ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ଘରକୁ ବୋମାମାଡ଼

Published: Feb 26, 2020, 12:45 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବହୁ ବର୍ଷ ତଳର ଶତ୍ରୁତା ପୁଣି ଥରେ ଜୀବନ୍ତ ହୋଇଛି । ୨୫ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ନେଇ ଜନୈକ ସରପଞ୍ଚଙ୍କ ଘରକୁ ଏକ ଜେଲ୍ ଫେରନ୍ତା ବ୍ୟକ୍ତି ବୋମାମାଡ଼ କରିଛି । ବୋମାମାଡ଼ ପରେ ସରପଞ୍ଚ ପରିବାର ଆଶଙ୍କାରେ ଥିବାବେଳେ ଏନେଇ ସଦରଥାନା ଅନ୍ତର୍ଗତ ନିମଖଣ୍ଡିରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତ୍ର ୭ଟା ସମୟରେ କୁକୁଡ଼ାଖଣ୍ଡି ବ୍ଲକ୍ ହୁଗୁଳାପଟା ପଂଚାୟତର ସରପଞ୍ଚ ପ୍ରଦୀପ କୁମାର ମଲାଣଙ୍କ ବାଲାଜିପଲ୍ଲୀ ସ୍ଥିତ ଘର ଉପରକୁ ଉକ୍ତ ଗ୍ରାମର ଜଣେ ଜେଲ ଫେରନ୍ତା ବ୍ୟକ୍ତି ଗଙ୍ଗାଧର ଦାସ (୫୦) ୩ଟି ହାତତିଆରି ବୋମା ଫିଙ୍ଗିବା ସହ ଏକ ଖଣ୍ଡା ଧରି ଧମକ ଦେଇଥିଲେ । ଘରୁ ବାହାରିଲେ ଜୀବନରୁ ମାରିଦେବା କହିଥିବାବେଳେ ସରପଞ୍ଚ ପରିବାର ଭୟରେ ଘରୁ ବାହାରିନଥିଲେ । ସୂଚନାଯୋଗ୍ୟ ଗତ ୧୯୯୫ ଜୁଲାଇ ୧୨ ତାରିଖରେ କୌଣସି ଏକ କାରଣକୁ ନେଇ ଗଙ୍ଗାଧର ଦାସ ଏବଂ ତାଙ୍କର ଜଣେ ସଂପର୍କୀୟ ରମେଶ ଦାସ ସରପଞ୍ଚ ପ୍ରଦୀପ ମଲାଣଙ୍କ ଭାଇ ଅନୁପ ମଲାଣଙ୍କୁ ହାଣି ହତ୍ୟା କରିଥିଲେ । ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ମଧ୍ୟ ହୋଇଥିଲା । ଗତ ୧ ବର୍ଷ ହେଲା ଗଙ୍ଗାଧର ଦାସରୁ ଜେଲ୍‌ରୁ ସଜା କାଟି ଫେରିଥିବାବେଳେ ଶ୍ରୀ ମଲାଣ ଲାଗି ସେ ଜେଲ୍ ଯାଇଥିବା ଶତ୍ରୁତା ରଖି ଏହି ବୋମାମାଡ଼ କରିଥିବା ଚର୍ଚ୍ଚା ହେଉଛି । ଖବରପାଇ ସଦରଥାନା ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଗଙ୍ଗାଧର ଫେରାର୍ ହୋଇଯାଇଛି । ଏନେଇ ନିମଖଣ୍ଡି ଥାନାରେ ୫୬/୨୦ରେ ୩୦୭/୫୦୬/୨୯୪ ଆଇପିସି/୩/୪ ଇଏସ୍ ଆଇପିସିରେ ମାମଲା ରୁଜୁ କରାଯାଇଛି ।

Related posts