ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗ୍ରାମରେ ଚାଞ୍ଚଲ୍ୟ। ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘର ଅଗଣାରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି ଗ୍ରାମର ଦିଲୀପ କୁମାର ସେଠୀ (୩୬)। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଥିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଦିଲୀପ ପେସାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ। ଗ୍ରାମରେ ପୂଜାପାର୍ବଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି। ଗତକାଲି ଗାଁରେ ପାରମ୍ପରିକ ପୂଜା ସହ ଅପେରା କାର୍ଯ୍ୟକ୍ରମ ଚାଲିଥିଲା। ଏହାରି ମଧ୍ୟରେ ବିଳମ୍ବିତ ରାତିରେ ଦିଲୀପଙ୍କ ରକ୍ତାକ୍ତ ମୃତଦେହ ମିଳିବା ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଖବର ପାଇ ବାଗଡ଼ିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦିଲୀପଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ରହିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଓ ଏଥିରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।


