ଭୁବନେଶ୍ୱର: ଚାରିଆଡ଼େ ପାର୍ବଣର ମାହୋଲ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଦେବୀପୀଠରୁ ପୂଜା ମଣ୍ଡପ। ଆଜି ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଛି ମହାଅଷ୍ଟମୀ ପୂଜା। ଦେବୀଙ୍କ ଆରାଧନା ଓ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସମାଗମ ହେଉଛି।
ନବରାତ୍ରୀର ପବିତ୍ର ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଆରାଧନା ଚାଲିଛି। ପ୍ରତ୍ୟେକ ପୀଠରେ ନିଜସ୍ୱ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ପୂଜାନୀତି ସମ୍ପନ୍ନ କରାଯାଉଛି। ମା’ଙ୍କ ଦର୍ଶନ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି ଶ୍ରଦ୍ଧାଳୁ।
ଅନ୍ୟପଟେ ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଆୟୋଜିତ ହେଉଛି। ସୁନ୍ଦର ସାଜସଜ୍ଜା ଓ ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଚାରିଆଡ଼େ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ପାରମ୍ପରିକ ପୂଜାବିଧି, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମା’ଙ୍କ ଆରାଧନାରେ ମଗ୍ନ ହୋଇଛନ୍ତି ଭକ୍ତ। ନବରାତ୍ରୀର ଏହି ପବିତ୍ର ସମୟରେ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦେବୀପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି। ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପରିବେଶ। ଭକ୍ତି, ଆସ୍ଥା ଓ ପରମ୍ପରାର ମିଳନରେ ସବୁଠି ଅନୁଭୂତ ହେଉଛି ଦୁର୍ଗାପୂଜାର ଆଧ୍ୟାତ୍ମିକ ମାହୋଲ।


