ଭୁବନେଶ୍ୱର: ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ ପାଇଁ ଉଦ୍ଦିଷ୍ଟ କମିଟି ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାରେ ନଥିବା ବେଳେ ଏହାକୁ ଦୁଇ ମାସ ମଧ୍ୟରେ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେସ କାଉନସିଲ୍ ଅଫ ଇଣ୍ଡିଆ। ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରେସ୍ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପିସିଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ରାଜ୍ୟରେ ଶତାଧିକ ଆବେଦନ ପଡ଼ିରହିଥିବାବେଳେ ଦୀର୍ଘ ୨୦୦୬ ମସିହାରୁ ଅଧିସ୍ୱୀକୃତି କମିଟି ଗଠିତ ନହେବା ଓ ରାଜ୍ୟସରକାର ପିସିଆଇଙ୍କ ଏବବାଦ ନିର୍ଦ୍ଦେଶକୁ ନମାନିବା ଉଦବେଗର ବିଷୟ ବୋଲି ଉଲ୍ଲେଖ କରିଛନ୍ତି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କାରିବାକୁ ସେ ମଧ୍ୟ ଦାବି କରିଥିଲେ। ପ୍ରେସ୍ କାଉନସିଲ ଚେୟାରମ୍ୟାନ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ସହ ଅନ୍ୟ ରାଜ୍ୟମାନଙ୍କରେ ଅଧିସ୍ୱୀକୃତି କମିଟିର ସ୍ଥିତି ଜାଣିବା ପାଇଁ ଚିଠି ଲେଖିବାକୁ କହିଥିଲେ। ସେହିପରି କୋଭିଡ୍ କାଳରୁ ବନ୍ଦ୍ ରହିଥିବା ସାମ୍ବାଦିକଙ୍କ ରିହାତି ରେଳ ଯାତ୍ରା ସୁବିଧାର ପୁନଃ ପ୍ରଚଳନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଏବଂ ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ଉପରେ ପୁଲିସ ନେଉଥିବା ଦମନ ମୂଳକ କାର୍ଯ୍ୟାନୁଷ୍ଠାନ ବାବଦରେ କାଉନସିଲର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ କାଉନସିଲ କମିଟି ଗଠନ କରିବା ସହ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସ୍ଥିର ହୋଇଛି।


