କେନ୍ଦ୍ରାପଡ଼ା: ରୋଗୀଙ୍କୁ କଟକ ଏସ୍ସିବି ମେଡିକାଲରେ ଛାଡ଼ି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ୧୦୮ ଆମ୍ବୁଲାନ୍ସ। କେନ୍ଦ୍ରାପଡ଼ା ଜିଲ୍ଲାର ଦୁହୁରିଆ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଏକ ନାଳ ଭିତରକୁ ଖସିପଡ଼ିଥିବା ଜଣାପଡ଼ିଛି। ଏଥିରେ ଡ୍ରାଇଭରଙ୍କ ସମେତ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ୧୦୮ ଆମ୍ବୁଲାନ୍ସଟି କଟକ ଏସ୍ସିବି ମେଡିକାଲରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିଲା। ଏହି ସମୟରେ ଦୁହୁରିଆ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ନାଳ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଆମ୍ବୁଲାନ୍ସଟି କିପରି ନାଳ ଭିତରକୁ ଖସିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


