ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ D.El.Ed ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ବଡ଼ ସୂଚନା। ଓଡ଼ିଶା ବନ୍ଦ ଯୋଗୁଁ D.El.Ed ପରୀକ୍ଷା ସ୍ଥଗିତ ହେବ କି ନାହିଁ, ଏନେଇ ପରୀକ୍ଷାର୍ଥୀଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି।
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶା ବନ୍ଦ ପାଇଁ D.El.Ed ପରୀକ୍ଷା ସ୍ଥଗିତ କରାଯିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ସୂଚୀ ଅନୁସାରେ ପରୀକ୍ଷା ସ୍ୱାଭାବିକ ଭାବେ ଅନୁଷ୍ଠିତ ହେବ। ତେଣୁ ପରୀକ୍ଷାର୍ଥୀମାନେ ବନ୍ଦକୁ ନେଇ କୌଣସି ଦ୍ୱନ୍ଦ୍ୱରେ ନରହି ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।
ସୂଚନା ଅନୁସାରେ, D.El.Ed ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାରେ ମୋଟ ୧୨,୧୨୫ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୬୪ଟି ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି।
ଅନ୍ୟପଟେ, ଓଡ଼ିଶା ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ ହେବାକୁ ଥିବାରୁ ପରୀକ୍ଷାର୍ଥୀଙ୍କ ଯାତାୟାତକୁ ନେଇ ଚିନ୍ତା ରହିଛି। ତେବେ D.El.Ed ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ହେଉନଥିବାରୁ ପରୀକ୍ଷାର୍ଥୀମାନେ ପୂର୍ବରୁ ନିଜ ଯାତାୟାତ ବ୍ୟବସ୍ଥା କରି ପରୀକ୍ଷା କେନ୍ଦ୍ରରେ ସମୟ ପୂର୍ବରୁ ପହଞ୍ଚିବା ଜରୁରୀ। ଏହି ସ୍ପଷ୍ଟୀକରଣ ପରେ D.El.Ed ପରୀକ୍ଷାର୍ଥୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି।


