ୱାଶିଂଟନ୍: ୨୦୨୬ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଏହି ବିଶ୍ୱର ସର୍ବୋଚ୍ଚ ସମ୍ମାନ ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ନିଜ କାର୍ଯ୍ୟକାଳ ମଧ୍ୟରେ ୮ଟି ବଡ଼ ଯୁଦ୍ଧକୁ ଅଟକାଇବା ସହ ସମଗ୍ର ବିଶ୍ୱକୁ ଧ୍ୱଂସମୁଖରୁ ବଞ୍ଚାଇଥିବାରୁ ଏଥର ତାଙ୍କୁ ଏହି ପୁରସ୍କାର ମିଳିବା ନିହାତି ଉଚିତ। ଏପରିକି ଯଦି ନୋବେଲ କମିଟି ତାଙ୍କୁ ଏହି ସମ୍ମାନରୁ ବଞ୍ଚିତ କରେ, ତେବେ କମିଟି ନିଜେ ବଦନାମ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାସହ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନୋବେଲ ମିଳିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଓବାମାଙ୍କୁ କେଉଁ କାରଣରୁ ଏହି ପୁରସ୍କାର ଦିଆଯାଇଥିଲା, ତାହା ବୋଧହୁଏ ଓବାମା ନିଜେ ମଧ୍ୟ ଜାଣିନାହାନ୍ତି।
ଟ୍ରମ୍ପ୍ ନୋବେଲ ଶାନ୍ତି ପୁରସ୍କାର ଦାବି କରିବା କିଛି ନୂଆ କଥା ନୁହେଁ। ଗତ ୬ ବର୍ଷ ଧରି ସେ କ୍ରମାଗତ ଭାବେ ଏହି ସମ୍ମାନ ପାଇଁ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ୨୦୧୮ ଅକ୍ଟୋବରରେ କୋରିଆ ଏବଂ ସିରିଆରେ ଶାନ୍ତି ପ୍ରତିଷ୍ଠା ଚେଷ୍ଟା ବିଷୟରେ କହି ସେ ପ୍ରଥମ କରି ଏହି ପ୍ରସଙ୍ଗ ଉଠାଇଥିଲେ। ପରେ ୨୦୧୯ ଫେବୃଆରୀରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ନାମ ସୁପାରିଶ କରିଥିବା ଦାବି କରି ନିରପେକ୍ଷ ବିଚାର ହେଲେ ତାଙ୍କୁ ନୋବେଲ ମିଳିବା ଉଚିତ ବୋଲି କହିଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଏବଂ ୨୦୨୫ରେ ମଧ୍ୟ ସେ ସମାନ ଦାବି ଦୋହରାଇଥିଲେ।
ଅନ୍ୟପକ୍ଷରେ, ଏଥର ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଯୁଦ୍ଧ ଓ ହିଂସା ବିରୋଧରେ କ୍ରମାଗତ ସ୍ୱର ଉଠାଉଥିବା ପୋପ୍ ଲିଓ ପ୍ରମୁଖ ଦାବିଦାର ଭାବେ ଆଗରେ ରହିଛନ୍ତି। ତାଙ୍କ ବ୍ୟତୀତ ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ (ICC), ଆନ୍ତର୍ଜାତୀୟ ନ୍ୟାୟାଳୟ (ICJ) ଏବଂ ଗାଜା ଓ ପାଲେଷ୍ଟାଇନ ଅଞ୍ଚଳରେ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧି ଫ୍ରାନସିସ୍କୋ ଆଲବାନିଜ୍ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ତେବେ ନୋବେଲ କମିଟି ନିଜ ନାମାଙ୍କନ ତାଲିକାକୁ ୫୦ ବର୍ଷ ପର୍ଯ୍ୟନ୍ତ ଗୋପନ ରଖୁଥିବାରୁ ଏମାନଙ୍କ ମଧ୍ୟରୁ କାହାକୁ ଶେଷରେ ଏହି ପୁରସ୍କାର ମିଳିବ, ତାହା ଘୋଷଣା ପରେ ହିଁ ସ୍ପଷ୍ଟ ହେବ।


