ଭୁବନେଶ୍ଵର: ଡିଏଭି ପୋଖରୀପୁଟ ଏବଂ ବି.ସି.କେ.ଆଇ.ସି.ର ମିଳିତ ସହଯୋଗରେ ଅଟଳ ଇନୋଭେସନ୍ ମିଶନ୍ (ନିତିଆୟୋଗ , ଭାରତ ସରକାରଙ୍କ) ଆନୁକୂଲ୍ୟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର ୨.୦ ଅନୁଷ୍ଠିତ ହୋଇଯାଇଛି। ଡି.ଆର୍.ଡି.ଓ.ର ମହା-ନିର୍ଦ୍ଦେଶକ (ଇ.ସି.ଏସ୍.) ପ୍ରଫେସର ବିନୟ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ସହ ଦେଶମାତୃକା ନିମନ୍ତେ କାର୍ଯ୍ୟକରିବା ପାଇଁ ବଦ୍ଧପରିକର ହେବାକୁ ସେ ଛାତ୍ର ଉଦ୍ଭାବକମାନଙ୍କୁ ଆହ୍ୱାନ ଦେଇଥିଲେ। ଡିଏଭି ପୋଖରୀପୁଟର ପୂର୍ବତନ ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମଞ୍ଚାସୀନ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ।
ଏହି ପ୍ରଦର୍ଶନୀରେ ଓଡ଼ିଶାର ୧୩୫ ଟି ପ୍ରକଳ୍ପରେ ୮୦୦ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ପ୍ରଫେସର ରାଜାରମଣ ଏରି, ପ୍ରୋ-ଭାଇସଚାନ୍ସେଲର, ଦି ୟୁନିଭରସିଟି ଅଫ୍ ଓ୍ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ, ଡ. ମୃତ୍ୟୁଞ୍ଜୟ ସୁଆର, ଚେୟାରମ୍ୟାନ, ବି.ସି.କେ.ଆଇ.ସି., ଡ. ନମ୍ରତା ମିଶ୍ର , ସି.ଇ.ଓ, ବି.ସି.କେ.ଆଇ.ସି. ଏବଂ ଡ. ସଞ୍ଜୟ ସୁଆର, ପ୍ରିନ୍ସିପାଲ, କିଟ୍ ଇଣ୍ଟରନାସନାଲ ସ୍କୁଲ , ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ ବଳରାମ ମହାପାତ୍ର ପ୍ରମୁଖ ଅତିଥିବୃନ୍ଦ ଏଥିରେ କରିଥିଲେ। ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ-ଆଞ୍ଚଳିକ ଅଧିକାରୀ ତଥା ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଫେୟାରରେ କ୍ଲୋରଫିଲ୍ ସ୍କୁଲ, ବ୍ରହ୍ମପୁର ପ୍ରଥମ, ଡିଏଭି ପୋଖରୀପୁଟ ଏବଂ କିଟ୍ ଇଣ୍ଟରନାସନାଲ୍ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସଂଯୋଜନାରେ ତଥା ପ୍ରିୟବ୍ରତ କର (ରିଜିଓନାଲ ମେଣ୍ଟର ଅଫ୍ ଚେଞ୍ଜ, ଏଟିଏଲ୍, ଓଡ଼ିଶା)ଙ୍କ ସକ୍ରିୟ ସହଯୋଗରେ ଏହା ସାଫଲ୍ୟ ମଣ୍ଡିତ ହୋଇଥିଲା।


