ରଙ୍ଗାଚରଣ ପ୍ରଧାନ
କେତେକ ମତ ଦେଉଛନ୍ତି ଯେ ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ଦୁସ୍ଥିତିରୁ ଅନ୍ୟତ୍ର ଧ୍ୟାନ ହଟାଇବା ପାଇଁ କେନ୍ଦ୍ରରେ ଥିବା ସରକାର ନାଗରିକତା ସଂଶୋଧନ ଆଇନ୍, ଏନ୍.ଆର୍.ସି ଓ ଏନ୍.ପି.ଆର୍ ଭଳି ସ୍ପର୍ଶକାତର ଓ ତୀବ୍ର ବିଭାଜନକାରୀ ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରଖିବାକୁ ଚାହୁଁଛି । ଏହା ହୁଏତ ସତ୍ୟ ହୋଇପାରେ ମାତ୍ର ସମ୍ପୂର୍ଣ ସତ୍ୟ ନ ହୋଇପାରେ ।
ନିକଟରେ ସରକାରଙ୍କର ‘ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍’ ବା ଏନ.ଏସ୍.ଓ ତରଫରୁ ପୂର୍ବାନୁମାନ ପ୍ରକାଶ ପାଇଛି ଯେ ଚଳିତ ଆର୍ଥିକ ବର୍ଷରେ ବିକାଶ ଦର ୫% ରହିବ । ଗତ ଦୁଇଟି ତ୍ରୈମାସିକରେ ବିକାଶ ଦର ୫% ଓ ୪.୫% ରହିଥିଲା । ମୋଟ ଜିଡିପିର ୬୦ ଭାଗ ଥିବା ଘରୋଇ ଉପଭୋକ୍ତା ଖର୍ଚ୍ଚ ଗତ ବର୍ଷ ୮.୧% ଦରରେ ବୄଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ତାହା ୫.୧% ଦରରେ ବଢୁଛି । ସେହିପରି ଜିଡିପିର ମୁଖ୍ୟ ଚାଳିକା ଶକ୍ତି ବୋଲି ବିଚାର କରାଯାଉଥିବା ପୁଞ୍ଜି ବିନିଯୋଗ ଚଳିତ ବର୍ଷ ୧% ଦରରେ ବୄଦ୍ଧି ପାଉଛି ଯାହା ଗତ ବର୍ଷ ୧୦% ଦରରେ ବୄଦ୍ଧି ପାଇଥିଲା । ଏସବୁ ଦୄଷ୍ଟିରୁ ଦେଖିଲେ ଚଳିତ ଆର୍ଥିକ ବର୍ଷର ବିକାଶ ଦର ୫% ସମ୍ଭବ ହେବା ପରି ଦିଶୁ ନାହିଁ ।
ଗତ ଜୁଲାଇ ମାସରେ ସରକାର ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ସମୟରେ ବିକାଶ ଦର ୭% ହେବ ବୋଲି କହିଥିଲେ । ବିକାଶ ଦରରେ ଏହି ୨% ହ୍ରାସ ଯୋଗୁଁ କେବଳ ଗୋଟିଏ ବର୍ଷ ମଧ୍ୟରେ ଜିଡିପି ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା କମ୍ ରହିବ । ଏହି ଭଳି ନିମ୍ନ ବିକାଶ ଦର ଯୁକ୍ତ ବର୍ଷଗୁଡିକ ଦେଶର ଆର୍ଥିକ ପ୍ରଗତିକୁ ପଛକୁ ନେଉଛି ।
ଏହି ୫% ହାରର ଜିଡିପି ବୄଦ୍ଧି ହେଉଛି ଗତ ୧୧ ବର୍ଷରେ ସର୍ବନିମ୍ନ । ଯଦି ମୁଦ୍ରାସ୍ଫୀତିକୁ ହିସାବକୁ ନ ନେଇ ବିକାଶ ଦର କଥା ଚିନ୍ତା କରିବା ତେବେ ଚଳିତ ଆର୍ଥିକ ବର୍ଷ ପାଇଁ ତାହା ୭.୫% ହେବ ବୋଲି ପୂର୍ବାନୁମାନ କରା ଯାଇଛି । ଏହା ମଧ୍ୟ ହେବ ଯୁଦ୍ଧୋତ୍ତର ୧୯୭୮ ମସିହାଠାରୁ ଏପର୍ଯ୍ୟନ୍ତ ହୋଇଥିବା ସର୍ବନିମ୍ନ ନାମମାତ୍ର (ନୋମିନାଲ୍) ବିକାଶ ଦର ।
ସରକାରଙ୍କ ଟିକସ ଓ ଅନ୍ୟାନ୍ୟ ରାଜସ୍ବ ସ୍ରୋତ ବହୁ ମାତ୍ରାରେ ଶୁଖି ଯାଇଥିବାରୁ ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ୟ ସମସ୍ତ ବିଭାଗକୁ ଜଣାଇଛନ୍ତି ଯେ ସେମାନେ ବର୍ଷର ଶେଷ ତ୍ରୈମାସିକରେ ସେମାନଙ୍କ ବଜେଟର ମାତ୍ର ୨୫% ଖର୍ଚ୍ଚ କରନ୍ତୁ, ପୂର୍ବ ନିର୍ଦ୍ଧାରିତ ୩୩% ନୂହେଁ ।
ମୋଟ ଉପରେ କହିବାକୁ ଗଲେ ଦେଶରେ ପୁଞ୍ଜିଲଗାଣ ଯେଉଁ ଭଳିଭାବରେ ଆଗରୁ ହେଉଥିଲା ତାହା ଆଉ ହେଉନାହିଁ । ବଜାରରେ ଚାହିଦା ଅଭାବରୁ ଦେଶୀ ଘରୋଇ ପୁଞ୍ଜିଲଗାଣ ହେଉନାହିଁ । ଗତ ସେପ୍ଟେମ୍ବର ମାସରେ ସରକାର ଘରୋଇ କମ୍ପାନୀମାନଙ୍କୁ ଯେଉଁ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ଛାଡ କରିଥିଲେ ତଦ୍ବାରା ସରକାରଙ୍କର ରାଜସ୍ବ ତ କମିଲା, ତାହା ସହିତ ଏହା କମ୍ପାନୀମାନଙ୍କୁ ପୁଞ୍ଜି ଲଗାଣ କରିବା ପାଇଁ ପ୍ରେରିତ କରିବ ବୋଲି ସରକାର ଯେଉଁ ଆଶା ରଖିଥିଲେ ତାହା ବି ଦେଖିବାକୁ ମିଳିଲା ନାହିଁ । ଏଣେ ସରକାର ନିଜର ଆର୍ଥିକ ନିଅଣ୍ଟ ପରିସ୍ଥିତି ଯୋଗୁଁ ନିଜ ଆଡୁ ପୁଞ୍ଜି ଲଗାଣ କରି ପାରୁ ନାହାନ୍ତି ।
ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଗତବର୍ଷ ଭାରତୀୟ କମ୍ପାନୀମାନଙ୍କ ଦ୍ବାରା ଭାରତରୁ ଅନ୍ୟ ଦେଶକୁ ପୁଞ୍ଜି ପଳାୟନ ପୂର୍ବ ବର୍ଷ ଅପେକ୍ଷା ୩୮% ବୄଦ୍ଧି ପାଇଛି । ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ ପୁଞ୍ଜିଲଗାଣ ପାଇଁ ଉପଯୁକ୍ତ ପରିବେଶ ମିଳିବ ବୋଲି ଆଶା କରି ଗତ ୬ ବର୍ଷରେ ବୈଦେଶିକ ପୁଞ୍ଜି ଲଗାଣକାରୀମାନେ ଭାରତୀୟ ସେୟାର ବଜାରରେ ୪୫ ବିଲିଅନ୍ ଡଲାରର ପୁଞ୍ଜି ନିବେଶ କରିଥିଲେ । ମାତ୍ର ଏବେ ସେମାନଙ୍କର ମୋହ ଭଙ୍ଗ ହୋଇଛି ଏବଂ ଏହା ଫଳରେ ସେମାନେ ତୀବ୍ର ଗତିରେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ଚାଲିଛନ୍ତି । ଗତ ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ ମଧ୍ୟରେ ବୈଦେଶିକ ପୁଞ୍ଜିଲଗାଣକାରୀ ୪.୫ ବିଲିଅନ୍ ଡଲାରର ଅଂଶଧନ ପ୍ରତ୍ୟାହାର କରି ସାରିଲେଣି । ୧୯୯୯ ମସିହାଠାରୁ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ତ୍ରୈମାସିକରେ ଏତେ ପରିମାଣର ବିଦେଶି ଅଂଶଧନ ପଳାୟନ କେବେ ହୋଇ ନଥିଲା ।
ଯଦି ନୂଆ ପୁଞ୍ଜିଲଗାଣ ହେବ ନାହିଁ ନୂଆ ରୋଜଗାର ମଧ୍ୟ ସୄଷ୍ଟି ହେବନାହିଁ । କେବଳ ପୁଞ୍ଜିଲଗାଣ ନୂହେଁ , ଆପଣ ଯେ କୌଣସି ଆର୍ଥିକ ସୁଚକାଙ୍କକୁ ଉଠାନ୍ତୁ ଦେଖିବେ କେଉଁଟି ଗତ ଦଶ ବର୍ଷରେ , କେଉଁଟି ଗତ ୨୦ ବର୍ଷରେ ତ ଆଉ କେଉଁଟି ଗତ ୪୫ ବର୍ଷରେ ସବୁଠାରୁ ନିକୄଷ୍ଠ ସ୍ତରରେ ପହଞ୍ଚି ଯାଇଛି ।
ସରକାର ଅଧିକାଂଶ ଟିଭି ଚାନେଲର ହେଡଲାଇନ୍ ଓ ଖବରକାଗଜର ଶିରୋନାମା ନିଜ ପସନ୍ଦ ଅନୁଯାୟୀ ପରିଚାଳନାରେ ସଫଳ ହେଉଥିଲେ ମଧ୍ୟ ଆର୍ଥିକ ଅବକ୍ଷୟ ନିରନ୍ତର ଜାରି ରହିଛି । ସରକାର ଏକଥା ଜାଣନ୍ତି ଯେ ଦେଶରେ ବିଶୄଙ୍ଖଳା, ହିଂସା, ଦଙ୍ଗା ଆଦି ଜାରି ରହିଲେ ପୁଞ୍ଜି ଲଗାଣକାରୀମାନେ ନିବେଶ ପାଇଁ ଆଗେଇ ଆସିବେ ନାହିଁ । ତାହା ସତ୍ତ୍ବେ ବି ସରକାର ପରିସ୍ଥିତିରେ ଉନ୍ନତ୍ତି ଆଣିବା ପାଇଁ ଚେଷ୍ଟା କରିବା ତ ଦୁରର କଥା, ବରଂ ଖୋଦ ପ୍ରଧାନମନ୍ତ୍ରୀ ଓ ଗୄହମନ୍ତ୍ରୀ ସମାଜରେ ହିଂସା ଓ ଦ୍ବେଷକୁ ଉସୁକାଉଥିବା ଭଳି ଭାଷଣ ଦେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ ହିଂସା କରୁଛନ୍ତି ତାହା ସେମାନଙ୍କ ପୋଷାକରୁ ଜଣା ପଡୁଛି । ଜଣେ ମୁଖ୍ୟମନ୍ତ୍ରୀ କହୁଛନ୍ତି ସେ ଆନ୍ଦୋଳନକାରୀଙ୍କ ଉପରେ ପ୍ରତିଶୋଧ ନେବେ । ଗୄହମନ୍ତ୍ରୀଙ୍କ ଭାଷଣରୁ ‘ଟୁକୁଡେ ଟୁକୁଡେ ଗ୍ୟାଙ୍ଗ’ ଭଳି ସଂଯମହୀନ ଶବ୍ଦ ଶୁଣିବାକୁ ମିଳୁଛି । ସମତାଳରେ ବଢିଚାଲିଛି ପୋଲିସର ବର୍ବରତା ଓ ପାର୍ଲିଆମେଣ୍ଟରେ ଶାସକଦଳର ସଂଖ୍ୟାଗରିଷ୍ଠତାର ନଗ୍ନ ତାଣ୍ଡବ ନୄତ୍ୟ । ସାମାନ୍ୟତମ ସହମତି ଓ ବିଚାରବିମର୍ଶକୁ ଏଡାଇ ମାତ୍ର କେଇ ଘଣ୍ଟା ମଧ୍ୟରେ ପାଶ୍ ହୋଇଯାଉଛି ଗୋଟିକ ପରେ ଗୋଟି ଅପରିଣାମଦର୍ଶୀ ବିଲ୍ । ଗଣମାଧ୍ୟମର ଏକ ବିରାଟ ଅଂଶକୁ ନିଜର ଚାଟୁକାରରେ ପରିଣତ କରି ସାଧାରଣ ଲୋକଙ୍କ ଆଖିରେ ଧୁଳି ଫିଙ୍ଗା ଯାଉଛି ।
ତେବେ ପ୍ରଶ୍ନ ହେଉଛି ଯେ ସରକାର ଯଦି ଭଲରୁପେ ଜାଣିଛନ୍ତି ଯେ ଏ ପ୍ରକାର ବିଶୄଙ୍ଖଳା ଓ ଅରାଜକତା ଅର୍ଥନୈତିକ ପୁନରୁଦ୍ଧାର ପାଇଁ ସହାୟକ ଏକ ବାତାବରଣ ତିଆରି କରିବ ନାହିଁ ତାହେଲେ ତଥାପି ସ୍ଥିତିକୁ ବିଗାଡିବାରୁ ବିରତ ରହୁ ନାହାନ୍ତି କାହିଁକି ? ମାତ୍ର ୭ ମାସ ପୂର୍ବେ ଏ ସରକାର ଗଠନ ହୋଇଛି । ଆଗାମୀ ପ୍ରାୟ ସାଢେ ୪ ବର୍ଷ ପାଇଁ ସରକାରର ସ୍ଥାୟିତ୍ବ ଉପରେ କୌଣସି ବିପଦ ନାହିଁ । ତେଣୁ ସରକାର ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ସ୍ବୀକାର ନ କରି ଓ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନ ନେଇ ସେଥିରୁ ଲୋକଙ୍କ ଧ୍ୟାନ ହଟାଇବାକୁ କାହିଁକି ଚାହିଁବେ ? ସାମୟିକ ଅଲୋକପ୍ରୀୟତା ପାଇଁ ସରକାର କାହିଁକି ଏତେ ଅପ୍ରସ୍ତୁତ ? ଥରେ ଆର୍ଥିନୀତିର ଗାଡି ରାସ୍ତାକୁ ଆସିଯିବା ପରେ ଯାଇ ସରକାର ନିଜର ଏଜେଣ୍ଡା ମୁତାବକ ବିଲ୍ ପାଶ୍ କରିବାରେ ଅସୁବିଧା କେଉଁଠି ?
ଅସଲରେ ସରକାରଙ୍କ ମତିଗତିକୁ ଅନ୍ୟ ଦିଗରୁ ମଧ୍ୟ ବିଶ୍ଳେଷଣ କରାଯାଇ ପାରିବ । ଦେଶ ସ୍ବାଧୀନ ହେବା ପୁର୍ବରୁ ବା ଗତ ଶତାବ୍ଧୀର ପଚାଶ ଦଶକରୁ ବିଜେପିର ଆଦର୍ଶର ଉତ୍ସ ବର୍ତ୍ତମାନର ସମ୍ବିଧାନରେ ଖୁସି ନଥିଲା । ସେମାନେ ହିନ୍ଦୁଧର୍ମର ଏକ ଅଜବ କିସମର ବ୍ୟାଖ୍ୟା ସହିତ ହିନ୍ଦୁତ୍ବ କାଏମ କରିବା ପାଇଁ ଚେଷ୍ଟା କରି ଆସିଛନ୍ତି । ବର୍ତ୍ତମାନ ଏହାକୁ ସେମାନେ ଆଉ ଲୁଚାଇବାକୁ ଚାହାନ୍ତି ନାହିଁ । ସେମାନଙ୍କ ପରିକଳ୍ପିତ ସମାଜ ଗଠନ ପାଇଁ ଗୋଟିଏ ଧର୍ମ, ଗୋଟିଏ ଭାଷା ଓ ଗୋଟିଏ ଶତ୍ରୁ ଧାରଣାର ପ୍ରଚାର ନିହାତି ଆବଶ୍ୟକ । ବର୍ତ୍ତମାନର ଅର୍ଥନୈତିକ ଅସନ୍ତୋଷ ପାଇଁ ଏକ ପରିକଳ୍ପିତ ଶତ୍ରୁକୁ ଦାୟୀ କରିବା ଜରୁରୀ ହୋଇପଡୁଛି । ସେଇଥିପାଇଁ ଗୄହମନ୍ତ୍ରୀ ବାରମ୍ବାର କହୁଛନ୍ତି ଯେ ଅନୁପ୍ରବେଶକାରୀମାନେ ଦେଶର ଅର୍ଥନୈତିକ ସୁଫଳକୁ ଜୋକ ବା ଦିମକ୍ ଭଳି ଶୋଷି ନେଉଛନ୍ତି । ଅର୍ଥାତ୍ ଅପପ୍ରଚାର ମାଧ୍ୟମରେ ଲୋକଙ୍କ ମନରେ ଏକ ଧାରଣା ସ୍ଥାପିତ କରାଯାଉଛି ଯେ ବର୍ତ୍ତମାନର ଆର୍ଥିକ ଦୁସ୍ଥିତି ପାଇଁ ଅନୁପ୍ରବେଶକାରୀ ବା ଘୁସପେଠିଆମାନେ ହିଁ ଦାୟୀ । ନାଗରିକତା ସଂଶୋଧନ ଆଇନ୍ ଦ୍ବାରା ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ବାଦ୍ ଦେଇ ସରକାର ଏ ଘୁସପେଠିଆ କିଏ ତାହାର ଯଥେଷ୍ଟ ଇଙ୍ଗିତ ଦେଇ ସାରିଛନ୍ତି । ତେଣୁ ବର୍ତ୍ତମାନ ସରକାରରେ ଥିବା ରାଜନୈତିକ ଦଳ ତାହାର ୧୯୫୦ ମସିହାର ବିଭେଦପୂର୍ଣ ଏଜେଣ୍ଡା କାର୍ଯ୍ୟକାରୀ କରିବା ନିମନ୍ତେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିବା ଏକ ଜରୁରୀ ସର୍ତ୍ତ ଅଟେ । ଏହାକୁ ସେମାନେ ଅନୁଗତ ଗଣମାଧ୍ୟମ ଓ ଖର୍ଚ୍ଚବହୁଳ ପ୍ରଚାରତନ୍ତ୍ର ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ବିରୁଦ୍ଧରେ ଦିଗ ଦେଇ ପାରିବେ ।
ଏହା ମଧ୍ୟ ହେଉଛି କ୍ଲାସିକାଲ୍ ଫାଶିବାଦର ନିୟମ । ପ୍ରଥମ ବିଶ୍ବଯୁଦ୍ଧ ପରେ ସୄଷ୍ଟି ହୋଇଥିବା ଭୟଙ୍କର ଆର୍ଥିକ ପରିସ୍ଥିତିର ଫାଇଦା ଉଠାଇ ୟୁରୋପରେ ଫାଶିବାଦ ମୁଣ୍ଡ ଟେକିଥିଲା । ଏହାର ପ୍ରତିକାର ପାଇଁ ସେମାନେ କୌଣସି ଅର୍ଥନୈତିକ ପଦକ୍ଷେପ ନେବା ଅପେକ୍ଷା ସାଂସ୍କୁତିକ ଆଧ୍ୟାତ୍ମିକ ପୁନରୁତ୍ଥାନ ଓ ଜାତିର ବିଶୁଦ୍ଧତା ଉପରେ ବେଶି ବିଶ୍ବାସ କରୁଥିଲେ । ଥରେ ଏସବୁ ହାସଲ ହୋଇଯିବା ପରେ ଦେଶର ଅର୍ଥନୈତିକ ବିକାଶ ଆପେ ଆପେ ହୋଇଯିବ ବୋଲି ସେମାନେ ବିଶ୍ବାସ କରିଥିଲେ । ତେଣୁ ବର୍ତ୍ତମାନ ଭାରତରେ ମଧ୍ୟ ଅର୍ଥନୈତିକ ଦୁସ୍ଥିତି ଓ ସରକାରଙ୍କ ପୌରହିତ୍ୟରେ ଚାଲିଥିବା ହିଂସା ଓ ଦ୍ବେଷମୁଳକ ରାଜନୀତି ଯେ ପରସ୍ପରର ଅନୁପୂରକ ହୋଇ କାମ ନ କରୁଛି ତାହା କିଏ କହିବ ?