ନୂଆଦିଲ୍ଲୀ: ଭାରତ-ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖାରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସାମରିକ ଆହ୍ବାନକୁ ସାମ୍ନା କରିବା ପାଇଁ ଭାରତ-ତିବ୍ବତ ସୀମା ପୋଲିସ ନିଜର ପ୍ରସ୍ତୁତିକୁ ଅଧିକ କଡ଼ାକଡ଼ି କରିଛି। ଅରୁଣାଚଳ ପ୍ରଦେଶ ସୀମାର ବିଭିନ୍ନ ସ୍ଥାନରେ ଚୀନ୍ ସେନା ସହ ଜାରି ରହିଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଆଇଟିବିପି ନିଜର ନୂତନ ସ୍ପେଶାଲ କମ୍ବାଟ୍ ୟୁନିଟ୍ ‘ଶୌର୍ଯ୍ୟ କମାଣ୍ଡୋ’ ଦଳକୁ ମୈଦାନକୁ ଓହ୍ଲାଇଛି। ଏହି ବିଶେଷ କମାଣ୍ଡୋମାନେ ସୀମାନ୍ତରେ ସେମାନଙ୍କର ଉଚ୍ଚ ସାମରିକ ଦକ୍ଷତା ଓ ପରାକ୍ରମ ପ୍ରଦର୍ଶନ କରିସାରିଛନ୍ତି। ଆଗାମୀ ଦିନରେ ପ୍ରତ୍ୟେକ ସୀମା ସୁରକ୍ଷା ବାହିନୀରେ ଏହି କମାଣ୍ଡୋମାନଙ୍କୁ ନିୟୋଜିତ କରାଯିବ। ପ୍ରାୟ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ରାଜସ୍ଥାନର ଆଲୱାରସ୍ଥିତ ଆଇଟିବିପି ଘାଟିରେ ବାହିନୀର ୬୫ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ବାହିନୀର ମୁଖ୍ୟ ଶତ୍ରୁଜିତ୍ ସିଂହ କାପୁର ସୈନ୍ୟମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ୍ ଭାରତର ସବୁଠାରୁ ବଡ଼ ପ୍ରତିପକ୍ଷ। ପାରମ୍ପରିକ ଯୁଦ୍ଧ ପ୍ରଣାଳୀ ଦ୍ୱାରା ଚୀନ୍କୁ ରୋକିବା ଆଉ ସମ୍ଭବ ନୁହେଁ। ଏଥିପାଇଁ ବାହିନୀକୁ ଆଧୁନିକ ଯୁଦ୍ଧ ଜ୍ଞାନକୌଶଳ ଏବଂ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଅଧିକ ଶକ୍ତିଶାଳୀ କରାଯାଉଛି।
ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବାହିନୀରେ ଡ୍ରୋନ୍ ଦଳ ଗଠନ କରାଯାଇଛି। ସୈନିକମାନଙ୍କୁ ଡ୍ରୋନ୍ ଚାଳନା ଏବଂ ଏହାର ବିକାଶ ସମ୍ପର୍କରେ ତାଲିମ ଦିଆଯାଉଛି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୦୦ କୋଟି ଟଙ୍କାର ଅନୁଦାନ ମିଳିଛି, ଯାହାର ୭୦ ପ୍ରତିଶତ କେବଳ ଡ୍ରୋନ୍ ଯୁଦ୍ଧ ଦକ୍ଷତା ବୃଦ୍ଧିରେ ଖର୍ଚ୍ଚ କରାଯିବ। ଏହା ସହିତ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୪,୦୦୦ କୋଟି ଟଙ୍କାର ଆଧୁନିକୀକରଣ ଯୋଜନାକୁ ମଧ୍ୟ ମଞ୍ଜୁରୀ ମିଳିଛି, ଯେଉଁଥିରୁ ୧,୦୦୦ କୋଟି ଟଙ୍କା ଡ୍ରୋନ୍ ଏବଂ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ପାଇଁ ବରାଦ କରାଯାଇଛି।
୨୦୨୦ ମସିହା ଜୁନ୍ ମାସରେ ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ଘଟିଥିବା ସଂଘର୍ଷ ଭଳି ପରିସ୍ଥିତିର ମୁକାବିଲା ପାଇଁ ‘ଷ୍ଟ୍ରାଇକ୍’ ନାମକ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ବିଶେଷ ତାଲିମ ଆଗାମୀ ୨୦୨୭ ମସିହା ଶେଷ ସୁଦ୍ଧା ସମଗ୍ର ବାହିନୀକୁ ପ୍ରଦାନ କରାଯିବ। ଗାଲୱାନ୍ ସଂଘର୍ଷରେ ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଥିବା ବେଳେ ଚୀନ୍ର ୪ ଜଣ ସୈନ୍ୟ ପ୍ରାଣ ହରାଇଥିବା ଚୀନ୍ ସ୍ୱୀକାର କରିଥିଲା।
ଯୁଦ୍ଧ ପ୍ରସ୍ତୁତି ଓ ଜ୍ଞାନକୌଶଳ ବ୍ୟତୀତ ଅଗ୍ରଣୀ ସୀମାନ୍ତ ଅଞ୍ଛଳଗୁଡ଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଯୁଦ୍ଧ ସମୟରେ ଭୂପୃଷ୍ଠର ନିର୍ମାଣଗୁଡ଼ିକ ସହଜରେ ଶତ୍ରୁର ନିଶାଣ ହୋଇପାରନ୍ତି, ଏଥିପାଇଁ ସୀମାନ୍ତ ଅଞ୍ଛଳରେ ଭୂତଳ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ଏହା ସହିତ ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ବିପଜ୍ଜନକ ଅଞ୍ଛଳରେ ରହୁଥିବା ଯବାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବାସଗୃହ, ସୌର ଜଳ ଉତ୍ତାପକ ଏବଂ ବିଦ୍ୟୁତ୍ ଯୋଗାଣ ପାଇଁ ଜେନେରେଟର ସେଟ୍ ବ୍ୟବସ୍ଥା କରାଯାଇଛି। ପ୍ରଚଣ୍ଡ ଶୀତରେ ଗାଡ଼ିଗୁଡ଼ିକୁ ସହଜରେ ଚାଲୁ କରିବା ପାଇଁ ସ୍ୱତନ୍ତ୍ର କିଟ୍ ଯୋଗାଇ ଦିଆଯାଉଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଆଇଟିବିପିକୁ ଏକ ଉଚ୍ଚ ପାର୍ବତ୍ୟ ସମରକଳାରେ ପାରଙ୍ଗମ ବାହିନୀ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି।


