ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତାକୁ ସିଲ୍ କରାଯାଇଛି। ଗୁରୁବାରଠାରୁ ଉଭୟ ଘାଟି ରାସ୍ତାରେ ଯାତାୟାତ ବନ୍ଦ ରହିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପାଣିପାଗର ଅନିଶ୍ଚିତତା ଏବଂ ବାତ୍ୟାଜନିତ ବିପଦକୁ ଆଖି ଆଗରେ ରଖି ପ୍ରଶାସନ ଏଭଳି କଠୋର ପଦକ୍ଷେପ ନେଇଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା, ଭୂସ୍ଖଳନ, ପଥର ଖସିବା ଏବଂ ରାସ୍ତା ପିଚ୍ଛଳ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଯାନବାହନ ଚଳାଚଳ ଜାରି ରହିଲେ ଦୁର୍ଘଟଣାର ଆଶଙ୍କା ବଢ଼ିପାରେ। ତେଣୁ ଯାତ୍ରୀ ଓ ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ଘାଟି ରାସ୍ତାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ସ୍ଥିତି ସ୍ୱାଭାବିକ ହେବା ଏବଂ ସୁରକ୍ଷା ଯାଞ୍ଚ ପରେ ହିଁ ଘାଟି ରାସ୍ତା ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।


