ଭୁବନେଶ୍ୱର: ଓଡ଼ିଶାରେ ପୋଲିସ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪କୁ ନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି ହୋଇଛି। ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ନିଜର ତଥ୍ୟ ଅପଡେଟ୍ କରିବା ସହ ଏହାର ବୈଧିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକ୍ରିୟା ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ ଏବଂ ୨୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାର୍ଥୀମାନେ ଏହି କାର୍ଯ୍ୟ ଶେଷ କରିବା ଆବଶ୍ୟକ।
ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ OUSSSCର ଅଫିସିଆଲ୍ ୱେବସାଇଟ୍ ousssc.odisha.gov.inକୁ ଯାଇ ଲଗ୍ଇନ୍ କରି ନିଜର ତଥ୍ୟ ଅପଡେଟ୍ କରିପାରିବେ। ତେଣୁ ଆବେଦନକାରୀମାନେ ୱେବସାଇଟ୍ରେ ଉପଲବ୍ଧ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ।
କମିଶନଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ପ୍ରାର୍ଥୀମାନଙ୍କ ତଥ୍ୟର ସଠିକତା ଯାଞ୍ଚ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବୈଧିକୃତ ତଥ୍ୟକୁ ପରବର୍ତ୍ତୀ ପରୀକ୍ଷା ଓ ନିଯୁକ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟବହାର କରାଯିବ।
ତେଣୁ ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେବା ସହ ଧାର୍ଯ୍ୟ ସମୟସୀମା ପୂର୍ବରୁ ନିଜର ତଥ୍ୟ ଅପଡେଟ୍ ଓ ବୈଧିକରଣ କରିନେବାକୁ ପରାମର୍ଶ ଦିଆଯାଇଛି।


