ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ଯାତ୍ରୀବାହୀ ରେଳ, ମେଟ୍ରୋ; ବିଭିନ୍ନ ରାଜ୍ୟରେ ଆନ୍ତଃ ରାଜ୍ୟ ବସ ସେବା ବନ୍ଦ

Published: Mar 22, 2020, 4:21 pm IST

ସମୀକ୍ଷା ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ସାରା ଦେଶରେ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। କରୋନା ଭୂତାଣୁ ଯେମିତି ସାଧାରଣ ସ୍ତରକୁ ନ ବ୍ୟାପେ, ତାରି ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ପରିବହନ ବ୍ୟବସ୍ଥାକୁ ବ୍ୟାହତ କରାଯାଇଛି। ରେଳ ଷ୍ଟେସନ ତଥା ବସ ଗୁଡିକରେ ଦେଖାଯାଉଥିବା ପ୍ରବଳ ଗହଳି ହୁଏତ ଭବିଷ୍ୟତରେ କରୋନା ସଂକ୍ରମଣକୁ ବ୍ୟାପକ କରିବାର ସମ୍ଭାବନା ରହିଛି। ଗତ ୧୫ ଦିନ ଭିତରେ ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ରେଳରେ ଯାତ୍ରା କରିଥିବାର ସୂଚନା ଏହା ପୂର୍ବରୁ ରହିଥିଲା।

ରେଳ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଦିଲ୍ଲୀରେ ମେଟ୍ରୋ ବ୍ୟବସ୍ଥାକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ୟନ୍ତ ବନ୍ଦ ରଖାଯାଇଛି। ରାଜସ୍ଥାନ ଓ ପଶିମ ବଙ୍ଗ ସରକାର ଆନ୍ତଃ ରାଜ୍ୟ ବସ ସେବାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। ଦେଶରେ ଏବେ ଅଧାରୁ ଅଧିକ ସ୍ଥାନରେ ସଂପୂର୍ଣ୍ଣ ତାଲା ବନ୍ଦ ଅବସ୍ଥା ସୃଷ୍ଟି ହୋଇଛି।

ଆଜି ବିହାର ଓ ମହାରାଷ୍ଟ୍ରରେ ଦୁଇ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ସଂକ୍ରମଣରୁ ଏହା ଯେମିତି ସାଧାରଣ ସଂକ୍ରମଣ ସ୍ତରକୁ ନ ଯାଏ, ତାହା ଦେଖିବା ପାଇଁ ଏବେ ସାରା ଦେଶରେ ପରିବହନ ବ୍ୟବସ୍ଥାକୁ ଠପ ନ କରି ଅନ୍ୟ ବାଟ ନାହିଁ। ତେବେ ରେଳ ଓ ବସ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏବେ ବିଭିନ୍ନ ବିଶ୍ଵ ବିଦ୍ୟାଳୟ ନିଜର ହଷ୍ଟେଲ ବନ୍ଦ କରିବା ଉଚିତ ହେବନାହିଁ। ଯିଏ ଯେଉଁଠି ରହିଛନ୍ତି, ସେମାନଙ୍କୁ ସେଠାରେ ରହିବା ଲାଗି ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ କରିବା ଉଚିତ।

ଭୟ ଓ ଆଶଙ୍କା ଜନିତ ପରିବହନ ଏବେ ପୂରା ବନ୍ଦ ହେବା ଉଚିତ। ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ସବୁଠୁ ଚିନ୍ତାର ସମୟ। କରୋନା ସଂକ୍ରମଣକୁ ରୋକିବା ଦିଗରେ ନାଗରିକ ଓ ସରକାର ଏକାଠି ହୋଇ ଲଢିବାର ଆବଶ୍ୟକତା ଆଜି ସବୁଠୁ ବେଶୀ।

Related posts