ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ହଜାର ଟପିଲା, ମୃତ୍ୟୁ ସଂଖ୍ୟା 437କୁ ବୃଦ୍ଧି

Published: Apr 17, 2020, 9:53 am IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13387ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 437ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 23 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 437କୁ ବୃଦ୍ଧି ହୋଇଥିବାବେଳେ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 194ରେ ପହଞ୍ଚିଛି । ସେହିପରି ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ 53 ଜଣ, ଗୁଜୁରାଟରେ 36ଜଣ, ଦିଲ୍ଲୀରେ 38 ଜଣ, ତେଲେଙ୍ଗାନାରେ 18ଜଣ, ତାମିଲନାଡୁରେ 15 ଜଣ, ଆନ୍ଧ୍ରପ୍ରଦେଶରେ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଞ୍ଜାବ, ଉତ୍ତରପ୍ରଦେଶରେ 13-13 ଜଣ, ପଶ୍ଚିମବଙ୍ଗରେ 10ଜଣଙ୍କର ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀରରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେରଳ, ହରିୟାଣା, ରାଜସ୍ଥାନରେ ତିନି  ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଝାରଖଣ୍ଡରେ ଦୁଇଜଣ ଓ ଓଡ଼ିଶା, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଓଡ଼ିଶା, ଆସାମରେ ଜଣେ ଜଣେ ମୃତ୍ୟୁ ବରଣ କରିଛନ୍ତି ।

ଦେଶରେ ରାପିଡ୍‌ ଟେଷ୍ଟିଂ ପାଇଁ ଗତ କାଲି ପାଞ୍ଚ ଲକ୍ଷ କିଟ୍‌ ଅଣାଯାଇଛି । ଏପର୍ଯ୍ୟନ୍ତ ଦେଶରେ 2,90,401 କୋଭିଡ୍‌-10ର ପରୀକ୍ଷଣ କରାଯାଇଛି ।  ଅପରପକ୍ଷରେ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ନିୟମକୁ ଅଧିକ କଡାକଡି କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଥିବାବେଳେ ଏଥିପାଇଁ ଜରିମାନାର ବ୍ୟବସ୍ଥା କରାଯାଇଛି । ସେହିପରି ସାମାଜିକ ଦୂରତ୍ବକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Related posts