କେଦାର ମିଶ୍ର
-ଯେଉଁମାନେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମୁଁ ଜିଅନ୍ତା ପୋତି ଦେବି। ଆମେ ପୋଲିସକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ସେମାନେ ଯଦି ଜଣକୁ ମାରିବେ, ତାହେଲେ ପୋଲିସ ଦଶ ଜଣଙ୍କୁ ମାରିବ। -ରଘୁରାଜ ସିଂ, ଉତ୍ତର ପ୍ରଦେଶର ମନ୍ତ୍ରୀ
– ପ୍ରତିବାଦକାରୀଙ୍କୁ ଆମେ ଛାଡ଼ିବୁ ନାହିଁ। ଆମେ ପ୍ରତିଶୋଧ ନିଶ୍ଚୟ ନେବୁ। – ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।
– ଆମ ଦଳର (ବିଜେପିର) ସରକାର ଯେଉଁଠି ଅଛି ଆମେ ସେଠାରେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକଙ୍କୁ କୁକୁଡ଼ା ପରି ଗୁଳିକାରି ମାରିଛୁ। – ଦିଲୀପ ଘୋଷ, ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି।
– ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଦିଲ୍ଲୀର ଜନତା ଉଚିତ ଜବାବ ଦେବେ- ଅମିତ ଶାହ, ଗୃହମନ୍ତ୍ରୀ।
-କେବଳ ଅର୍ବାନ ନକ୍ସଲ ନାଗରିକ ସଂଶୋଧନ ଆଇନର ବିରୋଧ କରୁଛନ୍ତି। -ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ।
-ମୁଁ ଅସାଦୁଦ୍ଦିନ ଓୱେଶୀର ଦାଢି ପୋଡି ଦେବି ଓ ତାକୁ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଟଙ୍ଗେଇ ଦେବି – ଡି.ଅରବିନ୍ଦ, ବିଜେପି ସାଂସଦ।
ସମ୍ବିଧାନର ଶପଥ ନେଇ ଶାସନ କରୁଥିବା ପାଞ୍ଚ ଜଣ ଦାୟିତ୍ଵବାନ ପ୍ରଶାସକ ଓ ଲୋକ ପ୍ରତିନିଧିଙ୍କର ବୟାନ ଇଏ। ଭାରତର ରାଜନୀତିରେ ଆମେ ବହୁ ସରକାର ଓ ବହୁ ଦଳର କ୍ଷମତା ଦଖଲ ଅଭିଯାନ ଦେଖିଛି। ହେଲେ କୌଣସି ରାଜନୈତିକ ଦଳର ନେତା ବା ଲୋକ ପ୍ରତିନିଧି ଏତେ ନୀଚ ସ୍ତରର ଭାଷା ସର୍ବ ସାଧାରଣରେ ବ୍ୟବହାର କରନ୍ତି ନାହିଁ। ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଟୁଇଟ ପିଛା ଦୁଇ ଟଙ୍କା ରୋଜଗାର କରୁଥିବା ବିଜେପିର “ଟ୍ରୋଲ” ପର୍ୟନ୍ତ, ସମସ୍ତଙ୍କ ଲାଗି ହିଂସା ଓ ଅସହିଷ୍ଣୁତା ସାଧାରଣ ବିଷୟ ପାଲଟି ଯାଇଛି। ସେମାନେ କାହାକୁ କେତେବେଳେ କିଛି ବି କହିଦେଇ ପାରିବେ। ସ୍ଵାଧୀନତା ଓ ସମ୍ବିଧାନକୁ ଉପହସିତ କରାଇ ଏ ପ୍ରକାର ରାଜନୈତିକ ଗୁଣ୍ଡାମୀ, ଭାରତ ସ୍ଵାଧୀନତା ପରେ କେବେ ଦେଖିନଥିଲା। କଂଗ୍ରେସ ଶାସନ ସମୟରେ ଆମେ ତୋଷାମଦର ଭାଷା ଦେଖିଛୁ। ହେଲେ ଏଇ ସ୍ତରର ଗୁଣ୍ଡାମୀ ଜରୁରୀକାଳୀନ ପରିସ୍ଥିତି ବେଳେ ମଧ୍ୟ ଦେଖା ଯାଇନଥିଲା।
ରାଜନୈତିକ ଭାଷା ପ୍ରୟୋଗରେ ତଳସ୍ତରର କର୍ମୀମାନେ ଅନେକ ସମୟରେ ନୀଚ ସ୍ତରର କିମ୍ବା ହିଂସା ମିଶ୍ରିତ ଭାଷାର ପ୍ରୟୋଗ କରୁଥିଲେ। ସର୍ବୋଚ୍ଚ ରାଜନୈତିକ ସ୍ତରରେ ସବୁବେଳେ ସମ୍ଭ୍ରମତା ଓ ସୌଜନ୍ୟତାବୋଧର ବିଶେଷ ଆଦର ରହିଥିଲା। ଦକ୍ଷିଣ ଓ ବାମପନ୍ଥୀ ରାଜନୀତିର ଉଗ୍ର ସମୟରେ ମଧ୍ୟ ସର୍ବୋଚ୍ଚ ସ୍ତରର ନେତାମାନେ ନିଜ ଭାଷା ପ୍ରତି ବେଶ ସଚେତନ ରହୁଥିଲେ। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିରୁ ଆସିଥିବା ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, କୁଶାଭାଉ ଠାକରେ ହୁଅନ୍ତୁ ବା ବାମପନ୍ଥୀ ବିଚାରରୁ ଆସିଥିବା ଇନ୍ଦ୍ରଜିତ ଗୁପ୍ତା, ଜ୍ୟୋତି ବସୁ ବା ସୋମନାଥ ଚାଟାର୍ଜି, ଏହି ତୁଙ୍ଗ ନେତାମାନେ ସାଧାରଣ ଜୀବନରେ ଭାଷାର ମର୍ୟାଦାବୋଧକୁ କେବେହେଲେ ଉଲ୍ଲଂଘନ କରିନାହାନ୍ତି। ଲାଲକୃଷ୍ଣ ଆଡଭାନୀ ଭାରତୀୟ ରାଜନୀତିରେ ସବୁଠୁ ଉଗ୍ର ଓ ବିଷାକ୍ତ ରାଜନୀତିରୁ ଆସିଛନ୍ତି, ହେଲେ ନିଜର ଭାଷଣ ଓ ଉଚ୍ଚାରଣରେ ଆଡଭାନୀଙ୍କର ଏକ ମର୍ୟାଦାବୋଧ ସବୁବେଳେ ରହିଥିଲା।
ହଠାତ ଆଜି ଏ ହିଂସ୍ର ପାଗଳାମି କାହିଁକି? ଉଗ୍ର, ହିଂସ୍ର, ଅଶ୍ଳୀଳ ଓ ଉନ୍ମାଦ ଭାଷା ପ୍ରୟୋଗକୁ ରାଜନୀତିରେ ଅତି ସାଧାରଣଭାବରେ ଆମେ ଗ୍ରହଣ କରିନେଉଛୁ କେମିତି? “ଭଦ୍ରଲୋକଙ୍କ ରାଜ୍ୟ” ଭାବରେ ପରିଚିତ ପଶ୍ଚିମବଙ୍ଗ ରାଜନୀତିରେ ବର୍ତ୍ତମାନ ସବୁଠୁ ଅଭଦ୍ର ଭାଷାର ପ୍ରୟୋଗ ଚାଲିଛି। ଏହି ଅଭଦ୍ର ପ୍ରତିଯୋଗିତାରେ ସବୁଠୁ ଆଗରେ ଅଛନ୍ତି ବିଜେପିର ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଦିଲୀପ ଘୋଷ। ଏ ମହାଶୟ, ସତେକି ପେଟରେ ପେଟେ ଜହର ଧରି ବୁଲୁଛନ୍ତି। ତାଙ୍କ ମୁହଁ ଖୋଲିଲେ କେବଳ ବିଷ ହିଁ ବାହାରୁଛି। ବିଜେପିକୁ ସାମ୍ନା କରିବାକୁ ଯାଇ ତୃଣମୂଳ କଂଗ୍ରେସର ନେତାମାନେ ମଧ୍ୟ ଏ ପ୍ରକାର ଅଭାଷା ପ୍ରୟୋଗ କରିବାକୁ ପଛଉନାହାନ୍ତି।
କେବଳ ଯେ ରାଜନୈତିକ ଭାଷଣବାଜିରେ ଏହା ବ୍ୟବହାର ହେଉଛି ତା ନୁହେଁ, ଜାତୀୟ ଗଣମାଧ୍ୟମରେ ଏ ପ୍ରକାର ଭାଷା ଆଜିକାଲି ଅତି ସାଧାରଣ ହୋଇ ଯାଇଛି। ବିଜେପି ମୁଖପାତ୍ର ସଂବିତ ପାତ୍ର, ଗୌରବ ଭାଟିଆ, ଜିଭିଏଲ ନରସିଂହ ରାଓ, ଅମିତାଭ ସିହ୍ନା, ବିଜେପି ଆଇଟି ସେଲର ମୁଖିଆ ଅମିତ ମାଲବ୍ୟ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଅଭଦ୍ରାମିର ଶିଳ୍ପ ଖୋଲି ବସିଛନ୍ତି। ବିଜେପି ଓ ଏହାର ତଥାକଥିତ ସଂଘ ବିଚାରକମାନେ ଜାତୀୟ ଟେଲିଭିଜନରେ ରାଜନୈତିକ ବିତର୍କକୁ ଗାଳିଗୁଲଜର ସ୍ତରକୁ ନେଇ ଆସିଛନ୍ତି। ଏ ପ୍ରକାର କୁକୁର ଲଢେଇରେ ରେଫରି ଭାବରେ କିଛି ନାମକରା ସାମ୍ବାଦିକ ରହିଛନ୍ତି।
ହାଶଟାଗ ସାମ୍ବାଦିକତା ଓ ଆଇଟି ସେଲ ରାଜନୀତିର ପରିଣତି ସ୍ଵରୂପ ଆଜି ଆମେ ଗୋଟେ ହିଂସ୍ର ରାଜନୈତିକ ଭାଷାର ଶିକାର ହୋଇସାରିଛୁ। ସେ ପ୍ରକାର ଭାଷାକୁ ଆଜିର ସର୍ବୋଚ୍ଚ ରାଜନୈତିକ ନେତୃତ୍ଵ ନିଜର ବଡ ସାମର୍ଥ୍ୟ ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସ୍ତରର ନେତା ମଧ୍ୟ ଅନେକ ସମୟରେ ଦୁଇ ଟଙ୍କିଆ ଟ୍ରୋଲର ଭାଷାକୁ ବଡ ଆନନ୍ଦରେ ବ୍ୟବହାର କରୁଛନ୍ତି। ତେଣୁ ଏହି ପ୍ରକାର ଅବକ୍ଷୟ ପଛରେ ଏହି ନେତାଙ୍କର ଭୂମିକା ରହିଛି ନିଶ୍ଚୟ। ଯଦି ପ୍ରଧାନମନ୍ତ୍ରୀ ଟ୍ରୋଲ ଭଳି ବ୍ୟବହାର କରିବେ ତାହେଲେ, ଟ୍ରୋଲର ଭାଷା କଣ ହେବ?