ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଲମ୍ବା ଧାଡ଼ି ଓ ଭିଡ଼ ସମସ୍ୟା ଦୂର ହେବ। ରୋଗୀଙ୍କ ଅସୁବିଧା କମାଇବା ପାଇଁ ହସ୍ପିଟାଲ ପରିସରରେ ଏକ ନୂତନ ରକ୍ତ ନମୁନା ସଂଗ୍ରହ ୟୁନିଟ୍ ନିର୍ମାଣ କରାଯାଉଛି।
ଦୈନିକ ହସ୍ପିଟାଲକୁ ୪ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ୭୦୦ରୁ ଅଧିକ ରୋଗୀ ରକ୍ତ ପରୀକ୍ଷା କରାଉଛନ୍ତି। ଏବେ ବିଲିଂ, ବାରକୋଡ୍ ଓ ରକ୍ତ ସଂଗ୍ରହ ପାଇଁ ଅଲଗା ଅଲଗା ଧାଡ଼ିରେ ରହିବାକୁ ପଡ଼ୁଛି। ଫଳରେ ବୟସ୍କ, ଗୁରୁତର ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଅଧିକ ହଇରାଣ ହେଉଛନ୍ତି।
ନୂଆ ୟୁନିଟ୍ରେ ଗୋଟିଏ ଧାଡ଼ିରେ ବିଲିଂ, ବାରକୋଡ୍ ଓ ରକ୍ତ ସଂଗ୍ରହ ବ୍ୟବସ୍ଥା ରହିବ। ଏଥିପାଇଁ ଅତିରିକ୍ତ ୬ଟି କାଉଣ୍ଟର ଖୋଲାଯିବା ସହ ୧୦୦ରୁ ଅଧିକ ଚେୟାର ରହିବ। ଏହି ୟୁନିଟ୍ରେ ଦୈନିକ ୧,୦୦୦ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବାର ଲକ୍ଷ୍ୟ ରହିଛି।
କ୍ୟାପିଟାଲ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡା. ଧନଞ୍ଜୟ ଦାସଙ୍କ ସୂଚନା ଅନୁସାରେ, ରୋଗୀଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଆଗକୁ ଗୁରୁତର ରୋଗର କିଛି ପରୀକ୍ଷା ମଧ୍ୟ ହସ୍ପିଟାଲରେ କରିବାକୁ ଯୋଜନା ରହିଛି। ଏହାଦ୍ୱାରା ରୋଗୀଙ୍କ ସମୟ ବଞ୍ଚିବା ସହ ଗୋଟିଏ ଦିନରେ ଡାକ୍ତରଙ୍କ ପରାମର୍ଶ ନେବା ସହଜ ହେବା ଆଶା କରାଯାଉଛି।


