କେଦାର ମିଶ୍ର
ବିଜେପିର ପ୍ରଚଣ୍ଡ କ୍ଷମତା ଓ ଧନବଳ ଆଗରେ କଂଗ୍ରେସ କୁଟାଖିଅ ପରି ଭାସି ଯାଉଛି। କୌଣସି ଆଦର୍ଶ ଓ କ୍ୟାଡର ଭିତ୍ତିକ ଭିତ୍ତିଭୂମି ନଥିବାରୁ କଂଗ୍ରେସ ନେତା ତଥା କର୍ମୀମାନେ ଯେତେବେଳେ ଯେଉଁଠି ସୁଯୋଗ ମିଳିଲା ସେ ଦଳରେ ଯୋଗ ଦେବାକୁ ପଛାଉନାହାନ୍ତି। ଏ କଥା ବିଜେପିରେ ସମ୍ଭବ ହେଉନି, କାରଣ ବିଜେପି ପଛରେ ସଂଘ ପରିବାରର ବିଚାର ରହିଛି। ସେ ବିଚାର ଯେତେ ବିଭାଜନକାରୀ ଓ ବିଷାକ୍ତ ହେଲେ ମଧ୍ୟ, କ୍ୟାଡର ନିର୍ମାଣରେ ସେ ସେଇ ବିଚାର ହିଁ ପ୍ରମୁଖ ଭୂମିକା ନେଉଛି। ଗୋଟେ ପଟେ ସଂଘର ଉଗ୍ର ହିନ୍ଦୁତ୍ଵ ଓ ଅପର ପକ୍ଷରେ କ୍ଷମତା ତଥା ଟଙ୍କା ବଳ, ଏହାର ମିଶ୍ରଣ ବିଜେପିକୁ ଅଜେୟ ଅବସ୍ଥାକୁ ନେଇ ଆସିଛି। ମୋଦୀ ସରକାର ବିରୋଧରେ ଯେତେ ଉଗ୍ର ଜନମତ ରହିଥିଲେ ମଧ୍ୟ ନିଜର କ୍ଷମତା ଓ ଅର୍ଥ ବଳରେ ଏହା ଗୋଟିଏ ପରେ ଗୋଟିଏ ନିର୍ବାଚିତ ବିରୋଧୀ ସରକାରକୁ ଭାଙ୍ଗି ଚାଲିଛି। ବିଜେପିର ଏହି ଜୟଯାତ୍ରାରେ ଗଣମାଧ୍ୟମ ଚିୟର ଲିଡର ଭୂମିକାରେ ଥିବା ବେଳେ ନ୍ୟାୟପାଳିକା ନିଜକୁ ଖୋଲାଖୋଲି ଅସହାୟ ବୋଲି କହୁଛି।
କଂଗ୍ରେସ ଯେ ବିଜେପିର ବିକଳ୍ପ ନୁହେଁ, ଏକଥା କ୍ରମେ କ୍ରମେ ସ୍ପଷ୍ଟ ହୋଇ ଯାଉଛି। ଜାତୀୟ ରାଜନୀତିରେ କଂଗ୍ରେସକୁ ସମୂଳେ ଧ୍ଵଂସ କରିଦେବାର ମୋଦୀ-ଶାହ ଯୋଜନା ଫଳବତୀ ହୋଇ ଚାଲିଛି। ସେଥିଲାଗି କଂଗ୍ରେସ ଭିତରେ କଂଗ୍ରେସର ଶତ୍ରୁ ଅଧିକ। କଂଗ୍ରେସ ମୂଳତଃ ବେଇମାନ ଓ ବିଶ୍ଵାସଘାତକମାନଙ୍କର ଏକ ଦଳ ବୋଲି ନିଜକୁ ପ୍ରମାଣିତ କରୁଛି। ତେବେ ଦଳ ଭିତରେ ବେଇମାନ ଓ ବିଶ୍ଵାସଘାତକମାନଙ୍କୁ ଅଙ୍କୁଶ ଲଗାଇପାରିବାର ଦକ୍ଷତା ବା କ୍ଷମତା କଂଗ୍ରେସ ନେତୃତ୍ଵ ପାଖରେ ନାହିଁ। ମଧ୍ୟପ୍ରଦେଶର କମଳନାଥ-ସିନ୍ଧିଆ, ରାଜସ୍ଥାନରେ ଗେହେଲୋଟ-ପାଇଲଟ, ପଞ୍ଜାବରେ ଅମରୀନ୍ଦର –ନବଜୋତ ସିଦ୍ଧୁ ବିବାଦ କେତେବେଳେ ବି ସେଠିକାର କଂଗ୍ରେସ ସରକାରକୁ ଭାଙ୍ଗି ଦେଇପାରେ। ଛତିଶଗଡର ଏକମାତ୍ର ଶକ୍ତିଶାଳୀ କଂଗ୍ରେସ ସରକାର ବିରୋଧରେ ସବୁ କେନ୍ଦ୍ରୀୟ ଏଜେନ୍ସିକୁ ଏବେ ଲଗାଇ ଦିଆଯାଇଛି। ତେଣୁ ସେଠାରେ ବି ଭୂପେଶ ବଘେଲଙ୍କ ସ୍ଥିତି ଟଳମଟଳ ଅବସ୍ଥାରେ ରହିଛି।
ତେବେ ବିଜେପି ବିରୋଧରେ ସବୁଠୁ ବଡ ଆହ୍ଵାନ ସୃଷ୍ଟି କରୁଛନ୍ତି ଆଞ୍ଚଳିକ ଦଳ ଗୁଡିକ। କଂଗ୍ରେସ ତୁଳନାରେ ଆଞ୍ଚଳିକ ଦଳ ଗୁଡିକ ବିଜେପିକୁ ପରାସ୍ତ କରିବାରେ ସକ୍ଷମ ହେଉଛନ୍ତି। ନିଜ ଦଳର ବିଧାୟକ ଓ କର୍ମୀଙ୍କୁ ସମ୍ଭାଳି ରଖିବାରେ ଏହି ଦଳଗୁଡିକ କଂଗ୍ରେସ ତୁଳନାରେ ସବୁବେଳେ ଅଧିକ ସଫଳ। ବିଜେପି ଯେ ଆଞ୍ଚଳିକ ଦଳଗୁଡିକ ପ୍ରତି ସଦଯ ହେଉଛି ତା ନୁହେଁ, ହେଲେ ଆଞ୍ଚଳିକ ଦଳର ନେତୃତ୍ଵ ଆଗରେ ବିଜେପିର ରାଜନୀତି କାମ କରୁନି। ଓଡିଶାରେ ବିଜୁ ଜନତା ଦଳ, ପଶ୍ଚିମବଙ୍ଗରେ ତୃଣମୂଳ, ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି, ଆନ୍ଧ୍ରରେ ୱାଇଏସଆର, ତାମିଲନାଡୁରେ ଡିଏମକେ, ଦିଲ୍ଲୀରେ ଆମ ଆଦମୀ ପାର୍ଟି ପ୍ରମୁଖ ବିଜେପିର ସବୁ ରାଣା କୌଶଳକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି।
ସେଥିପାଇଁ ଏବେ ବିଜେପି ତରଫରୁ ଆଞ୍ଚଳିକ ଦଳଗୁଡିକ ସହିତ ଏକ ପ୍ରକାର ଦିଆନିଆ ସମ୍ପର୍କ ଆରମ୍ଭ ହୋଇଛି। ଜାତୀୟ ରାଜନୀତିରେ ଏକାଧିପତ୍ୟ ଜାହିର କରିବାକୁ ଆଞ୍ଚଳିକ ଦଳମାନଙ୍କୁ ଏବେ ଥୋପ ଭାବରେ ବ୍ୟବହାର କରାଯାଉଛି। କଂଗ୍ରେସ ଉପରେ ବିଜେପିର ଯେଉଁ ଆକ୍ରମଣ ତାହା ଯେ ଆଞ୍ଚଳିକ ଦଳଙ୍କ ଉପରେ ହୋଇନାହିଁ, ତା ନୁହେଁ। ମୁକୁଲ ରାୟଙ୍କ ମାଧ୍ୟମରେ ତୃଣମୂଳକୁ ଏବଂ ବୈଜୟନ୍ତ ପଣ୍ଡାଙ୍କ ମାଧ୍ୟମରେ ବିଜେଡ଼ିକୁ ଭାଙ୍ଗିବାର ଭରପୂର ପ୍ରୟାସ ବିଜେପି କରିଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ସଂସଦୀୟ ଦଳରେ ଫାଟ ସୃଷ୍ଟି କରି, ତାରି ମାଧ୍ୟମରେ ବିଧାୟକ ଦଳକୁ ଅକ୍ତିଆର କରିବାର ଏକ ସୁଚିନ୍ତିତ ଯୋଜନା ସେତେବେଳେ ବିଫଳ ହୋଇଥିଲା।
ସେହିପରି ଆମ ଆଦମୀ ପାର୍ଟି ୨୦୧୫ରେ ଦିଲ୍ଲୀ ବିଧାନସଭାରେ ୭୦ ରୁ ୬୭ ଆସନ ପାଇଥିଲେ ମଧ୍ୟ ଏହାର ବିଧାୟକ ଦଳକୁ ଭାଙ୍ଗିବାର ପ୍ରବଳ ଉଦ୍ୟମ ବିଜେପି କରିଥିଲା। ପ୍ରଥମେ ୨୦ ଜଣ ଆପ ବିଧାୟକଙ୍କୁ ନିର୍ବାଚନ କମିଶନଙ୍କ ସୁପାରିଶରେ ରାଷ୍ଟ୍ରପତି ଅଯୋଗ୍ୟ ଘୋଷିତ କରିଥିଲେ। ଦିଲ୍ଲୀ ହାଇ କୋର୍ଟ ଏହାର ସମୀକ୍ଷା କରିନଥିଲେ ସେତେବେଳେ କେଜ୍ରିୱାଲ ସରକାର ପାଇଁ ବଡ ବିପଦ ସୃଷ୍ଟି ହୋଇଥାନ୍ତା।
ବିଜେପିର ଆକ୍ରମଣରୁ ରକ୍ଷା ପାଇବାକୁ ଏବେ ଆଞ୍ଚଳିକ ଦଳଗୁଡିକ ରକ୍ଷଣାତ୍ମକ ରଣକୌଶଳ ଆପଣାର କରିଛନ୍ତି। କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଗୁଡିକ ଭଳି ଆଞ୍ଚଳିକ ଦଳଗୁଡିକ ବିଜେପି ସହିତ ସମ୍ମୁଖ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି। ଏହା ଜାତୀୟ ରାଜନୀତିରେ ବିଜେପିକୁ ଅଧିକ ଆକ୍ରାମକ, ଉଗ୍ର ଏବଂ ଅହଙ୍କାରୀ ହେବାର ସୁଯୋଗ ଦେଇଛି।
ରାଜନୈତିକ କ୍ଷମତା ଯୁଦ୍ଧରେ ବିଜେପିକୁ ଟକ୍କର ଦେବାଭଳି କୌଣସି ଶକ୍ତି ଆପାତତଃ କୌଣସି ଦଳରେ ନାହାନ୍ତି। ଏବେ ନାଗରିକ ସମାଜ ଓ ସାଧାରଣ ଜନତା ନିଜ ନିଜ ବାଟରେ ସରକାରକୁ ବିରୋଧ କରୁଛନ୍ତି। ସେହି ବିରୋଧକୁ ଚପାଇଦେବା ଲାଗି ବିଜେପି ନିଜର ସବୁ ଶକ୍ତି ଓ କ୍ଷମତାର ପ୍ରୟୋଗ କରୁଛି। ତଥାପି ଗତ ଛଅ ମାସ ଭିତରେ ବିଜେପି ବିରୋଧରେ ଜନମତ ତୀବ୍ର ହୋଇଛି। ହେଲେ ଏହାର ରାଜନୈତିକ ସୁଯୋଗ ନେବାରେ ବିରୋଧୀ ଦଳ ଗୁଡିକ ସକ୍ଷମ ହୋଇନାହାନ୍ତି। ବିଜେପି ଭଲ ଭାବରେ ଜାଣିଛି ଯେ ଜନମତକୁ ପ୍ରଭାବିତ କରିବାକୁ ହେଲେ ବିରୋଧୀ ଦଳଙ୍କୁ ଭାଗ ଭାଗ କରି ରଖିବାକୁ ପଡିବ। ମୁଖ୍ୟ ବିରୋଧୀ ଦଳକୁ ସଂପୂର୍ଣ୍ଣ ଧୂଳିସାତ କରି ଦେଇ ଦୀର୍ଘ ବର୍ଷ କ୍ଷମତାରେ ରହିବାକୁ ବିଜେପି ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିଛି।