ନୂଆଦିଲ୍ଲୀ: ଧର୍ମାନ୍ତରଣ ଏବଂ ଆରକ୍ଷଣ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ସୁଦୂରପ୍ରସାରୀ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ହିନ୍ଦୁ ଧର୍ମରୁ ଇସଲାମ୍ ଧର୍ମ ଗ୍ରହଣ କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନଙ୍କର ଛାଡ଼ି ଆସିଥିବା କାତି କିମ୍ବା ବର୍ଗ ସ୍ଥିତି ଆଧାରରେ ପଛୁଆ ବର୍ଗ ଅଧୀନରେ ଆରକ୍ଷଣ ମିଳିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଧର୍ମାନ୍ତରିତ ମୁସଲିମମାନଙ୍କୁ ଆରକ୍ଷଣ ଦେବା ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ଖାରଜ କରି ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।
ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ର ଏବଂ ନ୍ୟାୟମୂର୍ତ୍ତି ଶ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କୌଣସି ବ୍ୟକ୍ତି ହିନ୍ଦୁ ସାମାଜିକ ବ୍ୟବସ୍ଥା ଛାଡ଼ି ଅନ୍ୟ କୌଣସି ଗୋଷ୍ଠୀରେ ସାମିଲ ହେବା ପରେ ତାଙ୍କର ପୂର୍ବ ସାମାଜିକ ଅନଗ୍ରସରତା ନୂତନ ସାମାଜିକ ବ୍ୟବସ୍ଥାକୁ ସ୍ୱୟଂଚାଳିତ ଭାବେ ସ୍ଥାନାନ୍ତରିତ ହୋଇପାରିବ ନାହିଁ। ଇସଲାମ୍ ଭଳି ଅଣ-ହିନ୍ଦୁ ଗୋଷ୍ଠୀକୁ ଧର୍ମାନ୍ତରିତ ହେବା ଦ୍ୱାରା ନିଜେ ନିଜେ କୌଣସି ନିର୍ଦ୍ଦିଷ୍ଟ ପଛୁଆ ଜାତିର ସଦସ୍ୟତା ପ୍ରାପ୍ତ ହୁଏ ନାହିଁ। ତେଣୁ କେବଳ ଧର୍ମାନ୍ତରଣକୁ ଆଧାର କରି ଜଣେ ବ୍ୟକ୍ତି ପଛୁଆ ବର୍ଗ (ମୁସଲିମ୍) ଶ୍ରେଣୀରେ ଆରକ୍ଷଣ ଦାବି କରିପାରିବେ ନାହିଁ।
ତାମିଲନାଡୁ ସରକାର ୨୦୨୪ ମସିହାରେ ଏକ ଆଦେଶ ଜାରି କରି ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ବିଜ୍ଞାପିତ ସମ୍ପ୍ରଦାୟ କିମ୍ବା ଅନୁସୂଚିତ ଜାତିରୁ ଇସଲାମ୍କୁ ଧର୍ମାନ୍ତରିତ ହୋଇଥିବା ବ୍ୟକ୍ତିମାନଙ୍କୁ ପଛୁଆ ବର୍ଗ (ମୁସଲିମ୍) ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ନିର୍ଦ୍ଧାରିତ ସାତୋଟି ସମ୍ପ୍ରଦାୟ ମଧ୍ୟରୁ ଗୋଟିଏରେ ସାମିଲ କରି ସେମାନଙ୍କୁ ସାମାଜିକ ପ୍ରମାଣପତ୍ର ଏବଂ ଆରକ୍ଷଣ ସୁବିଧା ଯୋଗାଇବାକୁ ନିୟମ କରିଥିଲେ। ମାନ୍ଦ୍ରାଜ ଉଚ୍ଚନ୍ୟାୟାଳୟ ଏହି ସରକାରୀ ଆଦେଶକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଯୁକ୍ତି ଦର୍ଶାଇଥିଲେ ଯେ, ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଥିବା ବ୍ୟକ୍ତିମାନେ କେବଳ ଧର୍ମ ପରିବର୍ତ୍ତନ ହେତୁ ଆରକ୍ଷଣ ସୁବିଧାରୁ ବଞ୍ଚିତ ହେବା ଉଚିତ ନୁହେଁ।
ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ, ସମ୍ବିଧାନର ୧୬(୪) ଧାରା ଅଧୀନରେ ଥିବା ଆଇନଗତ ସୁବିଧା, ସୁରକ୍ଷା କିମ୍ବା ଆରକ୍ଷଣ ଅଧିକାର କୌଣସି ନିର୍ଦ୍ଦିଷ୍ଟ ସାମାଜିକ ବ୍ୟବସ୍ଥା ଉପରେ ଆଧାରିତ। ହିନ୍ଦୁ ସାମାଜିକ ସ୍ଥିତି ଛାଡ଼ି ଇସଲାମ୍, ଖ୍ରୀଷ୍ଟଧର୍ମ କିମ୍ବା ଅନ୍ୟ କୌଣସି ଅଣ-ହିନ୍ଦୁ ଗୋଷ୍ଠୀକୁ ଅଙ୍ଗୀକାର କରିବା ଦ୍ୱାରା ସେହି ପୂର୍ବ ଆଧାରଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଏହାସହିତ ପୁନଃ-ଧର୍ମାନ୍ତରଣ ସମ୍ପର୍କରେ ମଧ୍ୟ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ରଖିଛନ୍ତି। ଯଦି ଜଣେ ବ୍ୟକ୍ତି ହିନ୍ଦୁ ସମାଜରୁ ଅନ୍ୟ ଧର୍ମ ଗ୍ରହଣ କରିବା ପରେ ପୁଣି ଥରେ ନିଜର ମୂଳ ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ଫେରିଆସନ୍ତି, ତେବେ ସେମାନଙ୍କୁ ସ୍ୱୟଂଚାଳିତ ଭାବେ ଆରକ୍ଷଣ ସୁବିଧା ମିଳିବ ନାହିଁ। ପୁନଃ-ଧର୍ମାନ୍ତରଣ ପରେ ସେମାନଙ୍କର ମୂଳ ଜାତି କିମ୍ବା ସାମାଜିକ ପରିଚୟ ପ୍ରକୃତରେ ପୁନରୁଦ୍ଧାର ହୋଇଛି କି ନାହିଁ ଏବଂ ସେମାନେ ଆବଶ୍ୟକ ସାମ୍ବିଧାନିକ ଓ ଆଇନଗତ ସର୍ତ୍ତ ପୂରଣ କରୁଛନ୍ତି କି ନାହିଁ, ତାହାର ସ୍ୱତନ୍ତ୍ର ତଥା ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହଁ ନିଷ୍ପତ୍ତି ନିଆଯାଇପାରିବ। ସୁପ୍ରିମକୋର୍ଟଙ୍କ ଏହି ସ୍ପଷ୍ଟ ରାୟ ଦେଶର ଆରକ୍ଷଣ ନୀତି ଏବଂ ଧର୍ମାନ୍ତରଣ ସମ୍ବନ୍ଧୀୟ ଆଇନଗତ ଦିଗ ପ୍ରତି ଏକ ବଡ଼ ଦିଗଦର୍ଶନ ସାବ୍ୟସ୍ତ ହୋଇଛି।


