ଭାରତୀୟ ସଂସ୍କୃତିରେ ବିବାହକୁ ଜୀବନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବେ ଗ୍ରହଣ କରାଯାଇଛି। କିନ୍ତୁ ବେଳେବେଳେ ସବୁକିଛି ଠିକଠାକ୍ ଥିଲେ ମଧ୍ୟ କୌଣସି ଅଜଣା କାରଣରୁ ଯୁବକସମାଜଙ୍କ ବିବାହରେ ଅନାବଶ୍ୟକ ବିଳମ୍ବ କିମ୍ବା ବାଧାବିଘ୍ନ ଦେଖାଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ମଙ୍ଗଳ କିମ୍ବା କାଳସର୍ପ ଦୋଷ ଏବଂ ବାସ୍ତୁ ଶାସ୍ତ୍ର ମତେ ଘରର ଦିଗଗତ ତ୍ରୁଟି ଏହାର ଏକ ପ୍ରମୁଖ କାରଣ ହୋଇପାରେ। ତେବେ କିଛି ପାରମ୍ପରିକ ଉପଚାର ଓ ବାସ୍ତୁ ନିୟମକୁ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ଶୀଘ୍ର ବିବାହର ଯୋଗ ସୃଷ୍ଟି କରାଯାଇପାରିବ।
ଶାସ୍ତ୍ରାନୁଯାୟୀ, ଯଦି ଜାତକରେ ମଙ୍ଗଳ ଦୋଷ ରହିଥାଏ ତେବେ ଏହାର ଉପଯୁକ୍ତ ଉପଚାର କରାଯାଇପାରିଲେ ହିଁ ଏହି ଦୋଷ କଟିଥାଏ। ଗୃହର ବାୟୁଜନିତ ଦୋଷ ଥିଲେ ବିବାହରେ ବିଳମ୍ବ ହୋଇଥାଏ। ଘରର ଐଶାନ୍ୟ କୋଣରେ, ଉତ୍ତର ଦିଗରେ, ପୂର୍ବଦିଗରେ ଶିଡ଼ି ରହିଥିଲେ ବିବାହ ବିଳମ୍ବ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ବିଳମ୍ବିତ ବିବାହ ଦୋଷକୁ କାଟିବା ପାଇଁ ଘରର ବାସ୍ତୁତ୍ରଟିର ଉପଚାର ସହିତ ଅନ୍ୟ କିଛି ପାରମ୍ପରିକ ଉପାୟ ରହିଛି ।
ବାସ୍ତୁ ନିୟମ ଅନୁସାରେ ପୁତ୍ର କିମ୍ବା କନ୍ୟାର ଐଶାନ୍ୟ କୋଣରେ ଏକ ବଡ଼ ଫଟୋ ଉତ୍ତର ଭାଗରେ ଦକ୍ଷିଣ ମୁଖ କରି ଯଦି ଲଗାଯାଏ ତେବେ ବିଳମ୍ବ ବିବାହ କ୍ରମେ ଶୀଘ୍ରତର ହୋଇ ବାହାଘର ଠିକ୍ ହୋଇଯାଏ।
ପ୍ରତି ଗୁରୁବାର କନ୍ୟାର ସ୍ନାନଜଳରେ ଏକ କଞ୍ଚା ହଳଦୀ ବଟା ପକାଇ ଗାଧୋଇବା ପରେ କଦଳୀଗଛ ମୂଳରେ ହଳଦୀ ପାଣି ପ୍ରଦାନ କଲେ ବିବାହ ଶୀଘ୍ର ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।
କୁହାଯାଏ, ବିଧିବିଧାନ ଅନୁସାରେ ପ୍ରତି ଶନିବାର ଅଶ୍ୱତଥ୍ ଗଛମୂଳେ ପୂଜାକଲେ ବିଳମ୍ବିତ ବିବାହ ଦୋଷ ଦୂର ହୋଇଥାଏ।
ବରଗଛରେ ସାତ ଘେରା ସୂତା ବୁଲାଇବା ସହିତ ଗୁଡ଼, କଦଳୀ ଏବଂ କେଶର ମିଶ୍ରିତ ଜଳ ପୂର୍ବମୁଖ ହୋଇ ଢାଳିବା ଦ୍ୱାରା ବିଳମ୍ବିତ ବିବାହ ଦୋଷ ଦୂରହୋଇଥାଏ ବୋଲି ବିଶ୍ୱାସ ରହିଛି।
ପ୍ରଚଳିତ ବିଚାର ଅନୁଯାୟୀ, ନଅ ଗୁରୁବାର ବା ନଅ ସୋମବାର ବା ଭଲ ତିଥିରେ ୫ ଗ୍ରାମ୍ ରାଶି, କେଶର, ମହୁ, ଗୁଡ଼, କ୍ଷୀର ମିଶ୍ରିତ ଦ୍ରବ୍ୟ ନିଜ ନାମ ଗୋତ୍ରରେ ପୂଜା କରିବା ଦ୍ୱାରା ବିବାହ ଶୀଘ୍ର ହୋଇଯାଏ।
ଶାହାଡ଼ା ଗଛ ପୂଜା ସହିତ ଯେଉଁ ତିଥିରେ ମହାଦେବଙ୍କ ସହିତ ପାର୍ବତୀ ଥିବେ ସେହି ତିଥିରେ ମା’ଙ୍କୁ ସୁହାଗ ପଦାର୍ଥ (ଶାଢ଼ି, ଚୁଡ଼ି, ସିନ୍ଦୂର, ଅଳତା, କୁଙ୍କୁମ) ସହ ପୂଜା କରାଗଲେ ଶୁଭଫଳ ମିଳିଥାଏ ଏବଂ ବିବାହ ସହଜରେ ହୋଇଯାଇଥାଏ ବୋଲି ଧର୍ମୀୟ ବିଶ୍ୱାସ ରହିଛି।


