ମିନତି ମିଶ୍ର, ସେ କଥାକୁହା ମୟୂରୀର ଆଖି ଓ ଆନନ୍ଦ ତାଣ୍ଡବର ସାତ୍ତ୍ଵିକ ସିଦ୍ଧି

Published: Jan 6, 2020, 4:11 pm IST

କେଦାର ମିଶ୍ର

ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି….

ଏ ଗୀତ ଓଡିଆ ସିନେମାର ଇତିହାସରେ ଏକ କାଳଜୟୀ ରଚନା। ଗୀତଟିକୁ ଗାଇଥିଲେ ମହମ୍ମଦ ରଫି। ଲେଖିଥିଲେ ଜୀବନ ପାଣି। ସୁର କରିଥିଲେ ଶାନ୍ତନୁ ମହାପାତ୍ର। ହେଲେ ଏ ଗୀତର ନାୟିକା ମିନତି ମିଶ୍ର। ଅଳ୍ପ ଆଖିରେ ଇଶାରାରେ ହଜାର କାହାଣୀର କଥାକୁହା ନାୟିକା ମିନତି ମିଶ୍ର। ସେ କେବେ ଅଭିନୟ କରନ୍ତି ନାହିଁ, ଅଭିନୟ ତାଙ୍କ ମୁହଁରେ ସ୍ଵାଭାବିକ। ସେ ଜନ୍ମରୁ ଅଭିନେତ୍ରୀ ଓ ନର୍ତ୍ତକୀ। ଓଡିଆ ସାଂସ୍କୃତିକ ଜୀବନର ୮୦ ବର୍ଷର ଇତିହାସ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ଓଡିଶୀ ନୃତ୍ୟର ମହାନାୟିକା ତଥା ସତୁରୀ ଦଶକରେ ଓଡିଆ ସିନେମାର ଚର୍ଚ୍ଚିତ ନାୟିକା ମିନତି ମିଶ୍ରଙ୍କର ଆଜି ପରଲୋକ ଘଟିଛି। ଦୀର୍ଘ ବର୍ଷ ଧରି ବର୍ଷର ଅଧା ସମୟ ସେ ସୁଇଜରଲାଣ୍ଡର ଜୁରିକ ସହରରେ ଓ ବାକି ଅଧା ସମୟ କଟକରେ ବିତାଉଥିଲେ। ଆଜି ସକାଳେ ଜୁରିକ ରେ ତାଙ୍କର ଦେହାନ୍ତ ହୋଇଛି।

ଓଡିଶୀର ମହାନାୟିକା

ଅତି ପିଲା ବେଳୁ ନାଚ ଶିଖିବା ଆରମ୍ଭ କଲାବେଳେ, ସେ ଜାଣିଥିଲେ ଯେ ତାଙ୍କୁ ନୃତ୍ୟାଙ୍ଗନା ହିଁ ହେବାର ଅଛି। ବାପା ବସନ୍ତ କୁମାର ଦାସ ଓ ମା ବସନ୍ତ କୁମାରୀ ଦେବୀ, ଦୁହେଁ ଥିଲେ କଳାର ପୃଷ୍ଠପୋଷକ। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଥିଲେ ସମ୍ପର୍କୀୟ ବଡବାପା। କାଳି ବାବୁ ତାଙ୍କୁ ପ୍ରଥମେ ନାଚ ଶିଖାଇଥିଲେ। ତାପରେ ଦୁର୍ଲ୍ଲଭ ଚନ୍ଦ୍ର ସିଂ ଓ ଡାକ୍ତର ଯୁଧିଷ୍ଠିର ମହାପାତ୍ରଙ୍କଠାରୁ ସେ ନାଚ ଶିଖିବା ଜାରି ରଖିଥିଲେ। ପଚାଶ ଦଶକରେ ଓଡିଶୀ ନୃତ୍ୟର ବିକାଶ ଘଟି ନଥାଏ। ସେହି ସମୟରେ କେଲୁଚରଣ ମହାପାତ୍ର ତାଙ୍କୁ ଗୋଟେ ଗୀତିନାଟ୍ୟ “ଷଡ ଋତୁ” ରେ ନୃତ୍ୟ ଶିଖାଇଥିଲେ। ସେହି ଗୀତିନାଟ୍ୟରେ ତାଙ୍କର ଅନ୍ୟତମ ସହନର୍ତ୍ତକୀ ଥିଲେ ଅନ୍ୟତମ ମହାନ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି। ତେବେ ଅନ୍ନପୂର୍ଣ୍ଣା ଥିଏଟରରେ ସେତେବେଳର ପ୍ରଖ୍ୟାତ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଦେବୀଙ୍କ ନୃତ୍ୟ (ଲକ୍ଷ୍ମୀପ୍ରିୟା ଦେବୀ ଓଡିଶୀ ନୃତ୍ୟର ପ୍ରଥମ ମଞ୍ଚଶିଳ୍ପୀ ଓ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ)  ଦେଖିଲା ପରେ, ସେ ତାଙ୍କ ପରି ହେବାକୁ ସଂକଳ୍ପ ନେଇଥିଲେ ବୋଲି ଶ୍ରୀମତୀ ମିଶ୍ର ଏକ ସାକ୍ଷତକାରରେ କହିଥିଲେ।

ଓଡିଶା ସରକାରଙ୍କ ଠାରୁ ବୃତ୍ତି ପାଇ ସେ ଭରତନାଟ୍ୟମ ଶିଖିଥିଲେ ଗୁରୁ ମିନାକ୍ଷୀ ସୁନ୍ଦରମ ପିଲାଇଙ୍କ ପାଖରୁ। ପଚାଶ ଓ ଷାଠିଏ ଦଶକରେ ଯେତେବେଳେ ଓଡିଆ ଝିଅ ଘରୁ ଗୋଡ କାଢିବା ମୁସ୍କିଲ ଥିଲା ସେହି ସମୟରେ ମିନତି ଥିଲେ ପୃଥିବୀ ସାରା ଘୂରୁଥିବା ଏକ ଅଦ୍ଭୁତ ଯୁବତୀ। ସେ ସାଇକ୍ଲିଙ୍ଗ କରୁଥିଲେ, ଘୋଡା ଚଢୁଥିଲେ, ଦୁଃସାହସୀ ପର୍ବତାରୋହଣ କରୁଥିଲେ। ତାରି ଭିତରେ ଓଡିଶୀୟ ଭାରତନାଟ୍ୟମ ଶିଖୁଥିଲେ। ନାଟ୍ୟଶାସ୍ତ୍ରରେ ଜର୍ମାନୀର ଫିଲିପ ବିଶ୍ବବିଦ୍ୟାଳୟରେ ପିଏଚଡି କରୁଥିଲେ।

ଓଡିଶୀ ନୃତ୍ୟକୁ ଭାରତ ବାହାରେ ପ୍ରଥମ ଓଡିଆ ନୃତ୍ୟାଙ୍ଗନା ଭାବରେ ପ୍ରଥମେ ମିନତି ମିଶ୍ର ପରିବେଷଣ କରିଥିଲେ। ତାଙ୍କ ପୂର୍ବରୁ ଅଣଓଡିଆ ଓଡିଶୀ ନୃତ୍ୟାଙ୍ଗନା ଇନ୍ଦ୍ରାଣୀ ରହମାନ ଓ ରୀତା ଦେବୀ ବିଦେଶରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟର ତିନି ମହାନ ଗୁରୁ ପଙ୍କଜ ଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିଖିବାର ସୌଭାଗ୍ୟ ପାଇଥିଲେ। ସବୁଠୁ ମଜାର କଥା ହେଉଛି, ଯେତେବେଳେ ଉତ୍କଳ ସଙ୍ଗୀତ ସଙ୍ଗୀତ ନାଟକ ମହା ବିଦ୍ୟାଳୟ ସ୍ଥାପିତ ହେଲା ମିନତି ଥିଲେ ତାର ପ୍ରତିଷ୍ଠାତା ଅଧ୍ୟକ୍ଷା ଓ ତାଙ୍କର ଦୁଇ ଗୁରୁ ପଙ୍କଜ ଚରଣ ଓ ଦେବପ୍ରସାଦ ଥିଲେ ତାଙ୍କର ଅଧସ୍ତନ ଅଧ୍ୟାପକ। ଉଚ୍ଚ ଶିକ୍ଷିତା ମିନତିଙ୍କ ଲାଗି ତାହା ଥିଲା ସବୁଠୁ ଆହ୍ୱାନର ସମୟ।

ଓଡିଆ ସିନେମାର ଅଳ୍ପଗଳ୍ପ

ଓଡିଶୀ ନୃତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଯୁଗାନ୍ତକାରୀ ହୋଇଥିବା ବେଳେ ଓଡିଆ ସିନେମାରେ ତାଙ୍କର ଅଭିନୟ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ। ୧୯୬୩ରେ କଲ୍ୟାଣ ଗୁପ୍ତ ନିର୍ଦ୍ଦେଶିତ ଓଡିଆ ସିନେମା “ଶ୍ରୀ ଜୟଦେବ” ରେ ମିନତି ଏକ ନୃତ୍ୟ ପରିବେଷଣ କରିଥିଲେ। ସେହି ବର୍ଷ “ସୂର୍ୟମୁଖୀ” ସିନେମାରେ ପୂର୍ଣ୍ଣାଙ୍ଗ ନାୟିକା ଭାବରେ ସେ ଅଭିନୟ କରିଥିଲେ। ଶ୍ରୀନିବାସ ପାଇକରାୟଙ୍କ ସିନେମା “ଜୀବନସାଥୀ” ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୬୪ ରେ ଶରତ ପୂଜାରୀଙ୍କ ପ୍ରଯୋଜିତ “ସାଧନା” ଏବଂ  ୧୯୬୭ରେ ଧୀରେନ ପଟ୍ଟନାୟକଙ୍କ “ଅରୁନ୍ଧତୀ” ଥିଲା ତାଙ୍କର ଶେଷ ସିନେମା। ଅଳ୍ପ ସମୟର ଅଭିନୟରେ ମିନତି ତାଙ୍କ କଥାକୁହା ଆଖିକୁ ନେଇ ବେଶ ଚର୍ଚ୍ଚିତ ଥିଲେ। ତାଙ୍କ ଅଭିନୟ ଅତ୍ୟନ୍ତ ସ୍ଵାଭାବିକ ଓ ଚରିତ୍ର ସହିତ ଏକାକାର ହୋଇଯିବାର ଏକ ଅଦ୍ଭୁତ କୌଶଳ ତାଙ୍କୁ ଜଣାଥିଲା। ୧୯୬୭ ପରେ ସେ ସିନେମାକୁ ବିଦାୟ କହି କେବଳ ଓଡିଶୀ ନୃତ୍ୟରେ ମନୋନିବେଶ କରିଥିଲେ।

ସେ ଚଉକ କେବଳ ତାଙ୍କର ହିଁ

ଓଡିଶୀ ନୃତ୍ୟର ମୌଳିକ ଭଙ୍ଗୀକୁ ଚଉକ ବୋଲି କୁହାଯାଏ। ବର୍ଗାକାରରେ ଅଙ୍ଗର ବିନ୍ୟାସ ରୁ ଅନ୍ୟ ସବୁ ଭଙ୍ଗୀକୁ ନୃତ୍ୟଶିଳ୍ପୀ ରୂପାନ୍ତରିତ ହୁଅନ୍ତି। ଓଡିଶୀ ନୃତ୍ୟରେ ପୂର୍ଣ୍ଣ ଚଉକ ର ଶୁଦ୍ଧତା ମିନତି ମିଶ୍ରଙ୍କ ନୃତ୍ୟରେ ଶେଷ ପର୍ୟନ୍ତ ରହିଥିଲା। ଭାବ ଓ ଆଧ୍ୟାତ୍ମ୍ୟକୁ ପୂର୍ଣ ଅଭିବ୍ୟକ୍ତି ଦେବାରେ ତାଙ୍କ ଭଳି ଦ୍ଵିତୀୟ ନୃତ୍ୟାଙ୍ଗନା ଓଡିଶୀରେ ଆଉ ନାହାନ୍ତି। ବାଳକୃଷ୍ଣ ଦାଶଙ୍କର ସଙ୍ଗୀତ ନିର୍ଦ୍ଦେଶନା ଓ ଗୁରୁ ଦେବପ୍ରସାଦ ଦାସଙ୍କର ଅନନ୍ୟ ନୃତ୍ୟ ରଚନା “ଆନନ୍ଦ ତାଣ୍ଡବ”କୁ ମିନତି ମିଶ୍ର ପରିବେଷଣ କଲାବେଳେ, ଲାଗେ, ଦର୍ଶକ ସତେ ଯେମିତି ଏକ ଅତୀନ୍ଦ୍ରିୟ ଭାବଜଗତକୁ ଚାଲିଯାଉଛି।

ଅଧଲେଖା ଆତ୍ମଜୀବନୀ

ଗତ ପାଞ୍ଚବର୍ଷ ହେଲା ତାଙ୍କର ଆତ୍ମଜୀବନୀ ଲେଖିବାକୁ ମୁଁ ଏକପ୍ରକାର ଜିଦ କରି ବସିଥିଲି। ପାଞ୍ଚ ବର୍ଷ ଭିତରେ ପ୍ରାୟ ୧୨୦ ପୃଷ୍ଠାର ସ୍ମୃତିଲିପି ସେ ମୋ ପାଖକୁ ପଠାଇଛନ୍ତି। ସବୁବେଳେ ଲାଗୁଥିଲା, ବହିଟି ଏ ବର୍ଷ ନିଶ୍ଚୟ ସରିବ। ହେଲେ ସେ ବହି ସେମିତି ଅଧଲେଖା ହୋଇ ରହିଲା। ଜାଣେନା, ୟାପରେ ସେ ବହି ସରିବ କେମିତି। ମୋତେ ସବୁବେଳେ ଲାଗୁଥିଲା, ତାଙ୍କର କିଛି ହେବନି। କେବେ ବି ଭାବିନଥିଲି ଯେ ସେ ୮୦ ବର୍ଷର ଆୟୁଷ ଟପି ସାରିଲେଣି। ଆଜି ତାଙ୍କର ମୃତ୍ୟୁ ଖବର ଶୁଣିଲା ପରେ, ତଥାପି ଲାଗୁନି, ସେ ନାହାନ୍ତି। ସେ ଅଛନ୍ତି ଓ ରହିଥିବେ। ତାଙ୍କର ଶୁଦ୍ଧ ଅଙ୍ଗବିନ୍ୟାସ ଓ ସାତ୍ତ୍ଵିକ ଭାବାଭିନୟ ତାଙ୍କୁ ଅମର କରି ରଖିଥିବ।

Related posts