ଏହା ବିଶେଷ କରି ପ୍ରଥମ ପିଢ଼ିର ଉଦ୍ୟୋଗୀ, କମ୍ ସମ୍ପତ୍ତି ଥିବା ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭାନ୍ୱିତ କରିବ। କାରଣ ବ୍ୟବସାୟ ଚଳାଇବା ଲାଗି ସେମାନଙ୍କର ଋଣ ଯୋଗ୍ୟତା ଜରୁରୀ ହୋଇଥାଏ।
କେବଳ ବ୍ୟାଙ୍କ ଯୋଗେ ପାଣ୍ଠି ଯୋଗାଣ ଦ୍ୱାରା ଭାରତର ବର୍ଦ୍ଧିତ ନିବେଶ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ ବୋଲି ଡକ୍ଟର ମିଶ୍ରା ଜୋର ଦେଇ କହିଥିଲେ। ଗଭୀର କର୍ପୋରେଟ୍ ବଣ୍ଡ ଓ ଇକ୍ୟୁଟି ବଜାର, ବଡ଼ ସଂସ୍ଥାଗତ ନିବେଶ, ଭିତ୍ତିଭୂମି ପାଣ୍ଠି ଏବଂ ଘରୋଇ ସଞ୍ଚୟକୁ ଉତ୍ପାଦନକ୍ଷମ ନିବେଶରେ ପରିଣତ କରିବା ଲାଗି ଅଧିକ ଦକ୍ଷ ମାଧ୍ୟମ ଆର୍ଥିକ ଭିତ୍ତିଭୂମି, ଉତ୍ପାଦନ, ସହରୀକରଣ, ଶକ୍ତି ପରିବର୍ତ୍ତନ ଏବଂ ଉଦ୍ଭାବନ ଲାଗି ଅତ୍ୟନ୍ତ ଜରୁରୀ।
ଭାରତର ବିଶ୍ୱ ଆର୍ଥିକ ମହତ୍ୱାକାଂକ୍ଷା ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ପ୍ରମୁଖ ବଜାର ଠାରୁ ଆଗକୁ ବଢ଼ି ଉତ୍ପାଦନ ଓ ଉଦ୍ଭାବନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବା ଲାଗି ଦେଶ ପାଖରେ ଏକ ସୁଯୋଗ ରହିଛି। ଅଧିକ ଘରୋଇ ମୂଲ୍ୟବୃଦ୍ଧି, ଦୃଢ଼ ଉପକରଣ ଇକୋସିଷ୍ଟମ ଡିଜାଇନ୍ କ୍ଷମତା, ବୌଦ୍ଧିକ ସମ୍ପତ୍ତି ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ସକ୍ଷମ ଭାରତୀୟ ବ୍ରାଣ୍ଡ ପାଇଁ ସେ ଆହ୍ୱାନ କରିଥିଲେ। ସେ କହିଥିଲେ, ଏହି ଯାତ୍ରା ମେକ୍ ଇଣ୍ଡିଆ (ଭାରତରେ ନିର୍ମାଣ)ରୁ ଡିଜାଇନ୍ ଇନ୍ ଇଣ୍ଡିଆ(ଭାରତରେ ଡିଜାଇନ୍), ଇନୋଭେଟ୍ ଇନ୍ ଇଣ୍ଡିଆ (ଭାରତରେ ଉଦ୍ଭାବନ) ଏବଂ ଶେଷରେ ଲିଡ୍ ଫ୍ରମ୍ ଇଣ୍ଡିଆ (ଭାରତର ନେତୃତ୍ୱ) ଦିଗରେ ପ୍ରଗତି ହାସଲ କରିବା ଉଚିତ୍।
ଅନ୍ତର୍ଜାତୀୟ ସ୍ତରରେ ଭାରତର ଆର୍ଥିକ ସମ୍ପର୍କ ବିସ୍ତାର ଲାଗି ଜିଆଇଏଫଟି-ଆଇଏଫଏସି, ଟଙ୍କାରେ ବାଣିଜ୍ୟିକ ସମାଧାନ ଏବଂ ଭାରତର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ଅଧିକ ଆର୍ଥିକ ଗୁରୁତ୍ୱ ସହିତ ବିଶ୍ୱ ବାଣିଜ୍ୟ ଓ ଆର୍ଥିକ କାରବାରକୁ ପରିଚାଳିତ କରୁଥିବା ମାନକ, ନିୟମାବଳୀ ଏବଂ ଅନୁଷ୍ଠାନଗୁଡ଼ିକର ନିର୍ଦ୍ଧାରଣରେ ଅଂଶଗ୍ରହଣ କରିବା କ୍ଷେତ୍ରରେ ଭାରତର ଦାୟିତ୍ୱ ଅଧିକ ରହିବ।
ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ, ଦୃଢ଼ ପ୍ରତିଷ୍ଠାନ, ସ୍ଥିର ନୀତି ଏବଂ ପ୍ରଭାବଶାଳୀ ବିତରଣ ମାଧ୍ୟମରେ ସମୟ ସହିତ ସ୍ଥିରତା ଏବଂ ବିଶ୍ୱସନୀୟତା ନିର୍ମାଣ କରାଯାଏ। ଭାରତର ସାର୍ବଭୌମ ମୂଲ୍ୟାଙ୍କନରେ ଉନ୍ନତି ବହୁ ବର୍ଷ ଧରି ହୋଇଥିବା ପରିବର୍ତ୍ତନର ଏକ ବାହ୍ୟ ପ୍ରତିଫଳନ। ତେବେ ସ୍ଥିରତାରୁ ବିଶ୍ୱସନୀୟତା ଆସିଥାଏ ବୋଲି ସେ ସତର୍କ କରାଇ ଦେଇଥିଲେ।
ଶେଷରେ ଡକ୍ଟର ମିଶ୍ର କହିଥିଲେ, ୨୦୪୭ ମସିହାର ଭାରତ ଆଜି ଭଳି କେବଳ ଏକ ବୃହତ ଜିଡିପି ଥିବା ଦେଶ ହୋଇପାରିବ ନାହିଁ। ଏହା ଏକ ଅଧିକ ଉତ୍ପାଦନକ୍ଷମ, ନବସୃଜନଶୀଳ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ, ଆର୍ଥିକ ଦୃଷ୍ଟିରୁ ଉନ୍ନତ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଅର୍ଥବ୍ୟବସ୍ଥା ହେବା ଆବଶ୍ୟକ। ସେ ସରକାର, ଶିଳ୍ପ, ଆର୍ଥିକ ପ୍ରତିଷ୍ଠାନ, ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଆଗାମୀ ପିଢ଼ିର ଭାରତୀୟ ଉଦ୍ୟୋଗକୁ ଆର୍ଥିକ ସହାୟତା ପ୍ରଦାନ କରିବା କରିବାକୁ ଆହ୍ୱାନ କରିଥିଲେ। ଏହା ସହିତ ଭାରତର ଆର୍ଥିକ ସ୍ତରକୁ ଅଧିକ ଉତ୍ପାଦକ କ୍ଷମତା ଏବଂ ବିଶ୍ୱ ନେତୃତ୍ୱରେ ପରିଣତ କରିବା ପାଇଁ ଏକାଠି କାମ କରିବାକୁ ପରାମର୍ଶ ଦେଇଥିଲେ।


