ଭୋପାଳ: ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମଧ୍ୟପ୍ରଦେଶ ସରକାର ଏକ ଐତିହାସିକ ତଥା ଆଶ୍ୱସ୍ତିକର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ‘ଦୁଇ ସନ୍ତାନ’ ନୀତିକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ମନ୍ତ୍ରିମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମନ୍ଦସୌର ଜିଲ୍ଲାର ଗାନ୍ଧୀ ସାଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ହଜାର ହଜାର ସରକାରୀ କର୍ମଚାରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଯୁବକଯୁବତୀଙ୍କୁ ବଡ଼ ଧରଣର ଆଶ୍ୱସ୍ତି ମିଳିଛି।
ମନ୍ତ୍ରିମଣ୍ଡଳର ଏହି ନିଷ୍ପତ୍ତି ଅନୁଯାୟୀ, ‘ମଧ୍ୟପ୍ରଦେଶ ବେସାମରିକ ସେବା (ସେବାର ସାଧାରଣ ସର୍ତ୍ତାବଳୀ) ନିୟମ, ୧୯୬୧’ରେ ସଂଶୋଧନ କରାଯାଇ ଦୁଇରୁ ଅଧିକ ସନ୍ତାନ ଥିବା ପ୍ରାର୍ଥୀଙ୍କୁ ସରକାରୀ ନିଯୁକ୍ତିରୁ ଅଯୋଗ୍ୟ ଘୋଷଣା କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପୂର୍ବ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନଙ୍କର ଦୁଇରୁ ଅଧିକ ଜୀବିତ ସନ୍ତାନ ଥିଲେ ଏବଂ ୨୦୦୧ ମସିହା ଜାନୁଆରୀ ୨୬ ତାରିଖ କିମ୍ବା ତା’ପରେ ତୃତୀୟ ସନ୍ତାନ ଜନ୍ମ ହୋଇଥିଲା, ସେମାନଙ୍କୁ ରାଜ୍ୟ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚନା କରାଯାଉଥିଲା। ମାତ୍ର ସଂଶୋଧିତ ନିୟମ ଲାଗୁ ହେବା ପରେ ଏବେ ତିନି କିମ୍ବା ତଦୂର୍ଦ୍ଧ୍ୱ ସନ୍ତାନ ଥିବା ବ୍ୟକ୍ତିବିଶେଷ ମଧ୍ୟ ସରକାରୀ ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବିବେଚିତ ହେବେ ଏବଂ କେବଳ ସନ୍ତାନ ସଂଖ୍ୟା ଅଧିକ ଥିବା କାରଣରୁ ସେମାନଙ୍କୁ ଆଉ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯିବ ନାହିଁ।
କେବଳ ନୂତନ ନିଯୁକ୍ତି ନୁହେଁ, ବରଂ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ନିୟମକୁ କୋହଳ କରାଯାଇଛି। ଏଥିପାଇଁ ‘ମଧ୍ୟପ୍ରଦେଶ ବେସାମରିକ ସେବା (ଆଚରଣ) ନିୟମ, ୧୯୬୫’ରେ ମଧ୍ୟ ଆବଶ୍ୟକ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ନିୟମ ଅନୁସାରେ କାର୍ଯ୍ୟରତ କର୍ମଚାରୀଙ୍କର ଦୁଇରୁ ଅଧିକ ସନ୍ତାନ ହେଲେ ତାହାକୁ ସେବାଗତ ଅସଦାଚରଣ ଭାବେ ଗଣନା କରାଯାଉଥିଲା ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ନୂଆ ନିଷ୍ପତ୍ତି ପରେ ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ ଯେଉଁ କର୍ମଚାରୀମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତି ମିଳିବ ଏବଂ ସେମାନଙ୍କ ବିରୋଧରେ ବିଚାରାଧୀନ ଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିଦିଆଯିବ।
ବିଭିନ୍ନ ସରକାରୀ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି କଟକଣା ସମ୍ପର୍କିତ ପ୍ରାୟ ୮ ହଜାରରୁ ୧୦ ହଜାର ମାମଲା ଏବେ ବିଭିନ୍ନ ସ୍ତରରେ ବିଚାରାଧୀନ ରହିଛି। ବିଶେଷ କରି ବିଦ୍ୟାଳୟ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗରେ ଏଭଳି ସର୍ବାଧିକ ମାମଲା ପଡ଼ିରହିଛି। କେବଳ ବିଦ୍ୟାଳୟ ଶିକ୍ଷା ବିଭାଗର ତିରିଶ ହଜାରରୁ ଅଧିକ ଶିକ୍ଷକ ଏହି ନୀତିଗତ ପରିବର୍ତ୍ତନ ଦ୍ୱାରା ସିଧାସଳଖ ଉପକୃତ ହେବେ ବୋଲି ଆଶା କରାଯାଉଛି। ତେବେ ପୂର୍ବରୁ ଏହି ନିୟମ ଆଧାରରେ ଯେଉଁ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇସାରିଛି କିମ୍ବା ଯେଉଁ ମାମଲାରେ ଚୂଡ଼ାନ୍ତ ଦଣ୍ଡାଦେଶ ହୋଇସାରିଛି, ସେଗୁଡ଼ିକୁ ପୁନଃବିଚାର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୦୧ ମସିହାରେ ଜନସଂଖ୍ୟା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏହି ଦୁଇ ସନ୍ତାନ ନୀତି ଲାଗୁ କରାଯାଇଥିଲା। ପ୍ରାୟ ଅଢ଼େଇ ଦଶନ୍ଧି ପରେ ବର୍ତ୍ତମାନର ସରକାର ଏହାର ସମୀକ୍ଷା କରି ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ମଧ୍ୟପ୍ରଦେଶ ପୂର୍ବରୁ ରାଜସ୍ଥାନ, ଛତିଶଗଡ଼, ହରିୟାଣା ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ସରକାରୀ ଚାକିରି କ୍ଷେତ୍ରରୁ ଏହି ଦୁଇ ସନ୍ତାନ କଟକଣାକୁ ହଟାଇ ସାରିଛନ୍ତି।


