କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରୀ ପଞ୍ଚାୟତ ସଦର ଗ୍ରାମରେ ଗୁଳିକାଣ୍ଡ ଘଟିଛି। ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରାଣବନ୍ଧୁ ବସ୍ତିଆ (୩୫) ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିବା ବେଳେ ସେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ମିଟୁ କର୍ମୀ ଫେରାର ଥିବା ଜଣାପଡ଼ିଛି। ସେ ସ୍ଥାନୀୟ ସରପଞ୍ଚଙ୍କ ଦିଅର ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଲମ୍ବସରୀ ପଞ୍ଚାୟତ ସରପଞ୍ଚଙ୍କ ଦିଅର ମିଟୁ କର୍ମୀ ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଦୋକାନ ନିକଟରେ ବସିଥିଲେ। ଏହି ସମୟରେ ଢେଣ୍ଡୋକୁଟି ଗ୍ରାମର ପ୍ରାଣବନ୍ଧୁ ବସ୍ତିଆ ନିଜ ଶ୍ୱଶୁର ଘରକୁ ଆସିଥିବା ବେଳେ ମାଂସ କିଣିବା ପାଇଁ ଉକ୍ତ ଦୋକାନକୁ ଯାଇଥିଲେ। ସେଠାରେ ପୂର୍ବ ରାଜନୈତିକ ଆକ୍ରୋଶକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ବଚସା ଉଗ୍ର ରୂପ ନେବା ପରେ ମିଟୁ କର୍ମୀ ଉତ୍ତ୍ୟକ୍ତ ହୋଇ ପ୍ରାଣବନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ ଗୁଳିଟି ତାଙ୍କ ମୁଣ୍ଡ କିମ୍ବା ଶରୀରର ଅନ୍ୟ କୌଣସି ମର୍ମସ୍ଥଳରେ ନବାଜି ଗୋଡ଼ରେ ବାଜିଥିଲା। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମିଟୁ କର୍ମୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ପ୍ରାଥମିକ ତଦନ୍ତରେ ପୁଲିସ ରାଜନୈତିକ ଶତ୍ରୁତାକୁ ଗୁଳିକାଣ୍ଡର ସମ୍ଭାବ୍ୟ କାରଣ ବୋଲି ଅନୁମାନ କରୁଥିବା ବେଳେ ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।


