ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡବଜାର ଥାନା ପୋଲିସ ଅତର୍କିତ ଭାବେ ଓମ୍ ନଗର ନିକଟସ୍ଥ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ଉପରେ ଚଢ଼ାଉ କରିଥିଲା। ସେଠାରୁ ୫ ଜଣ ଯୁବକ ଯଥା ଓମ୍ ଦାସ, ସୁମନ୍ ପଟନାୟକ, ନିଖିଲ ଯେନା, ରୋହନ୍ ବିଷୋୟୀ ଓ ପ୍ରେମ୍ କୁମାର ସାହୁଙ୍କୁ ପୋଲିସ କାବୁ କରିଥିଲା। ଏହା ସହ ସେମାନଙ୍କ ଠାରୁ ୩ଟି ଖଣ୍ଡା, ଦୁଇଟି ଲୁହାଛଡ ଓ କିଛି ଜୀବନ୍ତ ବୋମା ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଥାନାରେ ଜେରା କରିବା ବେଳେ ସେମାନେ ରାସ୍ତାରେ ଯାଉଥିବା ବଡ଼ ବଡ଼ ମାଲଗାଡି ଓ ଅଞ୍ଚଳର କିଛି ବଡ ବଡ ଘରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ମାମଲା ରୁଜୁ କରି ଉକ୍ତ ସମସ୍ତ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


