Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ଦ୍ଦାର ପଟେଲ, ପଣ୍ଡିତ ନେହେରୁ ଓ କାଶ୍ମୀର ପ୍ରସଙ୍ଗ
ବିଶେଷ ଖବର

ସର୍ଦ୍ଦାର ପଟେଲ, ପଣ୍ଡିତ ନେହେରୁ ଓ କାଶ୍ମୀର ପ୍ରସଙ୍ଗ

October 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଜାତି ଯେତେବେଳେ ତାର ଅନ୍ୟତମ ବିଶ୍ଵକର୍ମା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କର ୧୪୫ତମ ଜୟନ୍ତୀ ଦିବସର ଶ୍ରଦ୍ଧାଞ୍ଜଳି ଜଣାଉଛି, ସେତେବେଳେ ଦେଶର ଶାସକ ବର୍ଗ ପଟେଲଙ୍କର ଆଦର୍ଶ ଓ ବିଶ୍ଵାସ ବିରୋଧରେ ପଟେଲଙ୍କୁ ହିଁ ଠିଆ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ପଟେଲଙ୍କୁ ବଡ ଦେଖାଇବାକୁ ଯାଇ ତାଙ୍କର ସହଯୋଗୀ ଏବଂ ପ୍ରିୟତମ ବନ୍ଧୁ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଛୋଟ ଦେଖାଇବାର ଉଦ୍ୟମ କରୁଛନ୍ତି। ଆଜି ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ତାଙ୍କ ପାଇଁ ସବୁଠୁ ବଡ ଶ୍ରଦ୍ଧାଞ୍ଜଳି। ସେହିପରି ଓଡିଶାରେ ଭାଷଣ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ କୁଆଡେ ଆରମ୍ଭରୁ ମୋଦୀଙ୍କ ନେତୃତ୍ଵ ଭଳି ଅଗ୍ରଗତି କରିଥାନ୍ତା! ଏ ଦୁଇଟି ଯାକ ବକ୍ତବ୍ୟ ଇତିହାସର ବିକୃତି ଓ ଦୁଇଜଣ ମହାନ ଜନନାୟକଙ୍କୁ ତାଙ୍କ ଅବର୍ତ୍ତମାନରେ ନିନ୍ଦିତ କରିବାର ଏକ ଅପକୌଶଳ। ସର୍ଦ୍ଦାର ବଲ୍ଲଭଭାଇ ଓ ପଣ୍ଡିତ ନେହେରୁଙ୍କ ଭିତରେ ବହୁ ବିଚାର ବିଭେଦ ରହିଥିଲା, କିନ୍ତୁ ଉଭୟେ ଥିଲେ କଂଗ୍ରେସର ଏକନିଷ୍ଠ କର୍ମୀ ଓ ମହାତ୍ମା ଗାନ୍ଧୀଙ୍କ ଏକାନ୍ତ ଅନୁଗତ। କାଶ୍ମୀର ପ୍ରସଙ୍ଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବରେ ମିଳିତ ଭାବରେ କାମ କରିଛନ୍ତି ଓ କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ଭାବରେ ରଖିବା ଲାଗି ଉଦ୍ୟମ କରିଛନ୍ତି।

କାଶ୍ମୀର ସହିତ ଭାରତର ମିଶ୍ରଣ, ଧାରା ୩୭୦ ଓ କାଶ୍ମୀରବାସୀଙ୍କ ସ୍ଵାଭିମାନ ପ୍ରସଙ୍ଗରେ ସର୍ଦ୍ଦାର ପଟେଲ ଓ ପଣ୍ଡିତ ନେହେରୁଙ୍କ ଭିତରେ ହୋଇଥିବା ପତ୍ରାଳାପ, ଅଫିସିଆଲ ଟୀକା ତଥା ଉଭୟ ନେତାଙ୍କ ଡାଏରୀରେ ଅତ୍ୟନ୍ତ ସ୍ପଷ୍ଟ କଥା ସବୁ ରହିଛି। ଏହା ଗୋପନୀୟ ନୁହେଁ। ଏନବିଟି ଦ୍ଵାରା ପ୍ରକାଶିତ “ନେହେରୁ-ପଟେଲ ।ଏଗ୍ରିମେଣ୍ଟ ୱିଥ ଡିଫରେନ୍ସ, ସିଲେକ୍ଟ ଡକ୍ୟୁମେଣ୍ଟ୍ସ ଆଣ୍ଡ କରସ୍ପଣ୍ଡେଂସ, ୧୯୩୩-୧୯୫୦” କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ରହିଛି। ଏହାକୁ ପଢିବା ବା ପଢାଇବା ଅପେକ୍ଷା, ଗୁଡାଏ ମିଛ ତଥ୍ୟର ପ୍ରଚାର ମାଧ୍ୟମରେ ଉଭୟ ମହାନ ନେତାଙ୍କୁ ପରଷ୍ପରର ବିରୋଧୀ ବୋଲି ଦେଖାଇବାର ଉଦ୍ୟମ ହେଉଛି।

କାଶ୍ମୀର ପ୍ରସଙ୍ଗରେ ୧୯୪୭ର ପୃଷ୍ଠଭୂମି ହେଉଛି, ଏହା ଏକ ରାଜା ଶାସିତ ରାଜ୍ୟ ହୋଇଥିବାରୁ, ଏହାର ମିଶ୍ରଣ ଦାୟିତ୍ଵ ରାଜାଙ୍କ ଅଧିକାରଭୁକ୍ତ ଥିଲା। କାଶ୍ମୀର ରାଜା ହରି ସିଂ ଏହାକୁ ଭାରତ ବା ପାକିସ୍ତାନ ସହିତ ନ ମିଶାଇ, ଏକ ସ୍ଵାଧୀନ ରାଜ୍ୟ କରିବାର ପ୍ରସ୍ତାବ ରଖୁଥିଲେ। ତେବେ ଅତର୍କିତ ପାକିସ୍ତାନ ଆକ୍ରମଣ ଫଳରେ ଭାରତ ସହିତ କାଶ୍ମୀରର ମିଶ୍ରଣ ତ୍ୱରାନ୍ୱିତ ହୋଇଥିଲା। ତେବେ ଏହି ସମୟରେ କାଶ୍ମୀର ପରିସ୍ଥିତିକୁ ଗୋଳମାଳିଆ କରି ରଖିବାରେ ଆରଏସଏସ ଭଳି ସଂଗଠନର ଭୂମିକା ବିଷୟରେ ପଟେଲ ଓ ନେହେରୁଙ୍କ ଭିତରେ ବ୍ୟାପକ ଚର୍ଚ୍ଚା ହୋଇଛି। ସ୍ଵାଭାବିକ ଭାବରେ ବିଜେପି ଏହାକୁ ଆଜିର ତାରିଖରେ ଆଲୋଚନା କରିବାକୁ ଚାହିଁବ ନାହିଁ।

୩୦, ଅକ୍ଟୋବର, ୧୯୪୭ ରେ ପଟେଲଙ୍କ ପାଖକୁ ଏକ ଚିଠି ଲେଖି ପଣ୍ଡିତ ନେହେରୁ କହୁଛନ୍ତି- “ଆପଣ ଆଜି ଖବର କାଗଜରେ ଦେଖିଥିବେ ଯେ  ହିନ୍ଦୁ ମହାସଭା ଶେଖ ଅବଦୁଲ୍ଲାଙ୍କୁ ଆମର ନିଯୁକ୍ତି ଦେବା ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଛି। ଏପ୍ରକାର ପ୍ରସ୍ତାବର ବିଶେଷ କିଛି ଗୁରୁତ୍ଵ ନାହିଁ, ହେଲେ ଆରଏସଏସ ଭଳି ସଂଗଠନ ସେଠାରେ ମୁସଲମାନ ବିରୋଧୀ ଆନ୍ଦୋଳନ କରିବା ଦେଶର ଏକତା ଲାଗି ଆମର ଉଦ୍ୟମକୁ ବ୍ୟାହତ କରିବ ଓ ଏହା ପାକିସ୍ତାନକୁ ସୁହାଇବ। ” ଜମ୍ମୁ ରେ ଅରାଜକତା ସୃଷ୍ଟି କରିବା ପାଇଁ ସେତେବେଳେ ଆରଏସଏସ ଓ ତାହାର ସହଯୋଗୀମାନେ ସେତେବେଳ ଉଦ୍ୟମ କରୁଥିବା କଥା ଉଭୟ ନେହେରୁ ଓ ପଟେଲ ହୃଦବୋଧ କରିଥିଲେ।

କାଶ୍ମୀର ପ୍ରସଙ୍ଗରେ ପଣ୍ଡିତ ନେହେରୁଙ୍କ ସହିତ ସର୍ଦ୍ଦାରଙ୍କର ବ୍ୟାପକ ବିଚାର ବିମର୍ଶ ହୋଇଛି। ଦେଶର ଦୁଇ ତୁଙ୍ଗ ନେତା ଏହାକୁ ନେଇ ଆଲୋଚନା କଲାବେଳେ ଅନେକ ସମୟରେ ଅସହମତ ମଧ୍ୟ ହୋଇଛନ୍ତି। ତେବେ ଏହି ଅସହମତି ଭିତରେ ଭାରତର ସଂହତି ସବୁବେଳେ ସବୁର ଉର୍ଦ୍ଧ୍ବ ରେ ରହିଛି। ସର୍ଦ୍ଦାର ପଟେଲ ମହାରାଜା ହରି ସିଂଙ୍କର ସହଯୋଗୀ ସି. ପରମେଶ୍ବରନଙ୍କ ପାଖକୁ ୧୯, ଜୁନ, ୧୯୪୬ ରେ ଏକ ଚିଠି ଲେଖି ପଣ୍ଡିତ ନେହେରୁଙ୍କ ବିଷୟରେ କହିଥିଲେ- “ଆପଣ ଜାଣନ୍ତି, ପଣ୍ଡିତ ନେହେରୁ ନିଜେ ଜଣେ କାଶ୍ମିରୀ ପଣ୍ଡିତ ତେଣୁ ପଣ୍ଡିତଙ୍କ ସ୍ଵାର୍ଥ ବିଷୟରେ ତାଙ୍କଠୁ ଅନ୍ୟ ନେତା ଅଧିକ ଭାବି ପାରିବେ ନାହିଁ। କିନ୍ତୁ ବିଚାର ଓ ତାଲିମରେ ସେ ଜଣେ ପକ୍କା ଗଣତନ୍ତ୍ରବାଦୀ। (By nature and training he is a democrat. His sympathies are always with the underdog.)

ନିଜର ସାଥି ଓ ସହଯୋଗୀ ଭାବରେ ନେହେରୁଙ୍କ ପ୍ରତି ପଟେଲଙ୍କର ଶ୍ରଦ୍ଧା ଏକ ତରଫା ନଥିଲା, ଉଭୟେ ପରଷ୍ପରକୁ ସମ୍ମାନ ଦେଉଥିଲେ ଓ ଗଣତାନ୍ତ୍ରିକ ଭାବରେ ନିଜ ନିଜର ଅସହମତିକୁ ନେଇ ଚର୍ଚ୍ଚା କରୁଥିଲେ। ନେହେରୁଙ୍କ ପ୍ରତି ପ୍ରଚଣ୍ଡ ଆସ୍ଥା ପ୍ରକଟ କରି ପଟେଲ ୧୬, ଜୁନ, ୧୯୪୬ ରେ ପଣ୍ଡିତ ଜିୟାଲାଲ ଜଲାଲିଙ୍କୁ   ଏକ ଚିଠିରେ ଲେଖିଥିଲେ- “ପଣ୍ଡିତ ନେହେରୁ, ନିଜେ ଜଣେ କାଶ୍ମିରୀ ହିନ୍ଦୁ। ସେ ଭାରତର ଅନ୍ୟତମ ଶ୍ରେଷ୍ଠ ରାଷ୍ଟ୍ରବାଦୀ ଓ ଆଧୁନିକ ଭାରତର ଶ୍ରେଷ୍ଠ ଜନନାୟକ। ଅନ୍ୟ ମଣିଷଙ୍କ ପରି ସେ ବି ହୁଏତ କିଛି ଭୁଲ କରୁଥାଇପାରନ୍ତି, ହେଲେ ତାଙ୍କର ପ୍ରତ୍ୟେକ ରାଜନୈତିକ କର୍ମ  ମହାନ ଦେଶପ୍ରେମର ନିଦର୍ଶନ ବ୍ୟତୀତ ଆଉ କିଛି ନୁହେଁ।”

ପଣ୍ଡିତ ନେହେରୁଙ୍କ ସମ୍ପର୍କରେ ସର୍ଦ୍ଦାର ପଟେଲ ଓ ସର୍ଦ୍ଦାରଙ୍କ ସମ୍ପର୍କରେ ନେହେରୁ ଯାହା କହିଛନ୍ତି ବା ଲେଖିଛନ୍ତି, ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ। ଇତିହାସରେ ସେ ସବୁ ଲିପିବଦ୍ଧ ହୋଇ ରହିଛି। ତାକୁ ନ ପଢି, ନିଜର ରାଜନୈତିକ ରୁଟି ସେକିବାକୁ ଆଜିର ଶାସକ ଦଳ କଣ କହୁଛନ୍ତି, ସେ କଥାକୁ ବିଶ୍ଵାସ କରିବା, ନିର୍ବୋଧତା ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.