ପ୍ରଭୁକଲ୍ୟାଣ ମହାପାତ୍ର
ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଭାରତବାସୀ କେବଳ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ ଓଡ଼ିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ଯୁଦ୍ଧ ଲଢିବାକୁ ପଡିଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି, ଦେଶ ମାତୃକାର, ସ୍ବାଧୀନତା ସକାଶେ ବ୍ରିଟିଶ୍ ସରକାର ବିରୁଦ୍ଧରେ ଏବଂ ଅନ୍ୟଟି ସ୍ବତନ୍ତ୍ର ରାଜ୍ୟ ଗଠନ ନିମନ୍ତେ । ‘ଓଡିଆ ଏକ୍ଟା ଭାଷା ନଏଁ’ ବୋଲି ପଡୋଶୀ ରାଜ୍ୟରୁ ସେତେବେଳେ ଜୋରଦାର୍ ଆବାଜ୍ ଉଠିଥିଲା। ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ଓଡ଼ିଶାବାସୀଙ୍କ ଲାଗି ମୁଖ୍ୟ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଫଳରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭଳି ଯଶସ୍ବୀ ସାରସ୍ବତ ସାଧକ ଶାଣିତ ଲେଖନୀ ଚାଳନା କରି ଓଡ଼ିଆ ଭାଷାର ଅସ୍ମିତା ରକ୍ଷା କରି ପାରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ପ୍ରଥିତଯଶା ସାହିତ୍ୟିକମାନେ ସେମାନଙ୍କ ବଳିଷ୍ଠ ଲେଖନୀ ଚାଳନା କରି ଉଗ୍ର ଜାତୀୟତାବାଦ ଉଦ୍ରେକ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିଥିଲେ, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଅନ୍ୟତମ।
କାନ୍ତକବି ଜାତୀୟତାବାଦୀ ଲେଖାଗୁଡିକ ନିର୍ମଳ ଦେଶପ୍ରେମର ପ୍ରତିଫଳନ। ତାଙ୍କ ରଚିତ ଜାତୀୟ ସଙ୍ଗୀତଗୁଡ଼ିକ ଉଗ୍ର ଉତ୍କଳପ୍ରୀତିର ନମୁନା। ତାଙ୍କ ଜାତୀୟତାବୋଧ ସ୍ପନ୍ଦିତ ଆତ୍ମାର କମ୍ପନ୍ ଗଙ୍ଗା ଓ ଯମୁନାର ଧାରା ପରି ଉତ୍କଳୀୟତା ଏବଂ ମହାଭାରତୀୟ ଭାବ ସମ୍ବଳିତ କବିତା ଭିତରେ ଅଭିବ୍ୟକ୍ତି ଲାଭ କରିଛି। 1903ରୁ 1919 ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ମଣ୍ଡପରେ କତିପୟ ଜାତୀୟ କବିଙ୍କ ଉଦ୍ବୋଧନୀ ସଙ୍ଗୀତ ଗାନ କରାଯାଇଥିଲା। ସେହି ପ୍ରସିଦ୍ଧ ଜାତୀୟ ଗୀତିକାଗୁଡ଼ିକ ମଧ୍ୟରେ ରାଧାନାଥ ରାୟଙ୍କ ସର୍ବେଷାଂନୋ ଜନନୀ ଭାରତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମା’ ମା’ ବୋଲି ଯେତେ ମୁଁ ଡାକିଲି, ମା’କୁ ପାଇଲି ନାହିଁ।’ ଲକ୍ଷ୍ମୀକାନ୍ତଙ୍କ ’ବନ୍ଦେ ଉତ୍କଳ ଜନନୀ’ ପ୍ରଭୃତି ଥିଲା ଉଲ୍ଲେଖଯୋଗ୍ୟ । ଜାତୀୟ ମଞ୍ଚ ଅଥବା ଉତ୍କଳ ସମ୍ମିଳନୀ ମଣ୍ଡପରେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହେବାବେଳେ ତାହା ଉଭୟ ଦର୍ଶକ ଓ ଶ୍ରୋତା ପ୍ରାଣରେ ବିପୁଳ ରୋମାଞ୍ଚ ଏବଂ ଉନ୍ମାଦନା ସୃଷ୍ଟି କରିଥିଲା । ଏହାର ଚାକ୍ଷୁସ ବିବରଣୀ ପ୍ରଦାନ କରି ଉକ୍ତ ସଭାରେ ଉପସ୍ଥିତ ଥିବା ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ପୁରୋଧା ସ୍ବାମୀ ବିଚିତ୍ରାନନ୍ଦ ଦାସ କହିଥିଲେ, ‘ xxx କାନ୍ତକବି ହେଉଛନ୍ତି ଜାତୀୟ ଜୀବନର ପ୍ରକୃଷ୍ଟ ଉପାସକ। ତାଙ୍କର ’ବନ୍ଦେ ଉତ୍କଳ ଜନନୀ’ ପ୍ରଥମେ ପୁରୀ ଉତ୍କଳ ସମ୍ମିଳନୀରେ 1908 ମସିହାରେ ଗୀତ ହୋଇଥିଲା । ମୋର ହୃଦୟ ସେଦିନ ଭାବରସରେ ମୁଗ୍ଧ ହୋଇ ଯାଇଥିଲା । ସହସ୍ର ହୃଦୟରେ ଅପୂର୍ବ ଭାବରସର ସଞ୍ଚାର।‘ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି 1908ରେ ପୁରୀ ଉତ୍କଳ ସମ୍ମିଳନୀ ମଣ୍ଡପରେ ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ସମୟରେ କାନ୍ତକବିଙ୍କ ବୟସ ଥିଲା ମାତ୍ର 20 ବର୍ଷ। ସ୍ବାସ୍ଥ୍ୟଗତ କାରଣରୁ ସ୍ବଶରୀରେ ଜାତୀୟ ସଂଗ୍ରାମରେ ସାମିଲ୍ ହେବାକୁ ଅସମର୍ଥ ହୋଇଥିଲେ ସୁଦ୍ଧା ଶାଣିତ ଲେଖନୀ ଚାଳନା କରି ସେ ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମକୁ ବହୁଳ ଭାବରେ ପ୍ରଭାବିତ କରିଥିଲେ । କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରେ ଯୁବକ ଲକ୍ଷ୍ମୀକାନ୍ତଙ୍କ ପ୍ରଚଣ୍ଡ ଉତ୍କଳୀୟ ଜାତୀୟତାର ଜ୍ବାଳାମୁଖୀ ପରିପ୍ରକାଶ ପରିଲକ୍ଷିତ ହୋଇଛି । ତାଙ୍କର ଅନ୍ୟ କେତେକ ଦେଶାତ୍ମବୋଧକ ସଙ୍ଗୀତକୁ ଲକ୍ଷ୍ୟ କରି ଅନେକ ଲକ୍ଷ୍ମୀକାନ୍ତଙ୍କୁ ଜାତୀୟ କବି ବୋଲି ମଧ୍ୟ ଆପ୍ୟାୟିତ କରିଛନ୍ତି।
ଉଗ୍ର ଜାତୀୟତାବାଦ ଉଦ୍ରେକକାରୀ ସେହି ଦେଶାତ୍ମବାଧକ ସଙ୍ଗୀତଗୁଡ଼ିକ ମଧ୍ୟରେ ‘କୋଟି କୋଟି କଣ୍ଠେ ଆଜି, ଉଠୁରେ ଗମ୍ଭୀର ବାଜି, ଉତ୍କଳର ଜୟଗୀତି ଉନ୍ମାଦନା ଭରା, କମ୍ପି ଉଠୁ ଶୈଳରାଜି ସରାଗର ଧରା, କମ୍ପି ଉଠି ଶୂନ୍ୟେ ଶୂନ୍ୟେ ଆକାଶ ଅବନି, ମୋର ଉତ୍କଳ ଜନନୀ, ମୋର ଉତ୍କଳ ଜନନୀ ।‘ ଉଡାଇ ନିଶାଣ ବଜାଇ ଭେରି, ଜଗାଇ ବିପୁଳ ପୁଲକ କମ୍ପି, ମନ୍ତ୍ରପୂତ ଅନଳ ଭେଦି, ଏ ଜାତି ଯେଦିନ ଦେଲାରେ ଲମ୍ପ । ଉଠିଲା ଗର୍ଜି ଦୀପ୍ତ ଅଶନି ସଘନେ ଗଗନ ବକ୍ଷେ, ସୌର ଜଗତ ସ୍ତମ୍ଭୀତ ହୋଇ ଚାହିଁଲା ମୁଗ୍ଧ ଚକ୍ଷେ ।‘ ପ୍ରଭୃତି ଉଲ୍ଲେଖନୀୟ।
1921ରେ ଅସହଯୋଗ ଆନ୍ଦୋଳନ ଏବଂ 1930ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କ ପରିବାରକୁ ବହୁଳ ଭାବରେ ଉଦ୍ବୁଦ୍ଧ କରିଥିଲା । ତାଙ୍କର ସମଗ୍ର ପରିବାର ଜାତୀୟ ଆନ୍ଦୋଳନରେ ସାମିଲ୍ ହୋଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ । କାନ୍ତକବିଙ୍କର ଦୁଇ ପୁତ୍ର, ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର, ଅନୁଜ କମଳାକାନ୍ତ, ଅନୁଜା ଜାହ୍ନବୀ ଓ କୋକିଳା ଏକାଧିକବାର କାରାବରଣ କରିଥିବାବେଳେ ପିତା ଭାବଗତ ପ୍ରସାଦ ସରକାରୀ ଅନ୍ୟାୟର ପ୍ରତିବାଦ କରି ବିହାର-ଓଡ଼ିଶା କାଉନସିଲ୍ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ।
1953 ଫେବୃଆରୀ 24 ତାରିଖରେ କାନ୍ତକବିଙ୍କର ତିରୋଧାନ ହୋଇଥିଲା । ତାଙ୍କ ବିୟୋଗରେ ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତିଙ୍କ ଅନ୍ତରରୁ ଯେଭଳି ଶୋକ ଉଚ୍ଛ୍ବାସ ପ୍ରକାଶ ପାଇଲା, ତାହା କାନ୍ତକବିଙ୍କ ସାରସ୍ବତ କୃତିର ସର୍ବଶ୍ରେଷ୍ଠ ସ୍ବୀକୃତି ବୋଲି ବିବେଚନା କରାଯାଏ । ତହିଁରୁ ଏଠାରେ କେତୋଟିର ଉଦ୍ଧାର ପ୍ରାସଙ୍ଗିକ ମନେ ହୁଏ । ସ୍ବର୍ଗତଃ ଭୁବନାନନ୍ଦ ଦାସ ଶୋକ ବ୍ୟକ୍ତ କରି କହିଥିଲେ, ‘ଉତ୍କଳର ଇତିହାସକୁ କାନ୍ତକବି ସ୍ବର୍ଣ୍ଣଭୂଷିତ କରିଛନ୍ତି । ଦେଶକୁ ଓ ସାହିତ୍ୟକୁ ଅପରିସୀମ ତାଙ୍କର ଦାନ । ସେଇ ଦେଶଭକ୍ତ ଲେଖକଙ୍କୁ ହରାଇ ଉତ୍କଳ ଜନନୀ ଆଜି ଦୁଃଖବିଧୂରା ।’‘ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଭାଷାରେ, ‘ଆମେ କାନ୍ତକବିଙ୍କ ବନ୍ଦନା ଗାଉଁଛୁ ରେଡିଓ କି ଲାଇଡ୍ ସ୍ପିକରରେ ନୁହେଁ – ଅସ୍ପଷ୍ଟ ଭାଷାରେ । ତର୍ପଣ କରୁଛୁ, ଗଙ୍ଗା ଜଳରେ ନୁହେଁ- ଲୁହରେ । ତିରୋଧାନ ପାଳୁଛୁ, ତୋପ ଶବ୍ଦରେ ନୁହେଁ – ଦୀର୍ଘ ନିଃଶ୍ବାସରେ । ‘ଇନ୍କିଲାବି ନୁହେଁ, ରଘୁପତି ରାଘବ ନୁହେଁ – ଖାଲି ହାୟ ହାୟ । ସେ ହସର ଦୀପ ତୁମେ ଅଖଣ୍ଡ ହୋଇ ଜଳୁଥାଅ ।’ ସମାଜସେବୀ ରମାଦେବୀ କହିଥିଲେ, ‘ସେ ସିନା ରୋଗ ଜର୍ଜରିତ ମର ଦେହ ଛାଡି ଚାଲିଗଲେ । ତାଙ୍କ ସଙ୍ଗୀତ, କବିତା, ହାସ୍ୟରସର ସ୍ମୃତି ଆମକୁ ସବୁଦିନ ପାଇଁ ବିୟୋଗ ଦୁଃଖ ଦେଉଥିବ ।‘ ସରଳା ଦେବୀ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ, ‘ଏ ପୋଡା ଦେଶଟାର ପ୍ରାଣଧାର କାନ୍ତକବି ଶୁଷ୍କ କରି ଦେଇଗଲେ ।‘ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ, ଖରାଖିଆ ମହାଦେବଙ୍କ ପରି ଯେଉଁମାନେ ହୁଏତ ଦିନେ ଭକ୍ତର ବନ୍ଦନା ପାଇନାହାନ୍ତି, ଅଥଚ ଅଯାଚିତ ଭାବରେ ଦେଇଛନ୍ତି ଆଶୀର୍ବାଦ ଅମୃତ – କାଳକୂଟରେ ଜର୍ଜରିତ ହୋଇ ସୁଦ୍ଧା, ସେମାନେ ନମସ୍ୟ ।’ ବିଶିଷ୍ଟ କଥାକାର ମନୋଜ ଦାସ ଏକ ଭିନ୍ନ ସ୍ବାଦରେ ନିଜର ଅଭିବ୍ୟକ୍ତି ପ୍ରକଟ କରିଥିଲେ, ଶ୍ରୀ ଦାସ ଜଣେ ବଙ୍ଗୀୟ ପ୍ରଗତିଶୀଳ ସାହିତ୍ୟିକଙ୍କୁ କାନ୍ତକବିଙ୍କ ଉପନ୍ୟାସ ‘କଣାମାମୁଁ’ର କିଛି ଅଂଶ ଅନୁବାଦ କରି ଶୁଣାଇଥିଲେ । ଫଳରେ ସମ୍ପୃକ୍ତ ବଙ୍ଗୀୟ ସାହିତ୍ୟିକ ଜଣକ ମନ୍ତବ୍ୟ ଦେଇଥିଲେ – ବାସ୍ତବତାର ମାନଦଣ୍ଡ ଦିୟେ ବିଚାର କର୍ଲେ, ଅପନାଦେର କାନ୍ତକବି ସ୍ବୟଂସିଦ୍ଧ ପ୍ରଗତିଶୀଳ ।’ ଏହି ମନ୍ତବ୍ୟଟି ମନୋଜବାବୁଙ୍କ ମନରେ ଗଭୀର ରେଖାପାତ କରିଥିଲା । ଫଳରେ ଶ୍ରୀଦାସ ଟିପ୍ପଣୀ କରିଥିଲେ । ‘ଅପନାଦେର କାନ୍ତକବି’ ବାସ୍ତବିକ ‘ଆମାଦେର ହୋଇ ରହିଗଲେ । ଆମେ କାନ୍ତକବିଙ୍କୁ ’ସାର୍ବଜନନୀ’ କରି ପାରିଲୁ ନାହିଁ ।
କାନ୍ତକବିଙ୍କ ଦେହାନ୍ତ ଘଟିବାର ସପ୍ତାହେ ମଧ୍ୟରେ ଓଡ଼ିଶା ବିଧାନସଭାରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ କରି ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ସେଥିରେ ଭାଗ ନେଇ ତଦନାନ୍ତୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କହିଥିଲେ, ‘ଯେହେତୁ କାନ୍ତକବି ସାରା ଓଡ଼ିଶାରେ ସୁପରିଚିତ, ତାଙ୍କ ବିୟୋଗରେ ମୁଁ ବା ଅଧିକ କ’ଣ କହିବି? ଏକଥା ସମେସ୍ତ ଜାଣନ୍ତି ଯେ, ସେ ବହୁ ଦିନ ଧରି ରୋଗଶଯ୍ୟାରେ ପଡିଥିଲେ । ତାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ଲାଗି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।‘ ସେତେବେଳର ବିରୋଧୀ ଦଳ ନେତା ଡ. ଶ୍ରଦ୍ଧାକାର ସୂପକାର ଉଲ୍ଲେଖ କରିଥିଲେ, ‘କାନ୍ତ କବି ଯଦିଓ ତାଙ୍କ ଦୁଃଖମୟ ଦୈହିକ ଜୀବନରୁ ମୁକ୍ତିଲାଭ କରିଛନ୍ତି, ତଥାପି ସାହିତ୍ୟିକ ଜଗତରେ ସେ ଚିରଦିନ ଅମର ହୋଇ ରହିବେ । ତାଙ୍କ ବିୟୋଗରେ କେବଳ ଓଡ଼ିଆ ସାହିତ୍ୟ କ୍ଷେତ୍ର ନୁହେଁ, ସାଧାରଣ କ୍ଷେତ୍ରରେ ମଧ୍ୟ ଗୋଟିଏ ଅପୂରଣୀୟ କ୍ଷତି ଘଟିଛି । ସେହିପରି ତତ୍କାଳୀନ ବାଚସ୍ପତି ନନ୍ଦ କିଶୋର ଦାସ କହିଥିଲେ, ‘ମୁଁ ତାଙ୍କ (କାନ୍ତକବିଙ୍କ) ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆସିଛି । ତାଙ୍କର ପ୍ରଧାନ କବିତା ‘ଜୀବନ ସଙ୍ଗୀତ 1931 ମସିହାରେ ଲେଖା ହୋଇଥିଲା । ତାଙ୍କର ଅଭାବ ଓଡ଼ିଆ ଭାଷାରେ ଅପୂର୍ଣ୍ଣ ରହିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
କାନ୍ତକବିଙ୍କ ରଚିତ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ବିଧାନସଭା 1994 ମସିହାରୁ ଉଦ୍ଯାପନୀ ସଙ୍ଗୀତ ରୂପେ ଗାନ କରାଯାଉଛି । ଏଥିନେଇ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବାଚସ୍ପତି ଯୁଧିଷ୍ଠିର ଦାସ 1994 ନଭେମ୍ବର 7 ତାରିଖ ସର୍ବସମ୍ମତି କ୍ରମେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେ, ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ ଜୟ ହେ’ ବିଧାନସଭା ଅଧିବେଶନ ଆରମ୍ଭରେ ଏବଂ ରାଜ୍ୟ ସଙ୍ଗୀତ ’ବନ୍ଦେ ଉତ୍କଳ ଜନନୀ’ ଅଧିବେଶନ ଶେଷରେ ପରିବେଷିତ ହେବ । ଏଭଳି ଯୁଗାନ୍ତକାରୀ ସିଦ୍ଧାନ୍ତ ଗ୍ରହଣ ସମୟରେ ଭାରତ ବର୍ଷର କୌଣସି ବିଧାନସଭା ସମ୍ପୃକ୍ତ ରାଜ୍ୟ ବା ପ୍ରାଦେଶିକ ସଙ୍ଗୀତକୁ ଗୃହରେ ପରିବେଷଣ କରୁନଥିଲେ । ଅନ୍ୟପକ୍ଷରେ କୁହାଯାଇପାରେ ଯେ, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏକି ତା’ର ପ୍ରାଦେଶିକ ସଙ୍ଗୀତକୁ ବିଧାନସଭା ଅଧିବେଶନର ଉଦ୍ଯାପନୀ ସଙ୍ଗୀତ ଭାବେ ଗ୍ରହଣ କରିଛି । ଓଡ଼ିଶାର ପଦାଙ୍କ ଅନୁସରଣ କରି ଇତ୍ୟମଧ୍ୟରେ ଅନେକ ରାଜ୍ୟ ତାଙ୍କ ବିଧାନସଭାରେ ନିଜ ପ୍ରାଦେଶିକ ସଙ୍ଗୀତକୁ ଗୃହରେ ପରିବେଷଣରୁ ସୁଯୋଗ ପ୍ରଦାନ କରିଥିବାର ଶୁଣାଯାଏ ।
ଉତ୍କଳ ସମ୍ମିଳନୀ ପକ୍ଷରୁ ଦାବି କରାଯାଏ ଯେ, କାନ୍ତକବିଙ୍କ ସୃଷ୍ଟ ‘ବନ୍ଦେ ଉତ୍କଳ ଜନନୀ’ ଦେଶାତ୍ମବୋଧକ ସଙ୍ଗୀତକୁ 1912 ମସିହାରୁ ତା’ର ପ୍ରାରମ୍ଭିକ ବା ଉଦ୍ଘାଟନୀ ସଙ୍ଗୀତ ରୂପେ ଅଧିଗ୍ରହଣ କରାଯାଇଛି । ସେହି ବର୍ଷ ବାଲେଶ୍ବରଠାରେ ଉତ୍କଳ ସମ୍ମିଳନୀର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ କି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି କାନ୍ତକବିଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଶିଷ୍ଟ ସାହିତ୍ୟିକ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ସମ୍ପର୍କରେ ଲେଖିଥିବା ଏକ ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି ଯେ, ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ସହିତ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଉଗ୍ର ଉତ୍କଳୀୟ ମନୋଭାବ ଜାଗ୍ରତ ନିମେନ୍ତ ଖୋଦ୍ ବାଞ୍ଛାନିଧିବାବୁ ଗାଁ ଗାଁ ବୁଲି ହାରମୋନିୟମ୍ ବଜାଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ବୋଲୁଥିଲେ । କେବଳ ସେତିକି ନୁହେଁ, 2002 ଡିସେମ୍ବର 19 ତାରିଖ ଦିନ ବିଧାନସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉତ୍ଥାପିତ ହୋଇଥିଲା ଏବଂ ସବୁ ଦିନର ସଭ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ ଲାଗି ଅଡି ବସିଥିଲେ । ଫଳରେ ତଦନାନ୍ତୀନ ବାଚସ୍ପତି ଶରତ କୁମାର କର ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସରକାର ବସିଥିଲେ । ଫଳରେ ତଦନାନ୍ତୀନ ବାଚସ୍ପତି ଶରତ କୁମାର କର ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସରକାର ନିର୍ଦ୍ଦେଶ ଦେଇଥିଲେ । ବାଚସ୍ପତି ଶ୍ରୀକରଙ୍କ ଏହି ନିର୍ଦ୍ଦେଶକୁ ସେତେବେଳେ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ । ସେଥିମଧ୍ୟରେ ତତ୍କାଳୀନ ଉତ୍କଳ ସମ୍ମିଳନୀର ସଭାପତି ହରିଶ୍ଚନ୍ଦ୍ର ବକ୍ସିପାତ୍ର ଥିଲେ ଅନ୍ୟତମ । ଏତଦ୍ଭିନ୍ନ ମାନ୍ୟବର ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ହୁମାୟନ କବିର ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତର ଜଣେ ଉଚ୍ଚ ପ୍ରଶଂସକ ଥିଲେ । ଏହି ସଂଗୀତର ସୁଲଳିତ ସୂର, ଶ୍ରୁତି ମଧୁର ଶବ୍ଦ ବିନ୍ୟାସ, ଉତ୍କଳ ଜନନୀ ସଙ୍ଗୀତର ଅନନ୍ୟ ବର୍ଣ୍ଣନା ତାଙ୍କୁ ଅଭିଭୂତ କରିଥିଲା । ତେଣୁ ଅନ୍ୟାନ୍ୟ ରାଜ୍ୟର ପ୍ରାଦେଶିକ ସଙ୍ଗୀତ ତୁଳନାରେ ଏହି ସଙ୍ଗୀତ ଅଧିକ ଉତ୍କୃଷ୍ଟ ବୋଲି ଜଷ୍ଟିସ୍ କବିର ମତବ୍ୟକ୍ତ କରିଥିଲେ । ଜଷ୍ଟିସ୍ କବିର ପ୍ରଧାନ ବିଚାରପତି ଥିବାବେଳେ କଟକରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଦୁଇ ତିନି ଥର ଆସିଥିଲେ । ସେତେବେଳେ କଟକର ଜିଲ୍ଲାପାଳ ଥିବା ଏସ୍.ଏନ୍. ଗିରିଶଙ୍କୁ ସେ ତାଙ୍କର ଏହି ମନୋଭାବ ଜଣାଇଥିଲେ ।
ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜୀବନରେ ମଧ୍ୟ କାନ୍ତକବିଙ୍କ ରଚିତ ଏହି ଦେଶାତ୍ମବୋଧକ ସଙ୍ଗୀତ ଗଭୀର ରେଖାପାତ କରିଥିଲା । କାନ୍ତକବିଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଏବଂ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ’ ହେଉଛି ତାଙ୍କ ଜୀବନର ଶ୍ରେଷ୍ଠ ସଙ୍ଗୀତ ବୋଲି ଶ୍ରୀ ରାୟ ସ୍ବୀକାର କରିଛନ୍ତି । କାନ୍ତକବିଙ୍କ କନିଷ୍ଠ ପୁତ୍ର ଗୌରଚନ୍ଦ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରକାଶିତ ’ନିରବ ସାଧକ ଗୌରଚନ୍ଦ୍ର’ ପୁସ୍ତକ ପାଇଁ ନିଜର ଲେଖା ପ୍ରସ୍ତୁତି ସମୟରେ ସ୍ବର୍ଗତ ରାୟ ଖୋଦ୍ ଏହି ଆଲେଖ୍ୟର ଲେଖକଙ୍କୁ ତାହା ଜଣାଇଥିଲେ ।
ସର୍ବୋପରି ପ୍ରବାଦ ପୁରୁଷ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ ବିଜୁ ପଟ୍ଟନାୟକଙ୍କର ମଧ୍ୟ ଏହା ଅତି ପ୍ରିୟ ସଙ୍ଗୀତ ଥିଲା । ତେଣୁ ପ୍ରତ୍ୟେକ ସଭାରେ ଅଭିଭାଷଣ ପ୍ରଦାନ ପରେ ସେ ’ବନ୍ଦେ ଉତ୍କଳ ଜନନୀ’ ସମ୍ବୋଧନ କରୁଥିଲେ। ବର୍ତ୍ତମାନ ତାଙ୍କର ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । ପ୍ରତ୍ୟେକ ସାଧାରଣ ସଭାରେ ବକ୍ତବ୍ୟ ଦେବା ପରେ ସେ ’ବନ୍ଦେ ଉତ୍କଳ ଜନନୀ’ ପଦଟିକୁ ଉଦ୍ଧାର କରିଛନ୍ତି ।
ତେବେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 83 ବର୍ଷ ପରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ଆଇନଗତ ମାନ୍ୟତା ନ ମିଳିବା । କାରଣ ସ୍ବାଧୀନତା ପୂର୍ବରୁ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଗଠିତ ହୋଇ ମଧ୍ୟ ଓଡ଼ିଶା ତା’ର ପ୍ରାଦେଶିକ ସଙ୍ଗୀତକୁ ଆଇନଗତ ମାନ୍ୟତା ପ୍ରଦାନ କରିପାରିନଥିବାବେଳେ ସ୍ବାଧୀନତା ପରେ (ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ପ୍ରାୟ 20 ବର୍ଷ ପରେ) ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଆନ୍ଧ୍ରପ୍ରଦେଶ ନିଜର ଦୁଇଟି ରାଜ୍ୟ ସଂଗୀତକୁ ଆଇନଗତ ମାନ୍ୟତା ପ୍ରଦାନ ନିମନ୍ତେ ସମର୍ଥ ହୋଇଛି । ଏତଦ୍ଭିନ୍ନ ତେଲୁଗୁ ଭାଷାର ସ୍ବତନ୍ତ୍ର ପତାକା ସୃଷ୍ଟି କରି ତାକୁ ଆନ୍ଧ୍ର ସଚିବାଳୟରେ ଉତ୍ତୋଳିତ କରିଛି । କେବଳ ସେତିକି ନୁହେଁ, ନିକଟରେ ଆନ୍ଧ୍ରପ୍ରଦେଶରୁ ବିଭାଜିତ ହୋଇ ନୂତନ ଭାବେ ସୃଷ୍ଟ ତେଲେଙ୍ଗାନା ରାଜ୍ୟ ମଧ୍ୟ ଇତ୍ୟବସରରେ ନିଜର ସ୍ବତନ୍ତ୍ର ପତାକା ଓ ରାଜ୍ୟ ସଂଗୀତ କରିପାରିଛି । କିନ୍ତୁ ଆମ ପ୍ରଶାସନର ପ୍ରଚଣ୍ଡ ମମତ୍ବେବାଧର ଅଭାବ ଯୋଗୁଁ ଓଡ଼ିଶାର ଭାଷା ଭିତ୍ତିକ ପତାକା ସୃଷ୍ଟି ହୋଇପାରିନାହିଁ କିମ୍ବା ପ୍ରାଦେଶିକ ସଂଗୀତ ’ବନ୍ଦେ ଉତ୍କଳ ଜନନୀ’କୁ ଅଦ୍ୟାବଧି ଆଇନଗତ ମାନ୍ୟତା ଦିଆଯାଇପାରିନାହିଁ ।
କେତେକ ବୁଦ୍ଧିଜୀବୀ କହନ୍ତି, ଓଡ଼ିଶା ସରକାର ’ବନ୍ଦେ ଉତ୍କଳ ଜନନୀ’କୁ ଅବିଳମ୍ବେ ଆଇନଗତ ମାନ୍ୟତା ପ୍ରଦାନ କରି ନିଜ ମହନୀୟତା ଓ ଉତ୍କଳୀୟତାର ପ୍ରମାଣ ଦେବା ଦରକାର । କାରଣ ସରକାର ତାଙ୍କ କର୍ତ୍ତବ୍ୟରେ ଖିଲାପ କରିଥିଲେ ସୁଦ୍ଧା ଓଡ଼ିଶାବାସୀ କିନ୍ତୁ ଏହାକୁ ରାଜ୍ୟ ସଂଗୀତ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନ ସମୟରୁ ହିଁ ଗ୍ରହଣ କରି ନେଇଛନ୍ତି ।