ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପେପର ଲିକ୍ ମାମଲାରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ୩ ଜଣ ବିଷୟ ବିଶେଷଜ୍ଞଙ୍କ ସମେତ ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଅଭିଯୋଗ ସ୍ଥିର କରିଛନ୍ତି। ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ୱାସଘାତକତା ଓ ଦୁର୍ନୀତି ଭଳି ଦଫାରେ ଅଭିଯୁକ୍ତମାନେ ମକଦ୍ଦମାର ସମ୍ମୁଖୀନ ହେବେ ଏବଂ ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ମାମଲାର ଦୈନିକ ଶୁଣାଣି ଆରମ୍ଭ ହେବ। ଏମାନଙ୍କ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସହ ଜଡ଼ିତ ତିନି ଜଣ ବିଷୟ ବିଶେଷଜ୍ଞ (ସବଜେକ୍ଟ ଏକ୍ସପର୍ଟ) ମନିଷା ଗୁରୁନାଥ ମନ୍ଧାରେ, ପିଭି କୁଲକର୍ଣ୍ଣୀ ଏବଂ ମନିଷା ସଞ୍ଜୟ ହୱାଲଦାର ମଧ୍ୟ ସାମିଲ ଅଛନ୍ତି। ରାଉଜ ଆଭେନ୍ୟୁ କୋର୍ଟ ସ୍ଥିତ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ବିଶେଷ ବିଚାରପତି ଅଜୟ ଗୁପ୍ତାଙ୍କ ସମ୍ମୁଖରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା। ସେମାନେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ ମକଦ୍ଦମାର ସମ୍ମୁଖୀନ ହେବେ ବୋଲି କହିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ୱାସଘାତକତା ଏବଂ ଦୁର୍ନୀତି ସମେତ ଅନେକ ଦଫାରେ ଅଭିଯୋଗ ସ୍ଥିର କରାଯାଇଛି।
ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ମାମଲାର ଦୈନିକ ଶୁଣାଣି ହେବ। ଗତ ମେ ୩ ତାରିଖରେ ନିଟ୍-ୟୁଜି ୨୦୨୬ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପେପର ଲିକ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ମେ ୧୨ରେ ଏନ୍ଟିଏ ପରୀକ୍ଷାକୁ ବାତିଲ କରିଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ଜୁନ୍ ୨୧ରେ ପୁନର୍ବାର ପରୀକ୍ଷା ଆୟୋଜନ କରାଯାଇଥିଲା। ତେବେ ଏହି ମାମଲାରେ ଦିଲ୍ଲୀ ଅଦାଲତ ନଭେମ୍ବର ୧୮ ତାରିଖରେ ୨୦୬ ପୃଷ୍ଠାର ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିବାକୁ କହିଥିଲେ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ବିଶ୍ୱାସଘାତକତା ଏବଂ ଦୁର୍ନୀତି ଭଳି ଅପରାଧର ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଥିଲେ। କୋର୍ଟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ଘଞଇର ଗୋପନୀୟ ପରୀକ୍ଷା ସାମଗ୍ରୀକୁ ବେଆଇନ ଭାବେ ହାସଲ କରିଥିଲେ, ପରସ୍ପର ମଧ୍ୟରେ ବାଣ୍ଟିଥିଲେ ଏବଂ ଏହାର ବ୍ୟବହାର କରିଥିଲେ। ଏହାକୁ କୋର୍ଟ ଏକ ସଂଗଠିତ ଷଡ଼ଯନ୍ତ୍ରର ଅଂଶ ବୋଲି ଦର୍ଶାଇଛନ୍ତି।
ମନିଷା ଗୁରୁନାଥ ମନ୍ଧାରେ, ପିଭି କୁଲକର୍ଣ୍ଣୀ ଏବଂ ମନିଷା ସଞ୍ଜୟ ହୱାଲଦାର ଏନ୍ଟିଏ ପାଇଁ ଯଥାକ୍ରମେ ବାୟୋଲୋଜି, ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ, ତେଣୁ ସେମାନଙ୍କୁ ଲୋକସେବକ ଭାବେ ବିବେଚନା କରାଯାଇଛି। ଏହି ତିନି ଜଣ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ପରୀକ୍ଷାର ଗୋପନୀୟ ପ୍ରଶ୍ନ ବେଆଇନ ଭାବେ ହାସଲ କରିଥିବା ଅଭିଯୋଗ ହୋଇଛି। ପରୀକ୍ଷା ସାମଗ୍ରୀର ଗୋପନୀୟତା ବଜାୟ ରଖିବାର ଦାୟିତ୍ୱ ଏହି ତିନି ଜଣଙ୍କ ଉପରେ ଥିଲା ବୋଲି କୋର୍ଟ କହିଛନ୍ତି। ଅଦାଲତଙ୍କ ମତରେ, ପେପର ଲିକ୍ ଯୋଗୁଁ ପ୍ରାର୍ଥୀମାନେ କୋଚିଂ, ଯାତ୍ରା ଏବଂ ରହିବା ପାଇଁ ଖର୍ଚ୍ଚ କରିଥିବା ଅର୍ଥ ମଧ୍ୟ ବୃଥା ଯାଇପାରେ, ଯାହାଦ୍ୱାରା ସେମାନଙ୍କୁ ଆର୍ôଥକ କ୍ଷତି ସହିବାକୁ ପଡ଼ିଥାନ୍ତା। ଗୋଟିଏ କାର୍ଯ୍ୟକଳାପ ଆଧାରରେ ଯଦି ତାହା ଆଇନ ଅନୁଯାୟୀ ଭିନ୍ନ ଭିନ୍ନ ଅପରାଧ ହେଉଛି, ତେବେ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ଅପରାଧରେ ମକଦ୍ଦମା ଚାଲିପାରିବ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।


