ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରିପୋଖରୀସ୍ଥିତ ନାଆମି କଲେଜରେ ନିର୍ବାଚନ ବାତିଲ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଦିନ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ବିଭିନ୍ନ ପଦବିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଛାତ୍ରଛାତ୍ରୀ ଓ ଛାତ୍ରନେତାମାନେ ପ୍ରସ୍ତୁତି ଚଳାଇଥିଲେ। ତେବେ ସକାଳୁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ବାତିଲ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହେବା ପରେ ପରିସ୍ଥିତି ବଦଳିଯାଇଥିଲା।
ନିର୍ବାଚନ ବାତିଲକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ
ଭଦ୍ରକ ମହିଳା କଲେଜରେ ନିର୍ବାଚନ ବାତିଲ ନିଷ୍ପତ୍ତିକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲକ୍ଷ୍ୟରେ କଲେଜ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ପୁଲିସ ନଜର ରଖିଛି।
ଅନ୍ୟପଟେ, ଭଣ୍ଡାରିପୋଖରୀର ନାଆମି କଲେଜରେ ମଧ୍ୟ ନିର୍ବାଚନ ବାତିଲ ହୋଇଥିବା ଜଣାପଡ଼ିଛି। ତେବେ ଦୁଇଟି କଲେଜରେ ନିର୍ବାଚନ ବାତିଲ କରିବାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ନିଷ୍ପତ୍ତି ପରେ କଲେଜ ପରିସରରେ ଉତ୍ତେଜନା ଓ ଅସନ୍ତୋଷର ପରିସ୍ଥିତି ସୃଷ୍ଟି ହୋଇଛି।


