ଆମ ଅର୍ଥନୀତିର ଗତି, ବୁଡିଗଲା ଗୋଡ ତଳକୁ ତଳକୁ- ହେଲେ ଆମକୁ ଉଠାଇବ କିଏ?

Published: Nov 19, 2019, 3:09 pm IST

ରଙ୍ଗାଚରଣ ପ୍ରଧାନ

ଗତକାଲି ପ୍ରୀୟା ରେଷ୍ଟୁରାଣ୍ଟ ଯାଇଥିଲି ଖାଇବାକୁ । ସେଠାରେ ଏତେ ଭିଡ ଥିଲା ଯେ ବସିବାକୁ ସିଟ୍ ମିଳିଲାନି । ଫେରିଆସିଲି । ରେଷ୍ଟୁରାଣ୍ଟ ବାହାରେ କାର୍ ଓ ବାଇକ୍ ରଖିବା ମୁସ୍କିଲ୍ ଥିଲା। ମୁଁ ଭାବିଲି ସତରେ ଯଦି ଆର୍ଥିକ ମାନ୍ଦାବସ୍ଥା ଚାଲିଛି ତାହେଲେ ଏତେ ଲୋକ ରେଷ୍ଟୁରାଣ୍ଟକୁ ଖାଇବାକୁ କେମିତି ଆସୁଛନ୍ତି ? କିଛି ଦିନ ପୁର୍ବେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଦୁଇଟା ଫିଲିମ୍ ରିଲିଜ୍ ହେବାର ଅଳ୍ପଦିନ ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଲୋକେ ଯଦି ଫିଲିମ୍ ଦେଖିବା ଛାଡି ନାହାନ୍ତି ତେବେ ମାନ୍ଦାବସ୍ଥା କୁଆଡୁ ଆସିଲା ? ସେମିତି ରେଳମନ୍ତ୍ରୀ କହିଲେଣି ଯେ ଟ୍ରେନ୍ ଓ ବିମାନବନ୍ଦରରେ ବହୁତ ଲୋକ ଗହଳି ରହୁଛି ଏବଂ ଲୋକମାନେ ବାହା ବି ହେଉଛନ୍ତି ତେଣୁ ଅଯଥା ମାନ୍ଦାବସ୍ଥା କଥା କହି ପ୍ରଧାନମନ୍ତ୍ରୀଙ୍କର ଛବି ଖରାପ କରାଯାଉଛି ।

ନିକଟରେ ଯୋଗେନ୍ଦ୍ର ଯାଦବ ଗୋଟିଏ ବଢିଆ କଥା କହିଥିଲେ । ସେ କହିଲେ ଯଦି ଗୋଟିଏ ସହରରେ ଗରମ କେତେ ହେଉଛି ଜାଣିବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ସହରରେ କେତେ ଲୋକ ଏସି ଚଲେଇଛନ୍ତି କିମ୍ବା ଥଣ୍ଡା ପାନୀୟ କେତେ ବିକ୍ରି ହୋଇଛି ସେସବୁ ଦେଖିବା ଦରକାର ନାହିଁ । ଆପଣ ଏଥିପାଇଁ ସବୁଠାରୁ ସରଳ କାମଟିଏ କରିପାରିବେ । ଟିଭି ଖୋଲି ପାଣିପାଗ ବିବରଣୀ ଦେଖିଲେ ସେଠାରେ ସହରର ତାପମାତ୍ରା କେତେ ଅଛି ଆପଣ ଜାଣି ପାରିବେ ।

ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ନିୟମିତ ‘ସମୀକ୍ଷା’ ପଢନ୍ତି ସେମାନଙ୍କର ମନେଥିବ, ପ୍ରାୟ ତିନିମାସ ପୂର୍ବେ ଗତ ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ବିକାଶ ଦର ୫%କୁ ଖସିଯିବା ପଛରେ ଯେଉଁସବୁ ମୂଖ୍ୟ କାରଣ ରହିଥିଲା ତାହାର ଏକ ଆଲୋଚନା ସେଥିରେ ହୋଇଥିଲା । ପରବର୍ତ୍ତୀ ତ୍ରୈମାସିକ ବା ଜୁଲାଇ-ସେପ୍ଟେମ୍ବରରେ ତାହା ୫%ରୁ ଆହୁରି ତଳକୁ ଖସିବ ବୋଲି ବିଭିନ୍ନ ସରକାରୀ ସୁତ୍ରରୁ ଜଣା ପଡିଛି ।

ଚାଲନ୍ତୁ ଦେଖିବା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ବିକାଶ ଦରକୁ ପ୍ରଭାବ ପକାଉଥିବା ୧୭ଟି ଉପାଦାନ କ’ଣ କହୁଛନ୍ତି । ‘ଦି ମିଣ୍ଟ’ରେ ବିବେକ କାଉଲ ଏହି ବିଷୟରେ ଲେଖିଛନ୍ତି । ପୂର୍ବଥର ଭଳି ଏଥର ମଧ୍ୟ ଦୋହରାଇ ଦେଉଛୁ ଯେ ଜିଡିପି ହେଉଛି ୪ଟି ଅର୍ଥନୈତିକ କାର୍ଯ୍ୟକଳାପର ସମାହାର । ସେଗୁଡିକ ହେଲା :

କ● ଘରୋଇ ଉପଭୋକ୍ତାଙ୍କ ଖର୍ଚ୍ଚ ।
ଖ● ପୂଞ୍ଜି ଲଗାଣ ବା ଇନଭେଷ୍ଟମେଣ୍ଟ୍ ।
ଗ● ସରକାରଙ୍କ ଖର୍ଚ୍ଚ ।
ଘ● ନେଟ ରପ୍ତାନୀ (ରପ୍ତାନୀ-ଆମଦାନୀ)

କ● ଘରୋଇ ଉପଭୋକ୍ତା ଖର୍ଚ୍ଚ ।

(୧) କାର୍ ବିକ୍ରି ।

ଚଳିତବର୍ଷ ଜୁଲାଇ-ସେପ୍ଟେମ୍ବରରେ ପୁର୍ବ ବର୍ଷର ସେହି ସମୟ ଅପେକ୍ଷା ୩୫୫୦୦୦ଟି କମ୍ କାର୍ ବିକ୍ରି ହୋଇଛି । ଅନ୍ୟପ୍ରକାରେ କହିଲେ ୨୦୧୮ ଜୁଲାଇ-ସେପ୍ଟେମ୍ବର ଅପେକ୍ଷା ଏ ବର୍ଷ ସେହି ସମୟର କାର୍ ବିକ୍ରୀରେ ୩୭.୩% ହ୍ରାସ ପାଇଛି । ୨୦୦୪ ଅକ୍ଟୋବର-ଡିସେମ୍ବର ଠାରୁ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ହ୍ରାସ । ଚଳିତ ବର୍ଷ ଏପ୍ରିଲ-ଜୁନରେ ଏହି ହ୍ରାସ ୨୩.୨% ଥିଲା । ଅର୍ଥାତ ପୂର୍ବବର୍ତ୍ତୀ ତ୍ରୈମାସିକ ଅପେକ୍ଷା ଗତ ତ୍ରୈମାସିକରେ କାର୍ ବିକ୍ରୀ ନ ହେବା ସମସ୍ୟା ଆହୁରୀ ଜଟିଳ ହୋଇଛି ।

(୨) ଦୁଇଚକିଆ ଗାଡି ବିକ୍ରି ।

ଗତ ଜୁଲାଇ-ସେପ୍ଟେମ୍ବରରେ ମଧ୍ୟମ ଆୟକାରୀମାନେ କିଣୁଥିବା ଦୁଇଚକିଆ ଗାଡି ବିକ୍ରିରେ ୨୦.୫% ହ୍ରାସ ହୋଇଛି । ଏହା ପୂର୍ବ ତ୍ରୈମାସିକରେ ଏହି ହ୍ରାସ ୧୧.୭% ଥିଲା । ସେପ୍ଟେମ୍ବର ତ୍ରୈମାସିକରେ ଦୁଇଚକିଆ ବିକ୍ରିର ହ୍ରାସ ୨୦୦୪ଠାରୁ ଏପର୍ଯ୍ୟନ୍ତ କୌଣସି ତ୍ରୈମାସିକରେ ହୋଇଥିବା ସବୁଠାରୁ ତିଖ ହ୍ରାସ ।

(୩) ଟ୍ରାକ୍ଟର ବିକ୍ରି ।

ଗ୍ରାମାଞ୍ଚଳ ଓ କୄଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଟ୍ରାକ୍ଟର ବିକ୍ରିରେ ୯.୯% ହ୍ରାସ ଘଟିଛି । ଏହା ପୂର୍ବ ତ୍ରୈମାସିକରେ ୧୪.୧% ହ୍ରାସ ହୋଇଥିଲା ।

(୪) ରିଅଲ୍ ଇଷ୍ଟେଟରେ ଘର ବିକ୍ରୀ

ଲିଆସେସ୍ ଫୋରାସ୍ ନାମକ ଏକ ରିଅଲ୍ ଇଷ୍ଟେଟ ରିସର୍ଚ୍ଚ ଟିମ୍ ର ତଥ୍ୟ ଅନୁଯାୟୀ ଦେଶରେ ଏବେ ୧୩ ଲକ୍ଷ ଅର୍ଦ୍ଧ ନିର୍ମିତ ଘର ବିକ୍ରି ନ ହୋଇ ପଡିଛି । ଗତ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୧୨ ଲକ୍ଷ ୭୦ ହଜାର ଥିଲା ଯାହା ଗତ ବର୍ଷ ମାର୍ଚ୍ଚ ଅପେକ୍ଷା ୭.୨% ଅଧିକ । ଏହା ଦର୍ଶାଉଛି ଯେ ବିଲଡର୍ ମାନେ ଯେଉଁ ବେଗରେ ଘର ତିଆରି କରୁଛନ୍ତି ଲୋକେ ସେହି ତୁଳନାରେ ଘର କିଣିବାକୁ ଚାହୁଁ ନାହାନ୍ତି ।

(୫) ଖୁଚୁରା ବ୍ୟାଙ୍କ ୠଣ ।

ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ଏହା ୧୬.୬% ହାରରେ ବଢିଛି ଯାହା ଜୁନ ତ୍ରୈମାସିକର ବୄଦ୍ଧି ହାର ସହ ସମାନ । ଏହି ୠଣ ମୂଖ୍ୟତଃ ଗୄହ କିଣିବା ପାଇଁ । ତେବେ ଗୄହୠଣ ବୄଦ୍ଧି ହାର କମି ନଥିବା ବେଳେ ବିକ୍ରି ହୋଇ ନ ପାରୁଥିବା ରିଅଲ ଇଷ୍ଟେଟ ଘର ସଂଖ୍ୟା ବଢିବାର କାରଣ କ’ଣ ? ୨୦୦୩ରୁ ୨୦୧୨ ମଧ୍ୟରେ ଯେଉଁ ବହୁତ ଗୁଡିଏ ଘର ସମ୍ପୂର୍ଣ ତିଆରି ହୋଇ ପଡି ରହିଥିଲା ଲୋକେ ଏବେ ସେହି ଘର କିଣିବା ପାଇଁ ବ୍ୟାଙ୍କ ୠଣ ନେଉଛନ୍ତି ।

(୬) ଏଫ୍.ଏମ୍.ସି.ଜି ବସ୍ତୁ ବିକ୍ରି ।

ଲୋକେ କିଣୁଥିବା ନିତ୍ୟବ୍ୟବହାର ଜିନିଷର ପ୍ୟାକେଟକୁ ଏଫ୍.ଏମ୍.ସି.ଜି କୁହାଯାଏ । ହିନ୍ଦୁସ୍ତାନ ଲିଭର ପାଇଁ ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ଏହି ପ୍ୟାକେଟ ବିକ୍ରିରେ ୫% ବୄଦ୍ଧି ହୋଇଛି ଯାହା ପୂର୍ବ ତ୍ରୈମାସିକ ସହ ସମାନ । ମାତ୍ର ୨୦୧୮ ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ପ୍ୟାକେଟ ବିକ୍ରିରେ ୧୦% ବୄଦ୍ଧି ହୋଇଥିଲା । ତେଣୁ ଏଥିରୁ ପରିଷ୍କାର ସୂଚନା ମିଳୁଛି ଯେ ଗତ ବର୍ଷକ ମଧ୍ୟରେ ନିତ୍ୟବ୍ୟବହାର ଜିନିଷର ବିକ୍ରି ଧିମେଇ ଯାଇଛି ।

(୭) ତୈଳ, ସୂନା ଓ ରୁପାକୁ ଛାଡିଦେଇ ଅନ୍ୟ ସବୁ ଜିନିଷର ଆମଦାନୀ ।

ଯେହେତୁ ଆଜିକାଲି ବିଦେଶରୁ ଆମଦାନୀ ହେଉଥିବା ଜିନିଷକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ତେଣୁ ଏଥିରୁ ମଧ୍ୟ ଉପଭୋକ୍ତାଙ୍କର ଚାହିଦା ସମ୍ପର୍କରେ ମହତ୍ବପୂର୍ଣ ସୂଚନା ମିଳେ । ଗତ ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ଏଥିରେ ଗତବର୍ଷର ସେହି ସମୟ ଅପେକ୍ଷା ୭.୪% ହ୍ରାସ ଆସିଛି । ଏହା ପୂର୍ବ ତ୍ରୈମାସିକରେ ଏହି ହ୍ରାସ ୨.୪% ଥିଲା ।

(୮) ଭାରତୀୟ ରେଳରେ ଯାତ୍ରୀ ସଂଖ୍ୟା ।

ଆଲୋଚ୍ୟ ତ୍ରୈମାସିକରେ ରେଳଯାତ୍ରୀଙ୍କ ସଂଖ୍ୟା ଗତବର୍ଷର ସେହି ତ୍ରୈମାସିକଠାରୁ ୨.୧% କମ୍ ହୋଇଛି । ଏହା ପୂର୍ବ ତ୍ରୈମାସିକରେ ଏହି ହ୍ରାସ ୦.୬% ଥିଲା ।

(୯) ଘରୋଇ ଉଡାଣର ବିମାନଯାତ୍ରୀ ସଂଖ୍ୟା ।

ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ପୂର୍ବ ତ୍ରୈମାସିକ ଅପେକ୍ଷା ବିମାନଯାତ୍ରୀଙ୍କ ସଂଖ୍ୟାରେ ୧.୫% ବୄଦ୍ଧି ହୋଇଛି । ତେବେ ୨୦୧୪ ମଧ୍ୟ ଭାଗରୁ ୨୦୧୮ ଶେଷ ପର୍ଯ୍ୟନ୍ତ ପ୍ରତି ତ୍ରୈମାସିକରେ ଏହି ଯାତ୍ରୀ ସଂଖ୍ୟାରେ ଶତକଡା ବୄଦ୍ଧି ଦୁଇ ଅଙ୍କ ବିଶିଷ୍ଟ ହେଉଥିଲା ।

ଖ● ପୂଞ୍ଜି ଲଗାଣ ବା ଇନଭେଷ୍ଟମେଣ୍ଟ୍ ପାଣିପାଗ ।

(୧୦) ଘରୋଇ ବାଣିଜ୍ୟିକ ଯାନର ବିକ୍ରି ।

ଟ୍ରକ୍, ହାଇଓ୍ବା ଓ ଅନ୍ୟାନ୍ୟ ଭାରିଯାନର ବିକ୍ରି ଦେଶରେ ଚାଲିଥିବା ଭିତ୍ତିଭୁମି ବା ଇନଫ୍ରାଷ୍ଟ୍ରକଚର୍ ନିର୍ମାଣ ବିଷୟରେ ମହତ୍ବପୂର୍ଣ ସୂଚନା ଦିଏ । ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଏହି ବିକ୍ରି ୩୫% କମିଛି । ୨୦୦୮ ଜାନୁଆରୀ-ମାର୍ଚ୍ଚ ଠାରୁ ଏପର୍ଯ୍ୟନ୍ତ ଏତେବଡ ହ୍ରାସ କେବେ ହୋଇ ନଥିଲା । ୨୦୧୯ ଏପ୍ରିଲ-ଜୁନ୍ ତ୍ରୈମାସିକରେ ଏହି ହ୍ରାସ ୯.୫% ଥିଲା ।

(୧୧) ଶିଳ୍ପ ପାଇଁ ବ୍ୟାଙ୍କ ୠଣ ।

୨୦୧୮ ମସିହାଠାରୁ ଏହି ୠଣ ପ୍ରଦାନ ବଢିଚାଲିଥିଲା । ୨୦୧୯ ଏପ୍ରିଲ-ଜୁନ୍ ରେ ଏଥିରେ ୬.୫% ବୄଦ୍ଧି ହୋଇଥିଲା । କିନ୍ତୁ ଜୁଲାଇ-ସେପ୍ଟେମ୍ବର ବେଳକୁ ଏହି ବୄଦ୍ଧି ୨.୭%କୁ କମିଗଲା । ଶିଳ୍ପ କାର୍ଯ୍ୟକଳାପ କମିଯାଇଛି ବୋଲି ଏହା ପୁଣି ଏକ ସୂଚନା ଦେଉଛି ।

(୧୨) ରେଳ ମାଲବୁହା ରାଜସ୍ବ ।

୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଗତବର୍ଷର ସେହି ସମୟ ଅପେକ୍ଷା ଏଥିରେ ୩.୭% ହ୍ରାସ ଆସିଛି । ୨୦୦୪ ଡିସେମ୍ବରଠାରୁ ଆଉ କୌଣସି ତ୍ରୈମାସିକରେ ଏତେ ବଡ ହ୍ରାସ ହୋଇ ନଥିଲା । ଏହା ପୂର୍ବ ତ୍ରୈମାସିକ (ଏପ୍ରିଲ-ଜୁନ୍)ରେ ଏହି ରାଜସ୍ବ ଆଦାୟରେ ୨.୭% ବୄଦ୍ଧି ହୋଇଥିଲା । ଭାରତୀୟ ରେଳରେ ମୂଖ୍ୟତଃ ପିଗ୍ ଆଇରନ୍, କୋଇଲା, ସିମେଣ୍ଟ, ପେଟ୍ରୋଲିଅମ୍ ଓ ଲୁହାପଥର ଆଦି ବୁହା ହୁଏ । ତେଣୁ ମାଲଭଡା ରାଜସ୍ବ କମିଯିବା ଅର୍ଥ ଶିଳ୍ପ ଓ ଇନଫ୍ରାଷ୍ଟ୍ରକଚର ତିଆରି କାମ ବି ଧିମେଇ ଯାଇଛି ।

(୧୩) ଇସ୍ପାତର ଉପଯୋଗ ।

ଗତବର୍ଷର ସେହି ତ୍ରୈମାସିକ ତୁଳନାରେ ଏବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଇସ୍ପାତ ଉପଯୋଗରେ ୩.୧% ହ୍ରାସ ଆସିଛି । ଏପ୍ରିଲ-ଜୁନ୍ ରେ ଏହି ହ୍ରାସ ୬.୧% ଥିଲା ।

(୧୪) ନୂଆ ପୁଞ୍ଜିଲଗାଣ ଘୋଷଣା ।

ଗତ ଜୁଲାଇ-ସେପ୍ଟେମ୍ବରରେ ୧,୧୧,୩୯୪ କୋଟି ଟଙ୍କାର ପୁଞ୍ଜି ଲଗାଣ ଘୋଷଣା ହୋଇଥିଲା ଯାହା ଏପ୍ରିଲ-ଜୁନ୍ ଅପେକ୍ଷା ୫୧.୮% କମ୍ । ଏପରିକି ମୂଦ୍ରାସ୍ଫିତିକୁ ବିଚାର ନକରି ମଧ୍ୟ ଗତ ୧୫ ବର୍ଷରେ ଏହା ଦ୍ବିତୀୟ ସବୁଠାରୁ କମ୍ ପୁଞ୍ଜି ଲଗାଣ ଘୋଷଣା । ଏହି ୧୫ ବର୍ଷରେ ସବୁଠାରୁ କମ୍ ଘୋଷଣା ହୋଇଥିଲା ଗତ ଏପ୍ରିଲ-ଜୁନ୍ ରେ । ତାହା ଥିଲା ମାତ୍ର ୮୬,୯୦୧ କୋଟି ଟଙ୍କା । ଏଥିରୁ ପରିଷ୍କାର ଜଣାପଡୁଛି ଯେ ବର୍ତମାନର ଆର୍ଥିକ ପରିସ୍ଥିତିକୁ ଭରସା କରି କମ୍ପାନୀମାନେ ସାନି ଶିଳ୍ପ ଲଗାଇବାକୁ ଇଚ୍ଛୁକ ହେଉ ନାହାନ୍ତି ।

(୧୫)ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପ ସଂଖ୍ୟା ।

ଗତ ଜୁଲାଇଠାରୁ ସେପ୍ଟେମ୍ବର ମଧ୍ୟରେ ପୁର୍ବରୁ ନିର୍ମାଣାଧୀନ ୬୪୧୩୨ କୋଟି ଟଙ୍କାର ପ୍ରକଳ୍ପ କାମ ସରିଛି । ଗତବର୍ଷର ଏହି ସମୟଠାରୁ ଏହା ଥିଲା ୩୯% କମ୍ । ଏହାଠାରୁ କମ୍ ଟଙ୍କାର ନିର୍ମାଣାଧୀନ ପ୍ରକଳ୍ପ କାମ ସରିଥିଲା ଯାଇ ୨୦୦୯ ମସିହା ଜୁଲାଇ-ସପ୍ଟେମ୍ବର ତ୍ରୈମାସିକରେ । ସେତେବେଳେ ତାହାଥିଲା ୬୩୪୫୩ କୋଟି ଟଙ୍କା । ତେଣୁ ପୁଞ୍ଜିଲଗାଣ କ୍ଷେତ୍ରରେ ପରିସ୍ଥିତି ପୁରାପୁରି ସଙ୍ଗୀନ୍ ଅବସ୍ଥାରେ ପହଞ୍ଚି ଯାଇଛି ।

ଗ● ସରକାରୀ ଖର୍ଚ୍ଚ

(୧୬) ସରକାରଙ୍କର ମୋଟା ଟିକସ ଆଦାୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବା ଗତ ଏପ୍ରିଲ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୧.୫% ଦରରେ ବଢିଛି । ସରକାର କିନ୍ତୁ ପୂରା ବର୍ଷରେ ଏହା ଯେତିକି ବଢିବ ବୋଲି ବଜେଟରେ ଲକ୍ଷ ରଖି ତାଙ୍କର ବ୍ୟୟ ବରାଦ କରିଥିଲେ ତାହା ହାସଲ କରିବା ପାଇଁ ଅବଶିଷ୍ଟ ୬ ମାସରେ ଟିକସ ଆଦାୟ ୧୮.୩% ହାରରେ ବଢିବା ଦରକାର । ଜୁଲାଇ ସେପ୍ଟେମ୍ବର ତ୍ରୈମାସିକରେ ଏହା ୧.୬% ଦରରେ ବଢିଥିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଉଦ୍ୟୋଗ ବେପାର କାର୍ଯ୍ୟକଳାପ ବଢିଲେ ଯାଇ ସରକାରଙ୍କର ଟିକସ ଆଦାୟ ବଢେ ।

ଘ● ନେଟ୍ ରପ୍ତାନୀ

(୧୭)ଏହି ତଥ୍ୟ କହୁଛି ଯେ ୨୦୧୯ ଜୁଲାଇ-ସେପ୍ଟେମ୍ବରରେ ନେଟ୍ ରପ୍ତାନୀ ୩.୭% କମିଛି । ଏହା ପୂର୍ବ ତ୍ରୈମାସିକରେ ବା ଏପ୍ରିଲ-ଜୁନ୍ ରେ ଏହା ୧.୩% ଦରରେ କମିଥିଲା ।

ତେଣୁ କେବଳ ଗୄହ ୠଣକୁ ଛାଡିଦେଲେ ଆଉସବୁ ସୂଚକରୁ ପରିଷ୍କାର ଭାବେ ଜଣା ପଡୁଛି ଯେ ମାନ୍ଦାବସ୍ଥା ପୁର୍ବ ତ୍ରୈମାସିକ ଅପେକ୍ଷା ଜୁଲାଇ-ସେପ୍ଟେମ୍ବରରେ ଆହୁରି ଖରାପ ହୋଇଛି । କିନ୍ତୁ ଅର୍ଥନୀତି ବଡ ନିଷ୍ଠୁର ଜିନିଷ । ଏବେ ଦେଶର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି, ସଂସଦରେ ତାଙ୍କର କେତେବଡ ସଂଖ୍ୟାଗରିଷ୍ଠତା ଅଛି, ତାଙ୍କ ଦଳର କେତେ ଲକ୍ଷ ହ୍ବାଟସପ୍ ଗୄପ୍ ଅଛି ଓ ଗଣମାଧ୍ୟମରେ ଅର୍ଥନୀତି ଚର୍ଚ୍ଚାକୁ ଏଡାଇଦେଇ ଆଉ କେତେ କେତେ ଚର୍ଚ୍ଚା ହେଉଛି , ସେକଥା ଅର୍ଥନୀତି ବୁଝିବ ନାହିଁ ।

Related posts