ଭିକାରୀ ମୁକ୍ତ ହେବ ପୁରୀ ସହର, ଆରମ୍ଭ ହେବ ’ନୀଳାଦ୍ରି ନିଳୟ’ ଯୋଜନା

Published: Mar 2, 2020, 11:29 am IST

ସମୀକ୍ଷା ବ୍ୟୁରୋ

ପୁରୀ : ବିଶ୍ବ ଦରବାରରେ ପୁରୀକୁ ପରିଚିହ୍ନିତ କରାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟ ଓ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ସହିତ ଉନ୍ନତିକରଣ ପାଇଁ କାର୍ଯ୍ୟ ମଧ୍ୟ ଜୋରସୋର୍‌ରେ ଚାଲିଛି। ଏହି କ୍ରମରେ ପୁରୀକୁ ସମ୍ପୂର୍ଣ୍ଣ ଭିକାରୀ ମୁକ୍ତ କରିବା ପାଇଁ ଯୋଜନା ଚାଲିଛି। ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ କରିଛନ୍ତି । ମାର୍ଚ୍ଚ ତିନି ତାରିଖରୁ ଏହି ଯୋଜନା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ ସିଂ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ 600 ଭିକାରୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର 8ଟି ସ୍ଥାନରେ ନୀଳାଦ୍ରି ନିଳୟ ଗୃହ ହେବ ବୋଲି ସୂଚନା ରହିଛି। ସେହିପରି ପ୍ରତି ଗୃହରେ 50 ଭିକାରୀମାନଙ୍କ ବ୍ୟବସ୍ଥା ହେବ।

ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହେଉଛି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା ରହିବ। ଏପରି କି ସେମାନଙ୍କ ପରିବାର ସହିତ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ପୌରସଂସ୍ଥାର ୪ଜଣ କମ୍ୟୁନିଟି ଅର୍ଗାନାଇଜର ଏବଂ ଏହି କାର୍ଯ୍ୟ ଲାଗି ଜିଲା ପ୍ରଶାସନ ସହିତ ସହବନ୍ଧିତ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକର ମିଳିତ ଟିମ୍‌ ଭିକାରିଙ୍କୁ କାଉନ୍‌ସେଲିଂ କରି ସେମାନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ ବୋଲି ଜଣାପଡିଛି।

Related posts