ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ ଉପରେ କଟକଣା ଲଗାଇଛି। ଏହି ନିଷ୍ପତ୍ତି ଯୋଗୁଁ ରୁଷ୍ ବିରୋଧରେ ଲଢ଼ୁଥିବା ୟୁକ୍ରେନୀୟ ସେନାର ଯୋଗାଯୋଗ ଏବଂ ଡ୍ରୋନ୍ ପରିଚାଳନା ଭଳି ଗୁରୁତର ସାମରିକ ଅପରେସନ୍ ପ୍ରଭାବିତ ହୋଇଥିବା କିଭ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରୁଷର ଡ୍ରୋନ୍ ରୋକିବାରେ ମଧ୍ୟ ବ୍ୟବହାର ହୁଏ ଷ୍ଟାରଲିଙ୍କ୍। ଷ୍ଟାରଲିଙ୍କ୍ ମହାକାଶରେ ଥିବା ଉପଗ୍ରହ (ସାଟେଲାଇଟ୍) ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇଥାଏ। ୟୁକ୍ରେନୀୟ ସେନା ଏହାକୁ ସୈନ୍ୟମାନଙ୍କ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ଏବଂ ଦୂରରେ ରହି ଡ୍ରୋନ୍ ପରିଚାଳନା କରିବା ପାଇଁ ବ୍ୟବହାର କରିଥାଏ। ଏହି ଡ୍ରୋନ୍ ସାହାଯ୍ୟରେ ରୁଷୀୟ ଠିକଣା ଉପରେ ଆକ୍ରମଣ କରାଯାଏ। ଏହା ପୂର୍ବରୁ ଫେବୃଆରୀ ମାସରେ ମସ୍କ ରୁଷୀୟ ସେନା ପାଇଁ ଷ୍ଟାରଲିଙ୍କ୍ ସେବା ବନ୍ଦ କରିଦେଇଥିଲେ। ଏହା ଫଳରେ ରୁଷକୁ ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ତାହାର କମାଣ୍ଡର ତଥା ସୈନିକମାନଙ୍କ ମଧ୍ୟରେ ଥିବା ତାଳମେଳ ବିଗିଡ଼ି ଯାଇଥିଲା। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଇଣ୍ଟରନେଟର ଗତି କମିଯିବା ଯୋଗୁଁ ସେନାକୁ ସାମଗ୍ରୀ ପହଞ୍ଚାଇବା, ଡ୍ରୋନ୍ ଉଡ଼ାଇବା ଏବଂ ଆକ୍ରମଣ ସମ୍ବନ୍ଧୀୟ ମିଶନ ପରିଚାଳନାରେ ଗୁରୁତର ସମସ୍ୟା ଦେଖାଦେଉଛି।


