ଭୁବନେଶ୍ୱର: ପାର୍ବଣ ଋତୁ ଆସିଲେ ସାଧାରଣତଃ ସହରର ବଜାରଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ ଏବଂ ବ୍ୟବସାୟୀମାନେ ନିଜର ବିକ୍ରିବଟା ବୃଦ୍ଧି ନେଇ ବେଶ୍ ଆଶାବାଦୀ ଥାଆନ୍ତି। ହେଲେ ଚଳିତ ପାର୍ବଣ ଋତୁରେ ରାଜଧାନୀ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ସହରରେ ଗାଡ଼ିମୋଟର ଓ ଗ୍ରାହକଙ୍କ ଭିଡ଼ ବଢ଼ୁଥିଲେ ବି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନଥିବାରୁ ବ୍ୟବସାୟ ବଢ଼ିବା ବଦଳରେ କମିବାରେ ଲାଗିଛି। କିଣାକିଣି ପାଇଁ ଘରୁ ବାହାରୁଥିବା ଲୋକମାନେ ଉପଯୁକ୍ତ ପାର୍କିଂ ସ୍ଥାନ ନପାଇ ଦୋକାନ ଦୁଆର ମୁହଁରୁ ହିଁ ନିରାଶ ହୋଇ ଫେରିଯାଉଛନ୍ତି, ଯାହାକି ଏବେ ରାଜଧାନୀର ବ୍ୟବସାୟୀମାନଙ୍କ ନିନ୍ଦ କୁଡ଼ାଇ ଦେଇଛି।
ରାଜଧାନୀର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଶେଷ କରି ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହି ରାସ୍ତା ପାର୍ଶ୍ୱରେ ପୋଷାକପତ୍ରଠାରୁ ଆରମ୍ଭ କରି ପ୍ରସିଦ୍ଧ ସୁନାଗହଣା ଦୋକାନ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସୋ’ରୁମ୍ ରହିଛି। ହେଲେ ଏହିସବୁ ପ୍ରତିଷ୍ଠାନଗୁଡ଼ିକ ସାମ୍ନାରେ ଜରୁରୀ ପାର୍କିଂ ସ୍ଥାନର ଘୋର ଅଭାବ ଦେଖାଦେଇଛି। ଯେତିକି ବି ସ୍ୱଳ୍ପ ସ୍ଥାନ ଉପଲବ୍ଧ ଅଛି, ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀମାନେ ସକାଳୁ ଆସି ନିଜ ନିଜର ଯାନବାହାନ ରଖିଦେଉଛନ୍ତି। ଫଳରେ ଗ୍ରାହକଙ୍କ ପାଇଁ ଆଉ ସ୍ଥାନ ବଳୁନାହିଁ। ଆଉ ଯେଉଁ କାଁ ଭାଁ ଗ୍ରାହକ ଗାଡ଼ି ରଖିବାର ସୁଯୋଗ ପାଉଛନ୍ତି, ସେମାନେ ଘଣ୍ଟା ଘଣ୍ଟା ଧରି ଗାଡ଼ି କାଢ଼ୁ ନଥିବାରୁ ଅନ୍ୟମାନଙ୍କ ପାଇଁ ସମସ୍ୟା ଆହୁରି ଜଟିଳ ହେଉଛି।
ଅନ୍ୟପଟେ ଜନପଥର ଅପରପାର୍ଶ୍ୱ ଅର୍ଥାତ୍ ରାଜମହଲଠାରୁ ବାଣୀବିହାର ପର୍ଯ୍ୟନ୍ତ ସଡ଼କ ପାର୍ଶ୍ୱରେ ଯଦିଓ କିଛି ପାର୍କିଂ ସ୍ଥାନ ରହିଛି, ହେଲେ ଲୋକେ ସେଠାରେ ଗାଡ଼ି ରଖି ଅନ୍ୟପଟକୁ ଯିବାକୁ ଭୟ କରୁଛନ୍ତି। ଜନପଥର କୌଣସି ବି ସ୍ଥାନରେ ଉପରପୋଲ ବା ଫ୍ଲାଇଓଭର ନଥିବାରୁ ରାସ୍ତା ମଝିରେ ଥିବା ଲୁହା ବାଡ଼ ଏବଂ ଦ୍ରୁତଗାମୀ ଯାନବାହାନର ଭିଡ଼ ଭିତରେ ରାସ୍ତା ପାର୍ ହେବା ଜୀବନପ୍ରତି ବିପଦପୂର୍ଣ୍ଣ ସାବ୍ୟସ୍ତ ହେଉଛି।
ସହରର ପାର୍କିଂ ସମସ୍ୟାର ସମାଧାନ ପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଶହୀଦ ନଗର ଏବଂ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଦୁଇଟି ବହୁତଳ ପାର୍କିଂ ସ୍ଥଳ ନିର୍ମାଣ କରିଛନ୍ତି। ହେଲେ ଏହି ବ୍ୟବସ୍ଥା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଶହୀଦ ନଗରରେ ନିର୍ମିତ ପାର୍କିଂ ସ୍ଥାନଠାରୁ ମୁଖ୍ୟ ବଜାର ବହୁ ଦୂରରେ ଥିବାରୁ ଲୋକେ ସେଠାକୁ ଯିବାକୁ ପସନ୍ଦ କରୁନାହାନ୍ତି। ସେହିପରି ୟୁନିଟ୍-୨ ଅଞ୍ଚଳରେ ଅଧିକ ଦର ଦେଇ ଗାଡ଼ି ରଖିବା ଅପେକ୍ଷା ଲୋକେ ଆଖପାଖ ଗଳିକନ୍ଦିରେ ବେଆଇନ ଭାବେ ଗାଡ଼ିମୋଟର ରଖିବାକୁ ଶ୍ରେୟସ୍କର ମଣୁଛନ୍ତି।
ଏହିଭଳି ସଙ୍କଟଜନକ ପରିସ୍ଥିତି ଭିତରେ ସାଧାରଣ ଲୋକ ଓ ବ୍ୟବସାୟୀ ହନ୍ତସନ୍ତ ହେଉଥିବା ବେଳେ କିଛି ଗାଡ଼ିଟଣା ସଂସ୍ଥାର ବ୍ୟବସାୟ କିନ୍ତୁ ବେଶ୍ ଚାଲିଛି। ସହରରୁ ଗୋଟିଏ ଗାଡ଼ି ଟାଣି ନେଲେ ଏହି ସଂସ୍ଥାଗୁଡ଼ିକ ୭୦୦ ଟଙ୍କା ପାଉଥିବା ବେଳେ ସରକାରୀ ତହବିଲକୁ ୫୦୦ ଟଙ୍କା ଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ମାର୍କେଟର ମୁଖ୍ୟ ରାସ୍ତା ସମେତ ଚାରିପାଖରେ ବେପରୁଆ ଭାବେ ଚାରିଚକିଆ ଯାନସବୁ ପାର୍କିଂ କରାଯାଉଥିବାରୁ ପୂରା ମାର୍କେଟ ଅଞ୍ଚଳ ଏବେ ଗମନାଗମନ ପାଇଁ ମରଣଯନ୍ତା ପାଲଟିଛି। ପାର୍ବଣ ଋତୁରେ ପାର୍କିଂ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଶାସନ ତୁରନ୍ତ କୌଣସି ପଦକ୍ଷେପ ନନେଲେ ବ୍ୟବସାୟୀମାନେ ଅଧିକ କ୍ଷତିସହିବେ ବୋଲି ମତପ୍ରକାଶ ପାଇଛି।


