ମୁମ୍ବାଇ: ବିଦେଶୀ ନାଗରିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ପକ୍ଷରୁ ଜାରି ହୋଇଥିବା ‘ଭାରତ ଛାଡ଼ନ୍ତୁ’ ନୋଟିସ୍ ବିରୁଦ୍ଧରେ ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ନୋଟିସ୍ ଅନୁସାରେ ତାଙ୍କୁ ଆସନ୍ତା ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଆଜାଦ କ୍ରାନ୍ତି ମଇଦାନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସେ ଯୋଗଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପରେ ବିଜେପି ନେତା କିରୀଟ ସୋମୈୟାଙ୍କ ଅଭିଯୋଗ ଆଧାରରେ ଏଫଆରଆରଓ ତାଙ୍କୁ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ ଅନୁସାରେ ଏହି ନୋଟିସ୍ ଜାରି କରିଥିଲା।
ଆଇନଜୀବୀ ଜୁଲଫିକାର ମେମନ୍, ପରଭେଜ ମେମନ୍ ଏବଂ ଚିରାଗ ନାଏକଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନରେ ନୋଟିସ୍କୁ ବେଆଇନ, ଯୁକ୍ତିହୀନ ଏବଂ ପ୍ରାକୃତିକନ୍ୟାୟର ବିରୋଧୀ ବୋଲି ଦର୍ଶାଯାଇଛି। ନୋଟିସ୍ ଜାରି କରିବା ପୂର୍ବରୁ କୌଣସି ପ୍ରକାର ସ୍ପଷ୍ଟୀକରଣ କିମ୍ବା ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ମାତ୍ର ଦୁଇ ବର୍ଷ ବୟସରୁ ଭାରତରେ ରହିଆସୁଥିବା ଇମ୍ରାନ୍ ଖାନ୍ ଜଣେ ଓସିଆଇ କାର୍ଡଧାରୀ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କ ସ୍ଥିତିକୁ ବିଚାର ନକରି ଏଭଳି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଭାରତୀୟ ସମ୍ୱିଧାନର ଧାରା ୧୪ ଏବଂ ଧାରା ୨୧ ଅନୁସାରେ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦର୍ଶାଇ ସେ ଏହାର ଜରୁରୀ ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।


