Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’
ଆଜିର ଖବର

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’
ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭବାନୀପାଟଣା: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୋଲିସର ସହଯୋଗରେ ଆଜି ଭବାନୀପାଟଣାଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ ହୋଇଯାଇଛି। ପୂର୍ବରୁ ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲ୍ୟୁଇ) ପ୍ରଭାବିତ ଥିବା କଳାହାଣ୍ଡି ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା। ବରିଷ୍ଠ ସରକାରୀ ଅଧିକାରୀ, ପୋଲିସ କର୍ମଚାରୀ, ଶିକ୍ଷାବିତ୍ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନକ୍ସଲ ପ୍ରଭାବିତ ଜିଲ୍ଲାରୁ ଶାନ୍ତି, ସ୍ଥିରତା ଓ ସମାବେଶୀ ବିକାଶ ଦିଗରେ କଳାହାଣ୍ଡିର ରୂପାନ୍ତରଣ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ସରକାରୀ ପଦକ୍ଷେପ ଏବଂ ପୂର୍ବତନ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଘଟୁଥିବା ବିକାଶମୂଳକ ପରିବର୍ତ୍ତନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ସକାରାତ୍ମକ ଓ ଗଠନମୂଳକ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନ, ସୁରକ୍ଷା ଏଜେନ୍ସି, ଶିକ୍ଷାବିତ୍ ଏବଂ ଗଣମାଧ୍ୟମ ମଧ୍ୟରେ ଭାବ ବିନିମୟ ଓ ସମନ୍ୱୟ ପାଇଁ ଏହି କର୍ମଶାଳା ଏକ ଉପଯୁକ୍ତ ମଞ୍ଚ ଯୋଗାଇ ଦେଇଛି ବୋଲି ସେ କହିଥିଲେ।

ସମାବେଶକୁ ସମ୍ବୋଧିତ କରି ପତ୍ର ସୁଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଯେ ନକ୍ସଲମୁକ୍ତ ସ୍ଥିତି ହାସଲ କରିବା କେବଳ ଏକ ସଫଳତା ନୁହେଁ, ବରଂ ଏହା ସାମାଜିକ ଓ ଆର୍ଥିକ ରୂପାନ୍ତରଣର ଏକ ନିରନ୍ତର ଯାତ୍ରାର ଆରମ୍ଭ। ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍, ଡାକ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକା ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକୁ ସୁଦୃଢ଼ କରିବା ସହ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପୁନର୍ବାସ ଏବଂ ସେମାନଙ୍କୁ ସମାଜର ସମର୍ଥନ ଯୋଗାଇଦେବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଏଥିସହ ସାମ୍ବାଦିକମାନେ କେବଳ ସଫଳତା ନୁହେଁ, ବରଂ ବିକାଶ କ୍ଷେତ୍ରରେ ରହିଥିବା ଅଭାବ ଓ ଆହ୍ୱାନଗୁଡ଼ିକୁ ମଧ୍ୟ ଦାୟିତ୍ୱବାନ ଭାବେ ଲୋକଲୋଚନକୁ ଆଣିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।

କଳାହାଣ୍ଡିର ନକ୍ସଲ ବିରୋଧୀ ଅଭିଯାନ ଓ ପରିବର୍ତ୍ତନର ଯାତ୍ରା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ସୁରକ୍ଷା ବାହିନୀର ଅପରେସନାଲ ସଫଳତା ଏବଂ ବଳିଦାନର ବିବରଣୀ ଦେଇଥିଲେ। ୨୦୦୯ ମସିହାରୁ ଜିଲ୍ଲାର ୧୨ଟି ଥାନା ଅଞ୍ଚଳ ନକ୍ସଲବାଦ ଦ୍ୱାରା ପ୍ରଭାବିତ ହୋଇଥିଲା। ୨୦୧୩ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ସୁରକ୍ଷା ବାହିନୀ ପକ୍ଷରୁ ୩,୫୦୦ରୁ ଅଧିକ ନକ୍ସଲ ବିରୋଧୀ ଅଭିଯାନ ପରିଚାଳନା କରାଯାଇଥିଲା। ଏଥିମଧ୍ୟରୁ ୨୦୨୪ ମସିହାରେ ୫୭୧ଟି ଏବଂ ୨୦୨୫ ମସିହାରେ ୪୬୨ଟି ଅଭିଯାନ ସାମିଲ ଥିଲା। ଏହି ସମୟ ମଧ୍ୟରେ ୩୩ଟି ଗୁଳି ବିନିମୟ ଘଟଣାରେ ୧୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨୦ ଜଣ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ।

ସୁଦୃଢ଼ ଗୁଇନ୍ଦା ବ୍ୟବସ୍ଥା, ମାଓବାଦୀଙ୍କ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିବା, ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତାରେ ଆଇନଶୃଙ୍ଖଳା ରକ୍ଷା ଏବଂ ଆଦିବାସୀ ଅଞ୍ଚଳର ବିକାଶକୁ ସେ ଏହି ସଫଳତାର ପ୍ରମୁଖ କାରଣ ଭାବେ ଉଲ୍ଲେଖ କରିଥିଲେ। ଆଦିବାସୀ ଅଞ୍ଚଳରେ ୫୪୨ କିଲୋମିଟର ରାସ୍ତା, ୨୫ଟି ସେତୁ ଏବଂ ୬୫ଟି ମୋବାଇଲ୍ ଟାୱାର ନିର୍ମାଣ ଦ୍ୱାରା ଯୋଗାଯୋଗ ଓ ବିକାଶକୁ ନୂଆ ଦିଗ ମିଳିଛି। ୨୦୨୦ ସେପ୍ଟେମ୍ବର ୯ ତାରିଖରେ ସିକ୍ରି ଗ୍ରାମ ନିକଟରେ ସହିଦ ହୋଇଥିବା ଏସ୍‌ଓଜି କମାଣ୍ଡର ଏସ୍‌.କେ. ଟୁଡୁ ଏବଂ ଦେବାଶିଷ ସେଠୀଙ୍କ ବଳିଦାନକୁ ମଧ୍ୟ ସେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଏଥିସହ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ଆତ୍ମସମର୍ପଣକାରୀଙ୍କୁ ଆର୍ଥିକ ସହାୟତା, ଆବାସ, ଦକ୍ଷତା ବିକାଶ ପ୍ରଶିକ୍ଷଣ ଓ ଭତ୍ତା ପ୍ରଦାନ କରାଯାଉଥିବା ସେ କହିଥିଲେ। ସୁରକ୍ଷା ବାହିନୀ, ଜିଲ୍ଲା ପ୍ରଶାସନ, ସରକାର ଏବଂ ସାଧାରଣ ଜନତାଙ୍କ ସାମୂହିକ ପ୍ରୟାସ ହିଁ ଏହି ସଫଳତାର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ।

କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ବୈତରୁ ଦୀପ ଜିଲ୍ଲାରେ ଜଳସେଚନ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଶିଳ୍ପ ଓ ବିଦ୍ୟୁତ୍ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସହ ଡିଜିଟାଲ୍ ଯୋଗାଯୋଗର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ବଳ ଓ ଅସହାୟ ପରିବାରଗୁଡ଼ିକ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ପିଏମ୍-ଜନମନ୍ ଏବଂ ଗ୍ରାମୋଦୟ ଭଳି ପଦକ୍ଷେପର ଭୂମିକାକୁ ସେ ଗୁରୁତ୍ୱ ଦେଇଥିଲେ।

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ. ବୀରେନ୍ଦ୍ର ସୁନା ସ୍ଥାୟୀ ବିକାଶର ମୁଖ୍ୟ ସ୍ତମ୍ଭ ଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପୁଷ୍ଟିକୁ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ସହ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଏବଂ ବିକଶିତ ଭାରତ ୨୦୪୭ ସହ ସମନ୍ୱିତ ଏକ ଜିଲ୍ଲାଭିତ୍ତିକ ବିକାଶ ସୂଚକାଙ୍କ ପ୍ରସ୍ତୁତ କରିବା ଉପରେ ସେ ମତ ରଖିଥିଲେ।

କଳାହାଣ୍ଡିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା କହିଥିଲେ ଯେ ଶାନ୍ତି ହେଉଛି ପ୍ରଗତିର ମୂଳଦୁଆ। ସାମ୍ବାଦିକମାନେ ସକାରାତ୍ମକ ବିକାଶମୂଳକ କାହାଣୀକୁ ଲୋକଲୋଚନକୁ ଆଣିବା ସହ ଉଗ୍ରବାଦୀ ବିଚାରଧାରାର ମୁକାବିଲାରେ ସକ୍ରିୟ ଭୂମିକା ନିର୍ବାହ କରିବା ଆବଶ୍ୟକ, ଯାହାଦ୍ୱାରା ନକ୍ସଲବାଦ ପୁନର୍ବାର ନିଜର ସ୍ଥାନ ସୃଷ୍ଟି କରିପାରିବ ନାହିଁ। ହିଂସା କେବେବି ବିକାଶର ଅଂଶ ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କିଛି ଆତ୍ମସମର୍ପଣକାରୀ ପୂର୍ବତନ ମାଓବାଦୀ ମଧ୍ୟ ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଥିଲେ। କେଉଁ ପରିସ୍ଥିତିରେ ସେମାନେ ଉଗ୍ରବାଦୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ସେହି ଆନ୍ଦୋଳନ ମଧ୍ୟରେ ଜୀବନର ବାସ୍ତବତା କିପରି ଥିଲା, ସେ ସମ୍ପର୍କରେ ସେମାନେ ନିଜ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ସେମାନଙ୍କ ଅନୁଭୂତି ଆତ୍ମସମର୍ପଣକାରୀଙ୍କ ପୁନର୍ବାସ, ଜୀବିକାର ସୁଯୋଗ ଏବଂ ସାମାଜିକ ପୁନଃଏକୀକରଣ ମାଧ୍ୟମରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା।

କଳାହାଣ୍ଡି ପୋଲିସ ପକ୍ଷରୁ ଏକ ଉପସ୍ଥାପନା ଏବଂ ତୃଣମୂଳସ୍ତରର ବିକାଶମୂଳକ ପ୍ରାଥମିକତା ଉପରେ ଗଣମାଧ୍ୟମ ସହ ଏକ ଆଲୋଚନା ଅଧିବେଶନ ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି ଅବସରରେ ପିଆଇବି ଭୁବନେଶ୍ୱରର ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଉପସ୍ଥିତ ସମସ୍ତ ଅତିଥି, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସ, ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ମୂଲ୍ୟବାନ ଅବଦାନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ଓ ପରିଚାଳନା  ଦାୟିତ୍ୱ ନିର୍ବାହ କରିବା ସହ ସମ୍ପୃକ୍ତ ବିଭାଗ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିଥିଲେ।

‘‘ବାର୍ତ୍ତାଳାପ’’ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ପିଆଇବି ଭୁବନେଶ୍ୱର ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା: ପଦକ ତାଲିକାର ଶୀର୍ଷରେ ଭାରତ

November 27, 2026

ଆସନ୍ତାକାଲି ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ସୁପ୍ରିୟା ସୁଲେ: କହିଲେ କାରଣ

November 27, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ଜଣଙ୍କ ମୃତ୍ୟୁ

November 27, 2026

ଗୁଜରାଟରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ : ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଗିରଫ

November 27, 2026
Latest News

ଭବାନୀପାଟଣାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

November 27, 2026

ପ୍ରଥମ ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା: ପଦକ ତାଲିକାର ଶୀର୍ଷରେ ଭାରତ

November 27, 2026

ଆସନ୍ତାକାଲି ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ସୁପ୍ରିୟା ସୁଲେ: କହିଲେ କାରଣ

November 27, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ୨ ଜଣଙ୍କ ମୃତ୍ୟୁ

November 27, 2026

ଗୁଜରାଟରେ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ : ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଗିରଫ

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.