ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ। ମତଦାନ ପୂର୍ବରୁ ପ୍ରାର୍ଥୀମାନଙ୍କ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ ବେଳେ ଭୁବନେଶ୍ୱରରୁ ବାରିପଦା ପର୍ଯ୍ୟନ୍ତ ବିଭିନ୍ନ କଲେଜ କ୍ୟାମ୍ପସରେ ଉତ୍ତେଜନା, ଧମକଚମକ ଓ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି। କଡ଼ା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଆଜି ହିଁ ସନ୍ଧ୍ୟା ସୁଦ୍ଧା ନୂଆ ନେତୃତ୍ୱଙ୍କ ନାମ ଘୋଷଣା କରାଯିବ। କଲେଜରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭୋଟ୍ ଗଣତି ଓ ଫଳ ଘୋଷଣା କରାଯିବ। ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅକ୍ଟୋବର ୧୬ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ। ସେହିପରି ଯେଉଁସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୂର୍ବରୁ ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟ ଲାଭ କରିଛନ୍ତି ସେମାନେ ମଧ୍ୟ ୧୬ତାରିଖ ଦିନ ଶପଥ ଗ୍ରହଣ କରିବେ। କଲେଜ ୟୁନିଫର୍ମ ଓ ପରିଚୟ ପତ୍ର ନଥିଲେ କ୍ୟାମ୍ପସକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।


