ଭୁବନେଶ୍ୱର: ୨୨ରୁ ପୁଣି ଲଘୁଚାପ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ଏବେ ଟ୍ରପ୍ ଲାଇନ୍ ସକ୍ରିୟ ରହିଥିବା ବେଳେ ଉପରି ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ସତର୍କତା ଜାରି ହୋଇଛି।
ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କରିଛି ବିଭାଗ। ତେବେ ଅକ୍ଟୋବର ୧୯ରୁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁଙ୍କ ଆକଳନ ଅନୁସାରେ, ନବମୀ ଓ ବିଜୟା ଦଶମୀରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେଣୁ ପାର୍ବଣ ବୁଲାରେ ବର୍ଷା ବାଧକ ସାଜିବାର ସମ୍ଭାବନା କମ୍। ଅନ୍ୟପଟେ ଅକ୍ଟୋବର ୨୨ରୁ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।ଏହା ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେବ କି ନାହିଁ ଏବଂ ଏହାର ପ୍ରଭାବରେ କେତେ ବର୍ଷା ହେବ ସେନେଇ ଏବେ ଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ଦୁର୍ଗାପୂଜା ପରେ ଏନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ଦଶହରା ପରେ ସମ୍ଭାବ୍ୟ ଲଘୁଚାପର ଗତିବିଧି ଓ ପ୍ରଭାବ ଉପରେ ରହିବ ପାଣିପାଗ ବିଭାଗର ନଜର।


