ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଚିନ୍ତାରେ ସାଧାରଣ ଯାତ୍ରୀ। ପୁଣି ବଢ଼ିଲା ବସ୍ ଭଡ଼ା। ରାଜ୍ୟ ସରକାର ବିଭିନ୍ନ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଥିବାରୁ ଏଣିକି ବସ୍ରେ ଯାତ୍ରା କରିବାକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଅର୍ଡିନାରୀ ବସ୍ଠାରୁ ଆରମ୍ଭ କରି ଏକ୍ସପ୍ରେସ୍, ଡିଲକ୍ସ, ଏସି ଡିଲକ୍ସ ଓ ସ୍ଲିପର୍ ଏସି କୋଚ୍ ପର୍ଯ୍ୟନ୍ତ ସବୁ ବର୍ଗର ଭଡ଼ା ବଢ଼ାଯାଇଛି।
ନୂଆ ଭଡ଼ା ଅନୁଯାୟୀ, ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସାରେ ପହଞ୍ଚିଛି। ଏହାଦ୍ୱାରା ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।
କେବଳ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ନୁହେଁ, ଅନ୍ୟ ବର୍ଗର ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି। ସେମି ଡିଲକ୍ସ ବସ୍ର କିଲୋମିଟର ପିଛା ଭଡ଼ା ୧ ଟଙ୍କା ୩୦ ପଇସା, ଡିଲକ୍ସ ବସ୍ର ଭଡ଼ା ୧ ଟଙ୍କା ୪୧ ପଇସା ଧାର୍ଯ୍ୟ ହୋଇଛି। ଏସି ଡିଲକ୍ସ ବସ୍ର ଭଡ଼ା ୧ ଟଙ୍କା ୯୯ ପଇସା ଏବଂ ସୁପର ପ୍ରିମିୟମ୍ ବସ୍ର ଭଡ଼ା ୩ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ ଭଡ଼ା ରହିଛି ସ୍ଲିପର୍ ଏସି କୋଚ୍ରେ। ଏହି ବସ୍ରେ କିଲୋମିଟର ପିଛା ଭଡ଼ା ୪ ଟଙ୍କା ୧ ପଇସାକୁ ବୃଦ୍ଧି କରାଯାଇଛି।
ବସ୍ ଭଡ଼ା ବୃଦ୍ଧି ପରେ ନିୟମିତ ବସ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ମାସିକ ଖର୍ଚ୍ଚ ମଧ୍ୟ ବଢ଼ିବା ନିଶ୍ଚିତ। ବିଶେଷକରି ଚାକିରିଆ, ଛାତ୍ରଛାତ୍ରୀ ଓ ଦୈନିକ ଯାତାୟାତ ପାଇଁ ବସ୍ ଉପରେ ନିର୍ଭରଶୀଳ ଲୋକଙ୍କୁ ଏହି ନିଷ୍ପତ୍ତିର ପ୍ରଭାବ ସହିବାକୁ ପଡ଼ିବ।


