ଓଡିଶାରେ ଚାଲିଛି ଅମ୍ଫାନର ତାଣ୍ଡବ ଲୀଳା, କେଉଁଠି ଗଛ ଉପୁଡି ରାସ୍ତାରେ, କେଉଁଠି ଚାଳଘର ଉଡିଗଲାଣି

Published: May 20, 2020, 10:03 am IST

ଭୁବନେଶ୍ବର, ଗତକାଲି ରାତିରୁ ଓଡିଶାର ଉପକୂଳ ଜିଲ୍ଲାରେ ଅମ୍ପାନ ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ଚାଳ ଛପର ଘର ଉଡିଯାଇଛି। ଗତକାଲି ରାତି 12ଟାରୁ ଧିରେ ଧିରେ ଅମ୍ଫାନର ପ୍ରକୋପ ବଢିବାରେ ଲାଗିଛି। ଆଜି ସକାଳୁ ପବନର ବେଗ ବଢିବା ସହିତ ପ୍ରବଳ ବର୍ଷା ମଧ୍ୟ ହେବାରେ ଲାଗିଛି।

ପ୍ରବଳ ବର୍ଷା ଓ ପବନ ସତ୍ବେ ବିଭିନ୍ନ ସ୍ଥାନରେ ମୁତୟନ ଥିବା ସୁରକ୍ଷା ବାହିନୀ ରାସ୍ତା ସଫା କରିବାରେ ଲାଗି ପଡିଛନ୍ତି। ଏନଡିଆରଏଫ, ଅଗ୍ନଶମ, ଓଡିଆରଏଫ ବାହିନୀ ବିଭିନ୍ନ ଉପକରଣ ସହ ରାସ୍ତାଘାଟ ବୁଲିବୁଲି ସାଧାରଣ ଯାତାୟାତ ପ୍ରଭାବିତ ନ ହେବା ପାଇଁ କାର୍ଯ୍ୟ କରୁଛନ୍ତି।

ଭଦ୍ରକରେ ସକାଳେ ଏକ ଗଛ ଉପୁଡି ପଡିବା ପରେ ଅଗ୍ନିଶମ କର୍ମଚାରୀମାନେ ତାହାକୁ ହଟାଇବା କାମରେ ଲାଗିଛନ୍ତି

ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟର 4ଟି ଜିଲ୍ଲାରେ ବର୍ତ୍ତମାନ ଏହାର ପ୍ରକୋପ ବଢିଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଏବଂ କେନ୍ଦ୍ରପଡା। ଏହି ଜିଲ୍ଲାରେ ବିଶେଷ କ୍ଷତି ହୋଇଥିବାର ଜଣାପଡିଛି। ଭଦ୍ରକର ଅନେକ ସ୍ଥାନରେ ବଡବଡ ଗଛ ଉପୁଡି ପଡିଛି। ସେହିପରି ଚାନ୍ଦବାଲିର ସମୁଦ୍ରକୁଳିଆ ଘରଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି।

ଭୁବନେଶ୍ବର ପାଣିପାଗ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ପାରାଦ୍ବୀପରେ ପବନର ବେଗ ସବୁଠାରୁ ଅଧିକ ରହିଛି। ଗତକାଲି ରାତିରୁ ପାରାଦ୍ବୀପରେ ପବନର ଗତି ଘଣ୍ଟା ପ୍ରତି 102 କିଲୋମିଟର ରହିଛି। ସେହିପରି ପାରାଦ୍ବୀପରେ ସର୍ବାଧିକ 202 ମିଲିମିଟର ବର୍ଷା ମଦ୍ୟ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ପବନର ବେଗ ଘଣ୍ଟା ପ୍ରତି 74 କିଲୋମିଟର ଥିବା ବେଳେ ବର୍ଷାର ପରିମାଣ ହେଉଛି 67 ମିଲିମିଟର। ତେବେ ଏହି ପବନର ଗଚି ବଢିବ ବୋଲି ଆକଳନ କରାଯାଇଛି।

Related posts