କେଦାର ମିଶ୍ର
ଦେଶର ଅଭିବୃଦ୍ଧି ଖସୁଛି ତ ଖସୁ, କାହାର କି ଯାଏ! ଗତ ଶୁକ୍ରବାର ଯେତେବେଳେ ଦେଶର ତ୍ରୈମାସିକି ଅଭିବୃଦ୍ଧି ହାର ପ୍ରକାଶ ପାଉଥିଲା ସେତେବେଳେ, ସାରା ଦେଶ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ପୂରା ଦେଶ ଶୁଣୁଥିଲା। ଦିଲ୍ଲୀ ଦଙ୍ଗା ପରେ ପ୍ରଥମ ଥର ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ଵରରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ତାଙ୍କ କଣ୍ଠରେ ଦିଲ୍ଲୀ ଦଙ୍ଗାରେ ମରିଥିବା ଲୋକଙ୍କ ପ୍ରତି ନା ସମବେଦନା ଥିଲା ନା ଥିଲା ଦଙ୍ଗା ରୋକିବାରେ ତାଙ୍କ ପୋଲିସର ବିଫଳତା ପାଇଁ କୌଣସି ଅବଶୋଷ। ତାଙ୍କ ସଫଳତାର କାହାଣୀ ଥିଲା, ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟର ଗଠନ। (ଏଥିରେ ସରକାରଙ୍କର ଭୂମିକା ବା କଣ! ସରକାରର ଏକମାତ୍ର କାମ ହେଉଛି ସୁପ୍ରିମକୋର୍ଟଙ୍କ ରାୟକୁ କାମରେ ଲଗାଇବା। ଅମିତ ଶାହା ସୁପ୍ରିମ କୋର୍ଟଙ୍କ ରାୟକୁ ନିଜର ସଫଳତା ବୋଲି ଭାବିବା କେତେ ଦୂର ଯୁକ୍ତିଯୁକ୍ତ ତାହା ତାଙ୍କୁ ଇ ଜଣା।) ଅନ୍ୟତମ ସଫଳତା- କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ। ୭୦ ଲକ୍ଷ କାଶ୍ମୀରବାସୀ ଆଜି ବାକି ଭାରତବାସୀଙ୍କଠାରୁ ବିଚ୍ଛିନ୍ନ। ୫, ଅଗଷ୍ଟ, ୨୦୧୯ ରୁ ଆଜି ଯାଏ କାଶ୍ମୀରରେ କୌଣସି ନିୟମିତ ଗାଣତାନ୍ତ୍ରିକ ପ୍ରକ୍ରିୟା କାମ କରୁନାହିଁ। ଲୋକେ ସାତମାସ ହେଲା ମୌଳିକ ଯୋଗାଯୋଗରୁ ବିଚ୍ଛିନ୍ନ। ତଥାପି ଏହା କୁଆଡେ ଏକ ବିରାଟ ସଫଳତା! ଆଉ ଏକ ସଫଳତା ହେଉଛି ନାଗରିକତା ସଂଶୋଧନ ଆଇନ ଗ୍ରହଣ। ଏହାର ପ୍ରତିବାଦରେ ଦେଶସାରା ପୋଲିସ ଗୁଳିରେ ଓ ଦଙ୍ଗାରେ ପାଖାପାଖି ୧୦୦ ଲୋକ ମଲେଣି। ସାରା ଦେଶରେ ଏହି ଆଇନକୁ ନେଇ ଅବିଶ୍ଵାସ ଓ ଅସୁରକ୍ଷାର ପରିବେଶ। ହେଲେ ଗୃହମନ୍ତ୍ରୀଙ୍କ ଲାଗି ତାହା ଏକ ବିରାଟ ଉପଲବ୍ଧି!
ତାରି ଭିତରେ ଲଗାତାର ସପ୍ତମ ତ୍ରୈମାସିକିରେ ଦେଶର ଅଭିବୃଦ୍ଧି ହାର ଖସିଛି। ଗତ ଜୁଲାଇ-ସେପ୍ଟେମ୍ବରରେ ଆମର ଅଭିବୃଦ୍ଧି ହାର ୫.୧% ରହିଥିବା ବେଳେ ଅକ୍ଟୋବର-ଡିସେମ୍ବର ରେ ଏହା ୪,.୭% କୁ ଖସିଛି। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା କମିବାର ନାଁ ଧରୁନଥିବା ବେଳେ ଦେଶର ନେତୃତ୍ଵ ଅର୍ଥନୀତି ବିଷୟରେ ଚିନ୍ତା ବା ଚର୍ଚ୍ଚା କରିବାକୁ ନାରାଜ। ମୌଳିକ ଭାବରେ ଦେଶର ଅର୍ଥନୀତି ଆଗକୁ ଆହୁରି ଭୟଙ୍କର ସଙ୍କଟର ସାମ୍ନା କରିବାକୁ ଯାଉଛି। ଚୀନରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବ ଏବେ ବିଶ୍ଵର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି। ଚୀନ ପରେ ଇରାନ, ସ୍ପେନ, ଇଟାଲୀ, ମାଲେସିଆ, ଦକ୍ଷିଣ କୋରିଆ ଇତ୍ୟାଦି ଦେଶରେ କାରୋନା ଭୂତାଣୁ ପ୍ରଭାବ ପକାଇଛି। ଏହା କେବଳ ଲୋକଙ୍କର ସ୍ଵାସ୍ଥ୍ୟକୁ ବିପନ୍ନ କରିନାହିଁ, ପୃଥିବୀର ଅର୍ଥନୀତିକୁ ଏହା ଭୀଷଣ ରୋଗଗ୍ରସ୍ତ କରୁଛି।
ବିଶ୍ଵ ବଜାରରେ କରୋନା ଭୂତାଣୁର ପ୍ରଭାବ ଯୋଗୁଁ ପୃଥିବୀର ଅର୍ଥନୀତି ବ୍ୟାପକ କ୍ଷତି ସହୁଛି। ଏହାର ପ୍ରଭାବ ଇତି ମଧ୍ୟରେ ଭାରତୀୟ ବଜାରକୁ ମଧ୍ୟ ବିପର୍ୟସ୍ତ କରିଛି। ଦେଶର ଅର୍ଥନୀତି ସୁଧାରିବା ଲାଗି ଯେଉଁ ସୁଯୋଗ ବା ସମ୍ଭାବନା କଥା ଉଠୁଥିଲା, ତାହାକୁ କରୋନା ଆତଙ୍କ ଜବରଦସ୍ତ ଝଟକା ଦେଇଛି।
ତେବେ ଅର୍ଥନୀତିର ଏହି ବିପନ୍ନ ଅବସ୍ଥା ବିଷୟରେ ଆଲୋଚନା ହେଉନି କାହିଁକି? ସରକାରୀ ବା କର୍ପୋରେଟ କ୍ଷେତ୍ର ଅର୍ଥନୀତିର ଦୂରବସ୍ଥା ସମ୍ପର୍କରେ ବେଶ ଅବଗତ। ତଥାପି ଏହାର ଆଲୋଚନା ନ ହେବାର କାରଣ କଣ? ଏବେ ଦେଶରେ ଗୋଟେ ଧାରଣା ଦିଆ ଯାଉଛି ଯେ, ଅର୍ଥନୀତି ବିଷୟରେ ଭାବିବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଭାବିବା ଲାଗି ଦୁଇଟି ଲଲିପପ ଦିଆ ଯାଇଛି। ଧର୍ମ ଓ ନାଗରିକତା। ପ୍ରତ୍ୟେକ ଭାରତୀୟ ନାଗରିକ ଏବେ ନିଜର ନାଗରିକତାକୁ ନେଇ ସନ୍ଦେହରେ। ତାକୁ ଅର୍ଥନୀତି, ଅଭିବୃଦ୍ଧି ଓ ଅର୍ଥନୈତିକ ସମାନତା ଭଳି ପ୍ରଶ୍ନ ବିଷୟରେ ଭାବିବାକୁ ସମୟ ବା କାହିଁ!
ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ମାନଙ୍କ ମଧ୍ୟରେ ବୈଷମ୍ୟ ଆଉ ଏକ ଚିନ୍ତାର ବିଷୟ। ୨୦୧୮-୧୯ରେ ଅଣ ବିଜେପି ଶାସିତ ରାଜ୍ୟ ଗୁଡିକ ଅନେକାଂଶରେ ବିଜେପି ଶାସିତ ରାଜ୍ୟ ଗୁଡିକ ତୁଳନାରେ ବେଶ ଭଲ ଅଭିବୃଦ୍ଧି ହାସଲ କରୁଛନ୍ତି। ବିଜେପି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରବଳ ସମାଲୋଚନା କରୁଥିବା ବେଳେ ପଶ୍ଚିମ ବଂଗର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ପ୍ରାୟ ୩ ଗୁଣ ଅଧିକ ରହିଛି। ୨୦୧୮-୧୯ ବର୍ଷ ଲାଗି ପଶ୍ଚିମ ବଙ୍ଗ ୧୨.୮୮% ର ଅଭିବୃଦ୍ଧି ହାସଲ କରିଛି। ତେଣୁ ମମତା ବାନାର୍ଜୀଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସମାଲୋଚନା କରିବାକୁ ବିଜେପି ପାଖରେ କୌଣସି ଯୁକ୍ତି ନାହିଁ। ସେଥିଲାଗି ପଶ୍ଚିମ ବଙ୍ଗ ନିର୍ବାଚନ ପୂର୍ବରୁ ନାଗରିକତା ଓ ସାମ୍ପ୍ରଦାୟିକତାର ପ୍ରସଙ୍ଗକୁ ଅଧିକ ହାୱା ଦେବାର ଉଦ୍ୟମ ହେଉଛି।
ଅର୍ଥନୀତିର ସଙ୍କଟ ବିଷୟରେ ଆଲୋଚନା ନ କରି ଦେଶର ଅର୍ଥନୀତି ଖରାପ ହେବା ଆମର ଭାଗ୍ୟ ବୋଲି ଆମେ ବୋଧେ ଗ୍ରହଣ କରି ନେଇଛୁ। ରାଜନୀତିରେ ଭୟଙ୍କର ବିଭାଜନ ଦେଶର ଅର୍ଥନୀତିକୁ ଆହୁରି ରସାତଳକୁ ନେଇଯିବ। ଦିଲ୍ଲୀ ଦଙ୍ଗା ଭଳି ଘଟଣା ଅର୍ଥନୀତିକୁ ଆହୁରି ଦୁର୍ବଳ କରିବ।
ହେଲେ ସେକଥା ବୁଝିବ କିଏ??