ସନାତନ ଧର୍ମରେ ପିତୃପକ୍ଷ ବା ଅପରପକ୍ଷର ବିଶେଷ ମହତ୍ତ୍ୱ ରହିଛି। ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ୱିନ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୬ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରାଯାଏ। ଲୋକବିଶ୍ୱାସ ଅନୁଯାୟୀ, ଏହି ସମୟରେ ପୂର୍ବପୁରୁଷମାନେ ପିତୃଲୋକରୁ ଧରାପୃଷ୍ଠକୁ ଆସି ନିଜ ଉତ୍ତରପୁରୁଷଙ୍କ ଗୃହରେ ଅବସ୍ଥାନ କରନ୍ତି। ତେଣୁ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ ସହ ଶାସ୍ତ୍ରୋକ୍ତ ବୃକ୍ଷରୋପଣ ଏବଂ ଦାନ-ପୁଣ୍ୟ କରିବାର ପରମ୍ପରା ରହିଛି। ଆସନ୍ତୁ ଜାଣିବା ପିଣ୍ଡଦାନର ଅନ୍ୟତମ ପବିତ୍ର ତୀର୍ଥକ୍ଷେତ୍ର ‘ପାଦଗୟା’ର ମାହାତ୍ମ୍ୟ ଏବଂ ଏହି ସମୟରେ କେଉଁ ଗଛ ଲଗାଇବା ଓ କେଉଁ ଦାନ କରିବା ସର୍ବୋତ୍ତମ…
ଭାରତରେ ପିଣ୍ଡଦାନର ସର୍ବୋତ୍କୃଷ୍ଟ ପବିତ୍ର ତୀର୍ଥକ୍ଷେତ୍ର ଗୁଡ଼ିକ ହେଲା – ବିହାରର ଶିରୋଗୟା, ଓଡ଼ିଶାର ନାଭିଗୟା ଏବଂ ଆନ୍ଧ୍ରପ୍ରଦେଶର ପାଦଗୟା। ଆନ୍ଧ୍ରର ପାଦଗୟା ପ୍ରସିଦ୍ଧ କୁକୁଟେଶ୍ୱର ଶିବ ମନ୍ଦିର ନିକଟ ପବିତ୍ର ଗୋଦାବରୀ କୂଳରେ ଅବସ୍ଥିତ। ପାଦଗୟାର ଆଧ୍ୟାତ୍ମିକ ବିଶେଷତ୍ୱ ଯେତିକି ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ ଦୃଷ୍ଟିରୁ ତାହା ସେତିକି ଦର୍ଶନୀୟ।
ଆନ୍ଧ୍ରପ୍ରଦେଶର ବନ୍ଦର ନଗରୀ କାକିନାଡ଼ା ନିକଟରେ ଅବସ୍ଥିତ ପ୍ରାଚୀନ ସହର ପିଠାପୁରମ୍। ଏହା ପୂର୍ବକାଳରେ “ପିଠିକା ପୁରମ୍ ଭାବେ ପରିଚିତ ଥିଲା। ଏଠାରେ ରହିଛି ମହାଦେବ କୁକୁଟେଶ୍ୱର ସ୍ୱାମୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ନିକଟରେ ରହିଛି ମହାମାୟାଙ୍କ ମନ୍ଦିର, ଯେଉଁଟି ଦେଶର ୧୮ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ଏଠାରେ ଦେବୀ ସତୀଙ୍କର ପଛଭାଗ ପଡ଼ିଥିବାର ବିଶ୍ୱାସ କରାଯାଏ । ଏହିଠାରେ ହିଁ ଅବସ୍ଥିତ ପ୍ରସିଦ୍ଧ ପବିତ୍ର ପାଦଗୟା କ୍ଷେତ୍ର । ପିତୃପକ୍ଷ ବା ଅପରପକ୍ଷ ସମୟରେ ହଜାର ହଜାର ହିନ୍ଦୁ ନିଜର ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଆସିଥାନ୍ତି। ପୁରାଣ ଉପାଖ୍ୟାନ ଅନୁଯାୟୀ ଏଠାରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ତ୍ରିମୂର୍ତିଙ୍କ ମିଳିତ ସ୍ୱରୂପ ଦତ୍ତାତ୍ରେୟ ସ୍ୱାମୀ ଗୟାସୁରକୁ ବଧ କରିଥିଲେ । ଏପର୍ଯ୍ୟନ୍ତ ଗୟାସୁରର ପାଦଭାଗ ଲମ୍ବିଥିଲା । ଏଣୁ ପାଦଗୟା ଭାବେ ଏହା ପରିଚିତ। ଗୟାସୁରକୁ ଭଗବାନ୍ ଦେଇଥିବା ଆଶୀର୍ବାଦ ଅନୁଯାୟୀ ପାଦଗୟାରେ ଯିଏ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ତଥା ତର୍ପଣ କରିବେ ପିତୃପୁରୁଷ ମୋକ୍ଷ ପ୍ରାପ୍ତ ହେବେ। ଏହି ଅଖଣ୍ଡ ବିଶ୍ୱାସ ଆଜି ବି ବଳବରର। ଏଠାରେ ଦତ୍ତାତ୍ରେୟଙ୍କ ମନ୍ଦିର ବି ରହିଛି।
ପୀଠାପୁରମ୍ କ୍ଷେତ୍ରର ଅଧିଷ୍ଠାତା କୁକୁଟେଶ୍ୱର ସ୍ୱାମୀ ଅନ୍ୟ ଶିବଲିଙ୍ଗ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଶିବଲିଙ୍ଗଟିରେ କୁକୁଡ଼ାର ରୂପ ଅଛି। ପୌରାଣିକ ଉପାଖ୍ୟାନ କହେ ଗୟାସୁର ଶରୀର ଉପରେ ତିନିଦେବତା ଯଜ୍ଞ କରି ଥିଲେ ଏବଂ ତାକୁ ୭ଦିନ ଧରି ସେହିପରି ଅବସ୍ଥାରେ ରହିବାକୁ ହେବ ବୋଲି କହିଥିଲେ। ତେବେ ଭଗବାନ୍ ଶିବ କୁକୁଡ଼ାର ପରି ରାତି ନପାହୁଣୁ ବୋବାଇବାରୁ ଗୟାସୁର ରାତି ପାହିଗଲା ଭାବି ଉଠିପଡ଼ିଥିଲା, ଯାହା ତାକୁ ପ୍ରତିଶ୍ରୁତିରୁ ବିଚ୍ୟୁତ କରିବା ସହିତ ତା’ ପାଇଁ ମରଣର ବାଟ ଫିଟାଇଦେଇଥିଲା । ଗୟାସୁରକୁ ବିଷ୍ଣୁ ଖଣ୍ଡ ଖଣ୍ଡ କରିଦେଇଥିଲେ। କୁକୁଟେଶ୍ୱର ସ୍ୱାମୀଙ୍କ ମନ୍ଦିରର କାରୁକଳା ଅତିବ ମନୋରମ ଏବଂ ବର୍ଣ୍ଣାଢ଼୍ୟ। ଅନ୍ୟପକ୍ଷରେ ଏହି ମନ୍ଦିରର ନିକଟରେ ହିଁ ଗୋଦାବୀର ଅଂଶବିଶେଷ ଭାବେ ରହିଛି ବିରାଟକାୟ ଜଳାଶୟ ଯାହା ପାଦଗୟା ଭାବେ ପରିଚିତ। ଜଳାଶୟ ମଧ୍ୟରେ ରହିଛି ଶୟନରତ ଗୟାସୁରର ମୂର୍ତ୍ତି ଏବଂ ତାହାର ଶରୀର ଉପରେ ତିନି ଦେବତା ଯଜ୍ଞ କରିବାର ଦୃଶ୍ୟ। । ଏହିପରି ଏକାଧକ ଦେବଦେବୀ ସମ୍ମିଳିତ ହୋଇଥିବା ପିଠାପୁରମ୍ । କ୍ଷେତ୍ର ‘ଦକ୍ଷିଣ କାଶୀ’ ନାମରେ ମଧ୍ୟ ଖ୍ୟାତ । ଏହାର ଦର୍ଶନ କରି ତ୍ରିଦେବଙ୍କର କୃପା ପାଇବା ଏବଂ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ଆଶୀର୍ବାଦ ପ୍ରାପ୍ତ ହେବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।
ପିତୃପକ୍ଷରେ ଲଗାଇବେ କେଉଁ ବୃକ୍ଷ
ଶାସ୍ତ୍ର ମତରେ କେତୋଟି ନିର୍ଦ୍ଦିଷ୍ଟ ବୃକ୍ଷରେ ଦିବଂଗତ ଆତ୍ମାମାନେ ବାସ କରିଥାନ୍ତି। ଏହି ବୃକ୍ଷ ପିତୃପକ୍ଷ ସମୟରେ ଲଗାଇଲେ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ଏବଂ ଏହାର ସୁପ୍ରଭାବ ପରିବାର ଉପରେ ପଡ଼ିଥାଏ।
ଆସନ୍ତୁ ଜାଣିବା ପିତୃପକ୍ଷରେ କେଉଁ ଗଛ ଲଗାଇବା ଉଚିତ
ଅଶ୍ୱତ୍ଥ ବୃଷ: ଭଗବାନ୍ କୃଷ୍ଣ ଗୀତାରେ ସେ ସ୍ୱୟଂ ବୃକ୍ଷ ମଧ୍ୟରେ ଅଶ୍ୱତ୍ଥ ବୋଲି ଅଭିହିତ କରିଛନ୍ତି। ଏହି ଦିବ୍ୟ ବୃକ୍ଷରେ ପିତୃପୁରୁଷ ବାସ କରିଥାନ୍ତି ବୋଲି ଶାସ୍ତ୍ର କହେ। ଏଣୁ ପିତୃପକ୍ଷରେ ଏକ ପବିତ୍ର ଉପଯୁକ୍ତ ସ୍ଥାନ ଦେଖି ଅଶ୍ୱତ୍ଥ ଚାରା ଲଗାନ୍ତୁ ଏବଂ ଏହାର ଯତ୍ନ ନିଅନ୍ତୁ। ଘର ପାଖରେ ଥିବା ଅଶ୍ୱତ୍ଥ ଗଛରେ ସ୍ନାନ ପରେ ଜଳ ଅର୍ପଣ କରନ୍ତୁ। ଏହା ଦ୍ୱାରା ଅଧାରେ ଅଟକି ଯାଇଥବା କୌଣସି କାମ ପୂରଣ ହେବାରେ ବାଧା ରହିବ ନାହିଁ । ପରିବାରରେ ସୁଖ ବଢ଼ିବ।
ବରଗଛ: ଜ୍ୟୋତିଷୀ କହେ ବରଗଛକୁ ମୋକ୍ଷ ତଥା ଦୀର୍ଘାୟୁ ପ୍ରଦାନକାରୀ ବୃକ୍ଷ ଭାବେ ଗ୍ରହଣ କରାଯାଏ । ଶାସ୍ତ୍ର ମତାନୁସାରେ ପିତୃପକ୍ଷ ସମୟରେ ବରଗଛ ଲଗାଇଲେ ପିତୃପୁରୁଷ ପ୍ରସନ୍ନ ହୁଅନ୍ତି। ଏହା ସହିତ ପରିବାରିକ ଚିନ୍ତା ଦୂରାଇ ଦେଇଥାଏ।
ତୁଳସୀ ବୃକ୍ଷ: ତୁଳସୀ ଅତି ପବିତ୍ର। ପ୍ରତ୍ୟେକ ହିନ୍ଦୁ ପରିବାର ଏହି ଗଛଟିକୁ ନିଜ ଅଗଣାରେ ଲଗାଇ ପୂଜା କରିବା ଦେଖାଯାଇଥାଏ। କୌଣସି ବ୍ୟକ୍ତିର ଶେଷ ସମୟରେ ତା’ପାଟିରେ ତୁଳସୀ ଜଳ ଦେଲେ ତା’ର ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ପିତୃପକ୍ଷ ସମୟରେ ତୁଳସୀ ଗଛ ଲଗାଇବା ଜରୁରି।
ପିତୃପକ୍ଷରେ ଦାନର ମହତ୍ତ୍ୱ
ଲୋକ ବିଶ୍ୱାସ ଅନୁଯାୟୀ, ପିତୃପକ୍ଷ ସମୟରେ ପୂର୍ବପୁରୁଷଗଣ ପିତୃଲୋକ ତ୍ୟାଗ କରି ନିଜ ନିଜର ଉତ୍ତର ପୁରୁଷଙ୍କ ଘରେ ଅବସ୍ଥାନ କରିଥାନ୍ତି। ଏହିପକ୍ଷରେ ପିତୃପୁରୁଷଙ୍କୁ ତର୍ପଣ ଓ ପିଣ୍ଡଦାନ କରାଯାଏ। ତେବେ ପିତୃପକ୍ଷରେ ଦାନ-ପୁଣ୍ୟର ବିଶେଷ ମହତ୍ତ୍ୱ ଅଛି।
ପିତୃପକ୍ଷରେ ରୁପା ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ। କୁହାଯାଏ, ରୂପା ଦାନ କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ ଏବଂ ସେମାନଙ୍କ ଆଶୀର୍ବାଦ ମିଳିଥାଏ।
ଚାଉଳ, ରାଶି ଦାନ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇଥାଏ। ପିତୃପକ୍ଷରେ ଭୂମି ଦାନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହା ଦ୍ୱାରା ପାପ ଓ ପିତୃଦୋଷରୁ ମୁକ୍ତି ମିଳେ।
ପିତୃପକ୍ଷରେ ଗୁଡ଼ ଦାନ ମଧ୍ୟ ଲାଭକାରୀ। ଗୁଡ଼ ଦାନ ଦ୍ୱାରା ପରିବାରରେ ସୁଖ, ସମୃଦ୍ଧି ବୃଦ୍ଧି ପାଏ। ପିତୃପକ୍ଷରେ ଗୋ ଦାନ ଦ୍ୱାରା କାର୍ଯ୍ୟରେ ବିଘ୍ନ ଦୂର ହୁଏ।


