ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ନୂତନ ଭାବେ ଆସିଥିବା ଅତିଥିଙ୍କୁ ଭେଟି ସେମାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ସେ କ୍ୱାରେଣ୍ଟାଇନ୍ ଗୃହକୁ ଯାଇ ନବଆଗତ ଓରାଙ୍ଗଉଟାନ୍ ଶିଶୁମାନଙ୍କ ସହ ଅନ୍ୟ ବିଦେଶୀ ଜନ୍ତୁମାନଙ୍କ ଗତିବିଧି, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟାବସ୍ଥା ନିଜେ ପରିଦର୍ଶନ କରିବା ସହ ଅଧିକାରୀଙ୍କଠାରୁ ବିସ୍ତୃତ ତଥ୍ୟ ନେଇଛନ୍ତି। ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ମନ୍ତ୍ରୀ ନୂତନ ଜନ୍ତୁମାନଙ୍କ ପାଇଁ କରାଯାଇଥିବା ଖୁଆଡ଼ର ସ୍ଥିତି ବୁଲି ଦେଖିବା ସହ ସେମାନଙ୍କର ନିୟମିତ ଚିକିତ୍ସା, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଉତ୍ତମ ଯତ୍ନ ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଓ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ପ୍ରାଣୀଉଦ୍ୟାନରେ ରହୁଥିବା ସମସ୍ତ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନୁକୂଳ ପରିବେଶ ବଜାୟ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।


