ରଙ୍ଗାଚରଣ ପ୍ରଧାନ
ଶ୍ରୀମାନ୍ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ହସରେ ଉଡାଇ ହେବନାହିଁ। ସେ ଜଣେ ନାମକରା ଓକିଲ। ପଢାଲେଖା ଲୋକ। ଉଭୟ ବାଜପେୟୀ ଓ ମୋଦୀ ସରକାରରେ ସେ ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି। ତେଣୁ ଗତ ଶନିବାର ଦିନ ଯେତେବେଳେ ସେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ବା ସ୍ଲୋଡାଉନ୍ ନାହିଁ ବୋଲି କହିବା ପାଇଁ ତିନୋଟି ଫିଲିମ୍ ର ଟିକେଟ ବିକ୍ରି ଉଦାହରଣ ଦେଲେ ତାହାକୁ ଆମେ ଗୁରୁତ୍ବର ସହ ବିଚାର କରିବା ଉଚିତ୍। ମନେ ରଖନ୍ତୁ, ରବିଶଙ୍କର ପ୍ରସାଦ ଏ କଥା କୌଣସି ଥଟ୍ଟା ପରିହାସରେ କହି ନାହାନ୍ତି। କାରଣ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିବା ପାଇଁ ତାଙ୍କୁ ଏକ କାଗଜର ନୋଟ୍ ଧରାଇ ଦିଆଯାଇଥିଲା ଯାହାକୁ ପଢି ସେ କହୁଥିଲେ।
ସେ ମୁମ୍ବାଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହୁଥିବା ବେଳେ ତାଙ୍କରି ସରକାରଙ୍କର ପରିସଂଖ୍ୟାନ ବିଭାଗ ଘୋଷଣା କଲା ଯେ ଅଗଷ୍ଟ ମାସରେ ଶିଳ୍ପ ଉତ୍ପାଦନ ଶୁନ ଠାରୁ କମ୍ ଦରରେ ବଢିଛି ବା ପୂର୍ବମାସଠାରୁ ୧.୧% କମିଛି। ଗତ ବର୍ଷ ଅଗଷ୍ଟ ମାସରେ ଏହା ୪.୮% ହାରରେ ବଢିଥିଲା। ତଥାପି ଚାଲନ୍ତୁ, ଯେହେତୁ ରବିଶଙ୍କର ପ୍ରସାଦ ଦେଶର ଆଇନ୍ ଓ ନ୍ୟାୟମନ୍ତ୍ରୀ ଅଟନ୍ତି, ତେଣୁ ତାଙ୍କରି କଥାକୁ ବିଶ୍ବାସ କରି କହିବା ଯେ ଏନଏସଏସଓ ତଥ୍ୟ ଭୁଲ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଭୁଲ ଓ ରିଜର୍ଭ ବ୍ୟାଙ୍କର ଆକଳନ ବି ଭୁଲ। ହୁଏତ ଯେହେତୁ ମନ୍ତ୍ରୀ ମୁମ୍ବାଇରେ ଥିଲେ ତେଣୁ ଦିଲ୍ଲୀରେ ଘୋଷଣା ହୋଇଥିବା ଶିଳ୍ପ ଉତ୍ପାଦନ କମିବା ଖବର ତାଙ୍କ ପାଖରେ ପହଞ୍ଚି ପାରିନାହିଁ।
ସେ କହିଲେ ଯେ ଜୋକର, ଓ୍ବାର୍ ଓ ସେରା ନାମକ ତିନୋଟି ଫିଲିମ୍ ଦେଖିବା ପାଇଁ ଗତ ଅକ୍ଟୋବର ୨ ତାରିଖ ଦିନ ୧୨୦ କୋଟୀ ଟଙ୍କାର ଟିକେଟ ବିକ୍ରୀ ହୋଇଥିଲା। ସେ ଦେଶରେ ବିକ୍ରୀ ଓ ଚାହିଦାର ଏକ ନମୁନା ଦେବାକୁ ଯାଇ ସିନେମା ଟିକେଟ ବିକ୍ରୀ କଥା କହିଲେ।
ତେବେ ବର୍ତ୍ତମାନ ଏକଥା କେହି କହୁ ନାହାନ୍ତି ଯେ ଦେଶରେ ବିକ୍ରିବଟା କମିଯାଇଛି। ଏହା ସତ ଯେ ଏବେ ବି ଆଗ ଅପେକ୍ଷା ଦେଶରେ ବିକ୍ରିବଟା ବଢିଛି। ତେଣୁ ଯେଉଁମାନେ ଦେଶରେ ମନ୍ଦି ଚାଲିଛି ବୋଲି କହୁଛନ୍ତି ସେମାନଙ୍କର କହିବାର ଏ ଅର୍ଥ ନୁହେଁ ଯେ ଦେଶରେ ବିକ୍ରିବଟା ହେଉନାହିଁ କିମ୍ବା କମିଯାଇଛି।
କିନ୍ତୁ ସମସ୍ୟା ହେଉଛି ଯେ ଯେଉଁ ଭଳିଭାବେ ବିକ୍ରିବଟାରେ ବୄଦ୍ଧି ଆସିବା କଥା ତାହା ହେଉନାହିଁ। ଦେଶର ଜନସଂଖ୍ୟା ବଢୁଛି, ପ୍ରତିବର୍ଷ ଅଧିକରୁ ଅଧିକ ଯୁବକ ଯୁବତୀ କଲେଜରୁ ପାଠ ପଢି ଚାକିରୀ ବଜାରରେ ପ୍ରବେଶ କରୁଛନ୍ତି ଓ ଲୋକଙ୍କର ଜୀବନଧାରଣର ସ୍ତର ଖୁବ୍ ବଢାଇବାର ଆବଶ୍ୟକତା ଅଛି। ତେଣୁ ଏସବୁ ଆବଶ୍ୟକତାକୁ ଲକ୍ଷ ରଖି ଦେଶର ବିକ୍ରି, ଖର୍ଚ୍ଚ, ଉତ୍ପାଦନ ଓ ଜିଡିପି ସେହି ଗତିରେ ବଢିବା ଆବଶ୍ୟକ।
ତେଣୁ ଏକଥା ସତ ଯେ ଦେଶର ଅର୍ଥନୀତି ଓ ଦେଶର ସମୁଦାୟ ଉପଭୋକ୍ତା ଖର୍ଚ୍ଚ ଏବେ ବି ବଢୁଛି। କିନ୍ତୁ ଏହା ଯେଉଁ ବେଗରେ ବଢିବା ଆବଶ୍ୟକ ତାହା ହେଉନାହିଁ। ଲୋକମାନେ ଏବେ ବି କିଣାକିଣି କରୁଛନ୍ତି, କିନ୍ତୁ ଯେତିକି କିଣାକିଣି କରିବାର ଆଶା କରାଯିବା କଥା ତାହା ହେଉନାହିଁ। ଏହି କିଣାକିଣି ବା ବିକ୍ରିବଟା ଦେଶର ଜିଡିପିରେ ୬୦% ଯୋଗଦାନ ଦେଇଥାଏ।
ଆପଣ ସବୁପ୍ରକାର ଯାନବାହନ ବିକ୍ରିର ସଂଖ୍ୟାକୁ ଦେଖନ୍ତୁ। ଯାନବାହନ କଥା ଏଇଥିପାଇଁ କହୁଛି ଯେ ଏହି ଶିଳ୍ପ ଉପରେ ଆହୁରି ଅନେକ ଶିଳ୍ପ କାରଖାନା ନିର୍ଭର କରନ୍ତି। ଏହାର ବିକ୍ରୀ କମିଯାଇଛି। ଏହାର ଅର୍ଥ ହେଲା, ଲୋକମାନେ ଗତବର୍ଷ ଯେତିକି ସଂଖ୍ୟକ ଗାଡି କିଣିଥିଲେ ଏବର୍ଷ ତାହାଠାରୁ କମ କିଣୁଛନ୍ତି।
ଆପଣ ଏଫ୍.ଏମ୍.ସି.ଜି ଜିନିଷର ବିକ୍ରିକୁ ଦେଖନ୍ତୁ। ଯେତେସବୁ ଶିଘ୍ର ବିକ୍ରି ହେଉଥିବା କମଦାମ୍ ର ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ପ୍ୟାକେଟ ଜିନିଷ ଅଛି ସେସବୁକୁ ଏଫ୍.ଏମ୍.ସି.ଜି ଜିନିଷ କୁହାଯାଏ। ସେସବୁ କମ୍ପାନୀଗୁଡିକ ଏବେ ବି ବୄଦ୍ଧି ହାସଲ କରୁଛନ୍ତି। କିନ୍ତୁ ସେହି ବୄଦ୍ଧି ସେତେ ନୂହେଁ ଯେତିକି ହେବା କଥା ଏବଂ ଯେତିକି ଆଗରୁ ହେଉଥିଲା। ତେଣୁ ମାନ୍ଦାବସ୍ଥା କଥା କହିବା ବେଳେ କେହି ଏକଥା କହୁନାହାନ୍ତି ଯେ ଦେଶରେ ବିକ୍ରିବଟା କିମ୍ବା କିଣାକିଣି ହେଉନାହିଁ।
ଆପଣ ଗତବର୍ଷ (୨୦୧୮-୧୯) ଦେଶରେ ହୋଇଥିବା ସମୁଦାୟ ଖର୍ଚ୍ଚକୁ ଦେଖନ୍ତୁ। ଏହା ୧୧୨.୯ ଲକ୍ଷ କୋଟି ଟଙ୍କା ଥିଲା। ଧରନ୍ତୁ ଚଳିତ ବର୍ଷ ଏଥିରେ ୯% ବୄଦ୍ଧି ହେବ। ଏପରିକି ଏଥିପାଇଁ ମୁଦ୍ରାସ୍ଫିତିକୁ ବି ବିଚାରକୁ ନିଆ ନଯାଉ। ଅବଶ୍ୟ ଚଳିତ ବର୍ଷର ଏପ୍ରିଲଠାରୁ ଜୁନ୍ ମାସ ମଧ୍ୟରେ ଏଥିରେ ୬.୨% ବୄଦ୍ଧି ରେକର୍ଡ ହୋଇଛି।
ଏହି ୯% ବୄଦ୍ଧି ହେଲେ ଚଳିତ ବର୍ଷ ଦେଶରେ ସମୁଦାୟ ଖର୍ଚ୍ଚ ୧୨୩ ଲକ୍ଷ କୋଟି ଟଙ୍କା ହେବ। ତାହା ହେଲେ ଦେଶରେ ଦିନକୁ କେତେ ଖର୍ଚ୍ଚ ହେଉଛି ଜାଣିବାକୁ ହେଲେ ତାହାକୁ ୩୬୫ରେ ଭାଗ କରନ୍ତୁ। ଆପଣଙ୍କ ପାଖରେ ଯଦି ଏବେ କାଲକୁଲେଟର୍ ନାହିଁ ତେବେ ମୁଁ ହିସାବ କରି କହୁଛି। ଦିନକୁ ପଡିଲା ୩୩୭୦୦ କୋଟି ଟଙ୍କା। ଗତକାଲି ମନ୍ତ୍ରୀ କହିଲେ ଯେ ଗୋଟିଏ ଦିନରେ ଲୋକମାନେ ୧୨୦ କୋଟି ଟଙ୍କା ଖର୍ଚ୍ଚ କରି ତିନୋଟି ଫିଲମ୍ ଦେଖିଛନ୍ତି।
ତେବେ ଏହା ଦେଶର ସମୁଦାୟ ଦୈନିକ ଖର୍ଚ୍ଚର ଶତକଡା କେତେ ଅଂଶ ? ତାହା ବି ମୁଁ ହିସାବ କରି ଦେଉଛି। ଏହା ୧% ବି ନୁହେଁ। ଏହା ହେଉଛି ୦.୩୬%। ତେଣୁ ଯଦି ବି ଆମେ ଅତି ଆଶାବାଦୀ ହୋଇ ଓ ମୁଦ୍ରାସ୍ଫିତି ହିସାବକୁ ନ ନେଇ ଚଳିତ ବର୍ଷର ସମୁଦାୟ ଖର୍ଚ୍ଚରେ ୯% ବୄଦ୍ଧି ହେବ ବୋଲି ଧରିବା, ତାହେଲେ ରବିଶଙ୍କର ଯେଉଁ ଉଦାହରଣ ଦେଲେ ତାହା ହେଉଛି ତାହାର ମାତ୍ର ୦.୩୬%। ମନେ ରଖନ୍ତୁ , ସେ ଅକ୍ଟୋବର ୨ ତାରିଖରେ ଲୋକମାନଙ୍କର ଫିଲିମ ଦେଖା ଖର୍ଚ୍ଚ କଥା କହିଛନ୍ତି, ଯେଉଁଦିନ ଗାନ୍ଧିଜୟନ୍ତୀ ଛୁଟି ଯୋଗୁଁ ଅଧିକ ସଂଖ୍ୟକ ଲୋକେ ଦେଖିବାକୁ ଯାଇଥିବେ। ଯଦି ସାଧାରଣ ଦିନ କଥା କଳ୍ପନା କରିବା ତେବେ ତାହା ୦.୩୬% ଠାରୁ ଆହୁରି କମ୍ ହେବ।
ଶେଷରେ ମୁଁ ଆଉଥରେ କହି ରଖୁଛି ଯେ, ରବିଶଙ୍କର ଯେଉଁ ୧୨୦ କୋଟୀ ଟଙ୍କା କଥା କହିଲେ , ତାହା ହେଉଛି ୨୦୧୯-୨୦ ବର୍ଷରେ ଆଶା କରାଯାଉଥିବା ଦୈନିକ ଖର୍ଚ୍ଚର ମାତ୍ର ୦.୩୬%।
ଅର୍ଥନୀତି ଆଲୋଚନା କରିବା ସମୟରେ ଗୋଟିଏ ଏକୁଟିଆ ସଂଖ୍ୟାରୁ ପୁରାଚିତ୍ର ଜଣା ପଡେ ନାହିଁ। ଆପଣ ଏହାର ଶତକଡା ହିସାବ ଯଦି ବାହାର ନ କରିବେ ଓ ଏହାକୁ ପୁର୍ବ ସଂଖ୍ୟା ସହ ତୁଳନା ନ କରିବେ ତେବେ ସେହି ସଂଖ୍ୟାଟି ବହୁତ ବଡ ମନେ ହୋଇପାରେ।
ଆଜି ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ବି ଲୋକମାନେ ଖର୍ଚ୍ଚ କରୁଛନ୍ତି, ମାର୍କେଟ ଯାଉଛନ୍ତି, ରେଷ୍ଟୁରାଣ୍ଟରେ ଖାଉଛନ୍ତି, ଜିନିଷପତ୍ର କିଣୁଛନ୍ତି ଓ ଫିଲିମ୍ ଦେଖୁଛନ୍ତି। ଆଜି ରବିବାର। ଆପଣ ବି ଫିଲିମ୍ ଦେଖନ୍ତୁ। ମୁଁ ଜାଣିନି ରବିଶଙ୍କର ପ୍ରସାଦ କହିଥିବା ତିନୋଟି ଫିଲିମ୍ ଭଲ ହୋଇଛି କି ନାହିଁ। ଆଗରୁ ବି ମୋଗଲ-ଇ-ଆଜମ୍, ଶୋଲେ ଓ ଡିଡିଏଲଜେ ଭଳି ସୁପରହିଟ୍ ଫିଲିମ୍ ଆସିଥିଲା। ମୁଁ ଜାଣିନି ସେତେବେଳେ ଦେଶର ଆର୍ଥିକ ଅବସ୍ଥା କ’ଣ ଥିଲା ଓ ସେତେବେଳେ କୌଣସି କେନ୍ଦ୍ରମନ୍ତ୍ରୀ ଯଦି ଏପରି ବୟାନ ଦେଇଥିବେ ତାହା ୟୁଟ୍ୟୁବରେ ଅଛି କି ନାହିଁ। ଅର୍ଥନୀତିର ଏହି ଗୁଢ ରହସ୍ୟ ଫିଲିମ୍ ସମୀକ୍ଷକ କୋମଲ୍ ନାହାଟାଙ୍କୁ ପଚାରିଲେ ସେ ହୁଏତ କହିପାରନ୍ତି।