Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ
ଆଜିର ଖବର

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ
ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଓଡ଼ିଶା ପାଇଁ ଏକ ନିୟମିତ ପ୍ରାକୃତିକ ବିପଦ ହୋଇଥିବା ବେଳେ ଭୂକମ୍ପର ପ୍ରଭାବରୁ ମଧ୍ୟ ରାଜ୍ୟ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ। ଓଡ଼ିଶା ମଧ୍ୟମ ଧରଣର ଭୂକମ୍ପପ୍ରବଣ ଅଂଚଳ ହୋଇଥିବାରୁ ଅଧିକ ଜନବସତି ଓ ଦୁର୍ବଳ ନିର୍ମାଣ ଥିବା ସହରାଂଚଳରେ ଭୂକମ୍ପ ଘଟିଲେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍‌ସିଏସ୍‌)ର ନିର୍ଦ୍ଦେଶକ ଡ. ଜି. ସୁରେଶ କହିଛନ୍ତି।

ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ପରିବେଶଗତ ବିପଦ ଓ ବିପର୍ଯ୍ୟୟ ପରିଚାଳନା’ ଶୀଷର୍କ ୩ ଦିନିଆ ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ।
ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)ର ଜାତୀୟ ଭୂକମ୍ପ ଜୋନିଂ ମାନଚିତ୍ର ଅନୁଯାୟୀ ଓଡ଼ିଶା ଜୋନ୍‌-୨ ଓ ଜୋନ୍‌-୩ରେ ଆସୁଛି। ଝାରସୁଗୁଡ଼ା ଓ ସମ୍ବଲପୁରରୁ ଆରମ୍ଭ କରି ଅନୁଗୁଳ, କଟକ, ଭୁବନେଶ୍ୱର, ପାରାଦୀପ ଓ ପୁରୀ ପର୍ଯ୍ୟନ୍ତ ମହାନଦୀ ଉପତ୍ୟକା ଅଚଂଳ ଜୋନ୍‌-୩ ଅନ୍ତର୍ଗତ, ଯାହା ମଧ୍ୟମ ଭୂକମ୍ପ ବିପଦପ୍ରବଣ ଅଂଚଳ। ରାଜ୍ୟର ଅଧିକାଂଶ ଅନ୍ୟାନ୍ୟ ଅଂଚଳ ଜୋନ୍‌-୨ ଅନ୍ତର୍ଗତ ଏବଂ ଏହାକୁ କମ୍ ବିପଦପ୍ରବଣ ଅଂଚଳ ଭାବେ ବିବେଚନା କରାଯାଏ।

ଓଡ଼ିଶାରେ ପୂର୍ବରୁ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ କରି ଡ. ସୁରେଶ କହିଥିଲେ ଯେ, ୨୦୧୪ ମେ’ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରାୟ ୬ ତୀବ୍ରତାର ଭୂକମ୍ପ ଉପକୂଳ ଓଡ଼ିଶାରେ ଅନୁଭୂତ ହୋଇଥିଲା। ସେହିପରି ୧୯୬୩ରେ ସମ୍ବଲପୁରରେ ୫.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ୧୯୯୫ରେ ବଣାଇଗଡ଼ ଓ ଦେବଗଡ଼ରେ ୪.୬ ଏବଂ ୨୦୦୧ରେ ସୁନ୍ଦରଗଡ଼ରେ ୪.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ଦେଶର ୧୮୦ଟି ଭୂକମ୍ପ ପର୍ଯ୍ୟବେକ୍ଷଣ କେନ୍ଦ୍ର ଜରିଆରେ ଏନ୍‌ସିଏସ୍ ୨୪ ଘଂଟା ଭୂକମ୍ପ ଉପରେ ନଜର ରଖୁଛି। ଏଥିମଧ୍ୟରୁ ତିନୋଟି କେନ୍ଦ୍ର ଭୁବନେଶ୍ୱର, ଝାରସୁଗୁଡ଼ା ଓ ରାୟଗଡ଼ାରେ ରହିଛି। ଏହି କେନ୍ଦ୍ରଗୁଡ଼ିକ ୩ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂକମ୍ପ ଚିହ୍ନଟ କରିପାରନ୍ତି। ଭୂକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ହିମାଳୟ ଅଂଚଳ ପାଇଁ ଏନ୍‌ସିଏସ୍ ଏକ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ଡ. ସୁରେଶ ସୂଚନା ଦେଇଥିଲେ।

ଭୁବନେଶ୍ୱର ସହରର ଭୂକମ୍ପ ଜନିତ ବିପଦ ଆକଳନ ପାଇଁ ଏନ୍‌ସିଏସ୍ ପକ୍ଷରୁ ସହରର ଭୂକମ୍ପୀୟ ସୂକ୍ଷ୍ମ ଅଂଚଳ ବିଭାଜନ (ସିସ୍‌ମିକ୍ ମାଇକ୍ରୋଜୋନେସନ୍‌) ଅଧ୍ୟୟନ କରାଯାଇଛି। ଏହାଦ୍ୱାରା ସମାନ ଭୂକମ୍ପୀୟ ବିପଦ ଥିବା ଅଂଚଳଗୁଡ଼ିକୁ ଛୋଟ ଛୋଟ ଜୋନ୍‌ରେ ବିଭକ୍ତ କରାଯାଇଛି। ଭୂତାତ୍ୱିକ, ଭୂଭୌତିକ, ଭୂ-ଯାନ୍ତ୍ରିକ, ଭୂଆକୃତି ବିଜ୍ଞାନ ଓ ଭୂକମ୍ପ ସମ୍ବନ୍ଧୀୟ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନରେ ସ୍ଥାନଭିତିିକ ବିପଦର ଆକଳନ କରାଯାଇଛି।

“ଜୁଲାଇ ୨୦୨୫ରେ ଆମେ ଭୁବନେଶ୍ୱର ଡେଭଲପମେଂଟ ପ୍ଲାନ୍ ଅନ୍ତର୍ଗତ ୪୨୦ ବର୍ଗ କିଲୋମିଟର ପରିମିତ ଅଂଚଳରେ ଅଧ୍ୟୟନ କରିଥିଲୁ। ଏହି ଅଧ୍ୟୟନ ସମୟରେ ୧,୬୫୦ଟି ସ୍ଥାନରେ ଭୂମିର ପ୍ରାକୃତିକ କମ୍ପନ ମାପ କରାଯାଇଥିଲା। ଏଥିସହ ୩୦ ମିଟର ଗଭୀରତା ପର୍ଯ୍ୟନ୍ତ ବୋରହୋଲ୍ ଖନନ କରାଯାଇଥିବା ବେଳେ ୧୦୦ ମିଟର ଗଭୀରତା ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏହା ବ୍ୟତୀତ, ୧,୨୦୦ରୁ ଅଧିକ ମାଟି ନମୁନାକୁ ପରୀକ୍ଷାଗାରରେ ଯାଂଚ କରାଯାଇଥିଲା,” ବୋଲି ଡକ୍ଟର ସୁରେଶ କହିଥିଲେ।

ଏହି ଅଧ୍ୟୟନରେ ଛଅଟି ମାନଦଣ୍ଡକୁ ବିଚାରକୁ ନିଆଯାଇଥିଲା। ସେଥିମଧ୍ୟରୁ ଭୂପୃଷ୍ଠର ୩୦ ମିଟର ତଳ ପର୍ଯ୍ୟନ୍ତ ମାଟିର ଶିଅର୍ ତରଙ୍ଗ ବେଗ (ଶିୟର୍ ୱେଭ୍ ଭେଲୋସିଟି) ସହରର ଅଧିକାଂଶ ଅଚଂଳରେ ପ୍ରତି ସେକେଣ୍ଡରେ ୩୬୦ରୁ ୭୬୦ ମିଟର ଥିବା ଜଣାପଡ଼ିଥିଲା। ଏହା ଦୃଢ଼ ଭୂମିକୁ ସୂଚାଉଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ। କିନ୍ତୁ ସହରର ପୂର୍ବାଂଚଳରେ ଏହି ବେଗ ପ୍ରତି ସେକେଣ୍ଡରେ ୧୮୪ରୁ ୩୬୦ ମିଟରକୁ ହ୍ରାସ ପାଇଥିବାରୁ ସେଠାକାର ମାଟି ଅପେକ୍ଷାକୃତ ନରମ ବୋଲି ଜଣାପଡ଼ିଥିଲା।

ସେହିପରି ସହରର ପଶ୍ଚିମ ଓ କେନ୍ଦ୍ରୀୟ ଅଂଚଳରେ ଇଞ୍ଜିନିୟରିଂ ଶିଳାସ୍ତରର ଗଭୀରତା ମାତ୍ର ୨ରୁ ୨୦ ମିଟର ମଧ୍ୟରେ ଥିବା ବେଳେ ପୂର୍ବାଂଚଳରେ ଏହା ୮୬ ମିଟର ପର୍ଯ୍ୟନ୍ତ ରହିଛି। ଏହି ଅଂଚଳରେ ଶକ୍ତ ଶିଳାସ୍ତର ଉପରେ ମୋଟା ପଟୁମାଟିର ସ୍ତର ରହିଛି।

ଭୂମିର କମ୍ପନ ଆବୃତି (ପିକ୍ ଫ୍ରିକ୍ୱେନ୍ସି) ସହରର ବିଭିନ୍ନ ଅଂଚଳରେ ୧ ହର୍ଜରୁ କମ୍ ଠାରୁ ୧୦ ହର୍ଜରୁ ଅଧିକ ରହିଥିବା ଜଣାପଡ଼ିଛି। ସହରର କେନ୍ଦ୍ରୀୟ ଅଂଚଳର ଦୃଢ଼ ଭୂମିରେ ଏହା ୧୦ ହର୍ଜରୁ ଅଧିକ ଥିବା ବେଳେ ପୂର୍ବାଂଚଳର ନରମ ଓ ମୋଟା ମାଟି ଥିବା ଅଂଚଳରେ ୪ ହର୍ଜରୁ କମ୍ ରହିଛି। ଉଚ୍ଚ ଅଟ୍ଟାଳିକାଗୁଡ଼ିକ ସାଧାରଣତଃ କମ୍ ଆବୃତିରେ କମ୍ପନ କରିଥାଏ। ଯଦି ଭୂମି ଓ ଅଟ୍ଟାଳିକାର କମ୍ପନ ଆବୃତି ସମାନ ହୁଏ, ତେବେ କମ୍ପନର ତୀବ୍ରତା ଅନେକ ଗୁଣ ବଢ଼ିଯାଏ ବୋଲି ଡ. ସୁରେଶ କହିଥିଲେ।

ଭୂମିର ସର୍ବାଧିକ ତ୍ୱରଣ (ପିକ୍ ଗ୍ରାଉଣ୍ଡ ଆକ୍ସିଲିରେସନ୍‌) ସଂପର୍କରେ ଡକ୍ଟର ସୁରେଶ କହିଥିଲେ ଯେ ଭୁବନେଶ୍ୱର ସହର ତଳେ ଥିବା ପଥର ସ୍ତରରେ ଏହା ମାତ୍ର ୦.୦୫ ଜି (ଏଠାରେ ଜି ଅର୍ଥ ମାଧ୍ୟାକର୍ଷଣ ଜନିତ ତ୍ୱରଣ) ଥିବା ବେଳେ ଭୂପୃଷ୍ଠରେ ଏହା ୦.୦୮ରୁ ୦.୧୭ ଜି ପର୍ଯ୍ୟନ୍ତ ବୃଦ୍ଧି ପାଉଛି।

ସହରର ଜାଗମରା ଅଂଚଳରେ ଅଳ୍ପ ଦୂରତା ମଧ୍ୟରେ ଭୂକମ୍ପୀୟ କମ୍ପନର ସର୍ବାଧିକ ଆବୃତି (ପିକ୍ ଫ୍ରିକ୍ୱେନ୍ସି) ଭିନ୍ନ ଭିନ୍ନ ରହୁଛି। ଏହା ମୁଖ୍ୟତଃ ୧ରୁ ୬ ହର୍ଜ ମଧ୍ୟରେ ଥିବା ବେଳେ ଏହି ଅଂଚଳରେ କମ୍ପନର ବର୍ଦ୍ଧିତ ମାତ୍ରା ୨ରୁ ୫ ଗୁଣ ରହିଛି। ଏହାର ଅର୍ଥ ହେଉଛି, ୧୦ ମହଲା ବିଶିଷ୍ଟ କୋଠା ପ୍ରାୟ ୧ ହର୍ଜ ଆବୃତିରେ, ୫ ମହଲା କୋଠା ୨ ହର୍ଜରେ ଏବଂ ୨ ମହଲା କୋଠା ୫ ହର୍ଜ ଆବୃତିରେ କମ୍ପିତ ହୋଇଥାଏ।

ଡକ୍ଟର ସୁରେଶ କହିଥିଲେ ଯେ, ଭୁବନେଶ୍ୱର ଭୂକମ୍ପ ପ୍ରବଣତାର ତୃତୀୟ ଜୋନ୍ (ଜୋନ୍ ୩) ଅନ୍ତଗର୍ତ ଅଟେ। ଏହି ଜୋନ୍ ପାଇଁ ଜାତୀୟ ନିର୍ମାଣ ସଂହିତାରେ ୦.୦୮ ଜି କମ୍ପନକୁ ଆଧାର କରି କୋଠା ନିର୍ମାଣର ନକ୍ସା ପ୍ରସ୍ତୁତ କରାଯାଏ। କିନ୍ତୁ ଭୂକମ୍ପୀୟ ସୂକ୍ଷ୍ମ ଅଂଚଳ ବିଭାଜନ ମାନଚିତ୍ର (ମାଇକ୍ରୋଜୋନେସନ୍ ମ୍ୟାପ୍‌) ଅନୁଯାୟୀ, ଏହି ଅଂଚଳରେ କମ୍ପନର ମାତ୍ରା ୦.୧୪ରୁ ୦.୧୭ ଜି ମଧ୍ୟରେ ରହିଛି, ଯାହା ଜାତୀୟ ନିର୍ମାଣ ସଂହିତାର ନିର୍ଦ୍ଧାରିତ ମାନଠାରୁ ପ୍ରାୟ ଦୁଇଗୁଣ।

“ଅତି ବିରଳ ଓ ସର୍ବାଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପାଇଁ ଜାତୀୟ ନିର୍ମାଣ ସଂହିତାରେ ୦.୧୬ ଜି କମ୍ପନକୁ ଆଧାର ଭାବେ ନିଆଯାଇଥିବା ବେଳେ ଅଧ୍ୟୟନ ମାନଚିତ୍ରରେ ଏହା ୦.୨୦ରୁ ୦.୨୭ ଜି ମଧ୍ୟରେ ରହିଛି। ଚକେଇସିଆଣି, ପାହାଳ, ପୁରୁଣା ଭୁବନେଶ୍ୱର ଓ ଉତରା ଅଂଳରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି,” ବୋଲି ସେ କହିଥିଲେ।

ଏହି ଅଧ୍ୟୟନ ପରେ ପ୍ରସ୍ତୁତ ବିପଦ ସୂଚକାଙ୍କ (ହାଜାର୍ଡ ଇଣ୍ଡେକ୍ସ) ଅନୁଯାୟୀ, ଭୁବନେଶ୍ୱରର ଅଧିକାଂଶ ଅଂଚଳରେ ଭୂକମ୍ପ ଜନିତ ବିପଦର ମାତ୍ରା କମ୍ ରହିଛି। ତେବେ ସହରର ପୂର୍ବ ଭାଗରେ କୁଆଖାଇ ଓ ଦୟା ନଦୀ କୂଳବର୍ତ୍ତୀ ଅଂଚଳରେ ଏହା ମଧ୍ୟମରୁ ଉଚ୍ଚ ସ୍ତରରେ ରହିଥିବା ଜଣାପଡ଼ିଛି ବୋଲି ଡକ୍ଟର ସୁରେଶ କହିଥିଲେ।

ତେବେ ଏହି ତଥ୍ୟ ଭୟଭୀତ ହେବାର କାରଣ ନୁହେଁ, ବରଂ ଉପଯୁକ୍ତ ଯାନ୍ତ୍ରିକ ଯୋଜନା ଓ ନିର୍ମାଣ ପାଇଁ ଏକ ସତର୍କ ସୂଚନା। କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେହି ସ୍ଥାନର ଭୂମିର ସ୍ୱଭାବ ଜାଣିବା ଅତ୍ୟନ୍ତ ଜରୁରୀ। ବିଶେଷ କରି ସହରର ପୂର୍ବାଂଚଳରେ ଉଚ୍ଚ ଅଟ୍ଟାଳିକା, ସେତୁ ଓ ଅନ୍ୟାନ୍ୟ ବଡ଼ ଭିତିଭୂମି ନିର୍ମାଣ ସମୟରେ ଅଧିକ ଯତ୍ନ ଓ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଡ. ସୁରେଶ କହିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ମଧ୍ୟ ଉଦ୍‌ବୋଧନ ଦେଇଥିଲେ।

ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଓ ଆଇଟିଇଆରର ରସାୟନ ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆୟୋଜିତ ହେଉଛି। କର୍ମଶାଳାର ଆବାହକ ଡ. ଅବନ୍ତୀ ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରୂପରେଖ ସଂର୍ପକରେ ସୂଚନା ଦେଇଥିବା ବେଳେ ସହଯୋଗୀ ପ୍ରଫେସର ଡ. ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସିଇସିର ନିର୍ଦ୍ଦେଶକ ପ୍ରଫେସର ଶରତ ଚନ୍ଦ୍ର ସାହୁ ଏବଂ ଆଇଟିଇଆରର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ମଧ୍ୟ କର୍ମଶାଳାରେ ଉଦ୍‌ବୋଧନ ଦେଇଥିଲେ।

ଏନ୍‌ସିଏସ୍ ଅଧ୍ୟୟନ ବଙ୍ଗୋପସାଗର ଭୁବନେଶ୍ୱରର ପୂର୍ବାଂଚଳ ଭୂକମ୍ପ ବିପଦ ସ୍ୱତନ୍ତ୍ର ସତର୍କତା
Share. Facebook Twitter LinkedIn Email WhatsApp Copy Link

Related Posts

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026

୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

November 12, 2026

ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026
Latest News

କନ୍ଧମାଳରେ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଏସ୍‌ପି ରମେନ୍ଦ୍ର ପ୍ରସାଦ

November 12, 2026

୮୦୭ ସ୍କୁଲରେ ରୋବୋଟିକ୍ସ ଲ୍ୟାବ୍: ୭୩୫୦ ପିଲାଙ୍କୁ ଓଡ଼ିଆ ଭାଷା ବୃତ୍ତି

November 12, 2026

ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

November 12, 2026

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.