Cyclone Akvan Update:ବାରମ୍ବାର ଗତିପଥ ବଦଳାଉଛି ବାତ୍ୟା ଅକଭାନ୍। କାରଣ ପୂର୍ବରୁ ଏହା ଆନ୍ଧ୍ର ଚେନ୍ନାଇ ମଧ୍ୟରେ ମାଡ ହେବ ବୋଲି କୁହାଯାଇଥିଲା। ହେଲେ ଏହା ଗତପଥ ବଦଳାଇବାରୁ ନରାସପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି କୁହାଗଲା। ହେଲେ ଏବେ ତାହାର ଗତିପଥ ବଦଳାଇ ଏହା ବର୍ତ୍ତମାନ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି।
ଭାରତୀୟ ପାଣିପାଗ ବିଭାଗ ସୁତ୍ର ଅନୁସାରେ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅକଭାନ’ (Akvan) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି। ଆଜି ଅର୍ଥାତ ନଭେମ୍ବର ୧୯ ତାରିଖ ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୫.୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ କେନ୍ଦ୍ରୀଭୂତ ହୋଇଥିଲା।
IMDର ସୂଚନା ଅନୁସାରେ, ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୩୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, କଳିଙ୍ଗପାଟଣମଠାରୁ ୩୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୪୩୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ୪୯୦ କିଲୋମିଟର ଦକ୍ଷିଣରେ ରହିଥିଲା। ସେହିପରି ତାମିଲନାଡୁର ଚେନ୍ନାଇଠାରୁ ଏହା ୬୦୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଅବସ୍ଥିତ ଥିଲା।
ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସ୍ଥଳଭାଗ ଅତିକ୍ରମ ସମୟରେ ଘଣ୍ଟାପ୍ରତି ସର୍ବାଧିକ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି IMD ପକ୍ଷରୁ କୁହାଯାଇଛି।


