ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥରେ ଭେଜାଲ୍ ନେଇ ପୁଣି ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ – FSSAI ତିନି ବଡ଼ କମ୍ପାନୀ ବିରୋଧରେ ମୁକଦମା ଚଲାଇବାକୁ ମଞ୍ଜୁରୀ ଦେଇଛି। ଏହି କମ୍ପାନୀଗୁଡ଼ିକ ହେଲେ ପ୍ରିୟାଗୋଲ୍ଡ ବିସ୍କୁଟ ପ୍ରସ୍ତୁତକାରୀ ସୂର୍ଯ୍ୟ ଫୁଡ୍ ଏଣ୍ଡ୍ ଆଗ୍ରୋ ଲିମିଟେଡ୍, ଡୋଡଲା ଡେରି ଲିମିଟେଡ୍ ଏବଂ UEIR ଅର୍ଗାନିକ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍।
ପ୍ରିୟାଗୋଲ୍ଡ ବିସ୍କୁଟରେ ପଶୁ ଚାରାର ଚୋକର
ଜଣେ ଉପଭୋକ୍ତାଙ୍କ ଅଭିଯୋଗ ପରେ FSSAI ଟିମ୍ ସୂର୍ଯ୍ୟ ଫୁଡ୍ ଏଣ୍ଡ୍ ଆଗ୍ରୋର କାରଖାନା ଯାଞ୍ଚ କରିଥିଲା। ଯାଞ୍ଚରେ ଜଣାପଡ଼ିଲା ଯେ, ବିସ୍କୁଟରେ ଫାଇବର ପାଇଁ ବ୍ୟବହାର ହେଉଥିବା ଚୋକର ଯାହା ମଣିଷ ଖାଇବା ପାଇଁ ନୁହେଁ, ଗାଈ-ମଇଁଷିଙ୍କ ଚାରା ପାଇଁ ଥିଲା। ଯେଉଁ ବୋରାରେ ଚୋକର ଥିଲା, ସେଥିରେ ‘ପଶୁ ଆହାର’ ବୋଲି ସ୍ପଷ୍ଟ ଲେଖାଥିଲା।
ଏହା ଛଡ଼ା କାରଖାନାରେ ପରିଷ୍କାର ପରିଚ୍ଛନ୍ନତା, କୀଟ ନିୟନ୍ତ୍ରଣ, କଞ୍ଚାମାଲ ସଂରକ୍ଷଣ, କର୍ମଚାରୀଙ୍କ ସ୍ୱଚ୍ଛତାରେ ବି ବଡ଼ ତ୍ରୁଟି ମିଳିଥିଲା। ଏଥିପାଇଁ କମ୍ପାନୀର FSSAI ଲାଇସେନ୍ସ ପୂର୍ବରୁ ସସ୍ପେଣ୍ଡ୍ କରାଯାଇଥିଲା। ଏବେ ମୁକଦମା ପାଇଁ ମଞ୍ଜୁରୀ ମିଳିଛି।
ଡୋଡଲା ଦୁଗ୍ଧରେ ଡିଟର୍ଜେଣ୍ଟ ଓ କଷ୍ଟିକ୍ ସୋଡ଼ା
ଡୋଡଲା ଡେରିର ଫୁଲ୍ କ୍ରିମ୍ ଦୁଧ ନମୁନା ପ୍ରଥମେ ଘଟିଆ ମିଳିଥିଲା – ଫ୍ୟାଟ୍ ନିର୍ଦ୍ଧାରିତ ମାନକଠାରୁ କମ୍ ଥିଲା। କମ୍ପାନୀ ଆପିଲ୍ କରିବା ପରେ ନମୁନା ରେଫରାଲ୍ ଫୁଡ୍ ଲ୍ୟାବକୁ ଗଲା। ସେଠାରେ ଦୁଧରେ ଡିଟର୍ଜେଣ୍ଟ / କଷ୍ଟିକ୍ ସୋଡ଼ା ମିଳିଲା, ଯାହାକୁ ପିଇବା ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି କହାଯାଇଛି। କମ୍ପାନୀ ସହ ଜଡ଼ିତ ସମସ୍ତ ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ ମାମଲା ହେବ।
କିସ୍ମିସ୍ରେ କୀଟନାଶକ ଅବଶେଷ
UEIR ଅର୍ଗାନିକ୍ ଫୁଡ୍ସର ହଳଦିଆ କିସ୍ମିସ୍ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୀଟନାଶକ ଅବଶେଷ ମିଳିଛି। ଏହା ଉପରେ ମଧ୍ୟ ମୁକଦମା ପାଇଁ ନିର୍ଦ୍ଦେଶ ଦିଆଯାଇଛି। FSSAI କହିଛି, ଖାଦ୍ୟ ସୁରକ୍ଷା ଉଲ୍ଲଂଘନ ଉପରେ ଜିରୋ ଟଲେରାନ୍ସ ନୀତି ରହିବ।


